Sun. Mar 8th, 2026

ଓଟିଇଟି ପରୀକ୍ଷା ପାଇଁ ମିଳୁନି ଅନୁମତି; ରାତି ସାରା ଧାରଣାରେ ଛାତ୍ରଛାତ୍ରୀ

268 Views

ବାଲେଶ୍ୱର : ଶିକ୍ଷକ ପ୍ରବେଶିକା ପରୀକ୍ଷା ବା ଓଟିଇଟି ପାଇଁ ସରକାର ଅନୁମତି ନଦେବା ପ୍ରତିବାଦରେ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ଶତାଧିକ ସମନ୍ୱିତ ବିଏଡ୍ ଓ ଏମ୍.ଏଡ ଛାତ୍ରଛାତ୍ରୀ ଧାରଣାକୁ ଓହ୍ଲାଇଛନ୍ତି । ଗତକାଲି ରାତି ତମାମ ସେମାନେ ଜିଲ୍ଲାପାଳଙ୍କ ଅଫିସ୍ ପରିସରରେ ଧାରଣାରେ ବସିଛନ୍ତି  ।

ଶିକ୍ଷକ ପ୍ରବେଶିକା ପରୀକ୍ଷାରେ ବସିବାକୁ ଅନୁମତି ପ୍ରଦାନ ଦାବି କରି ଗତ ୫ ତାରିଖରେ ଭୁବନେଶ୍ୱର ଅଭିମୁଖେ ବିଶାଳ ପଦଯାତ୍ରାରେ ଶତାଧିକ ଛାତ୍ରଛାତ୍ରୀ ବାହାରିଥିଲେ। ହେଲେ  ଜିଲ୍ଲାପାଳ ଓ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରି ୩ ଦିନ ମଧ୍ୟରେ ଘଟଣାର ସମାଧାନ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ।  ଏହା ମଧ୍ୟରେ ୨୦ ଦିନରୁ ଊର୍ଦ୍ଧ୍ୱ ବିତିଯାଇଥିବା ବେଳେ ସେମାନଙ୍କ ସମସ୍ୟା ସମାଧାନର କେହି ନାଁ ଧରୁ ନାହାନ୍ତି। ଏଥିରେ ଅତିଷ୍ଠ ହୋଇ ପିଲାମାନେ କାଲି ରାତିଠୁ ଶୀତକାକରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା ଦେଇଛନ୍ତି ।

ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ବି ଲିଖିତ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଧାରଣା ପ୍ରତ୍ୟାହୃତ କରିବେ ନାହିଁ ବୋଲି ଛାତ୍ରଛାତ୍ରୀ ସୂଚନା ଦେଇଛନ୍ତି। ତେବେ ଏନେଇ ଜିଲ୍ଲାପାଳ କିମ୍ବା ଉପଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

By amfnews

Related Post