Sun. Mar 8th, 2026

ଏସପି-ବିଏସପି ମେଣ୍ଟକୁ ମାତ୍ ଦେବା ପାଇଁ ଯୋଗୀଙ୍କ ମାଷ୍ଟର ପ୍ଲାନ

257 Views

ଲକ୍ଷ୍ନୌ,ଜାନୁଆରୀ ୧୫: ୟୁପିରେ ଏସପି-ବିଏସପି ମେଣ୍ଟକୁ ମାତ୍ ଦେବା ପାଇଁ ଯୋଗୀ ସରକାର ଆଗାମୀ ବଜେଟ୍ ଅଧିବେଶନରେ ଓବିସି ଜାତିଙ୍କ ବର୍ଗୀକରଣ ସମ୍ବନ୍ଧିତ ରିପୋର୍ଟକୁ ବିଧାନସଭାରେ ଉପସ୍ଥାପନ କରି ପାରନ୍ତି। ଏଥିରେ ସରକାର ଏହା ସଙ୍କେତ ଦେବାକୁ ଚାହୁଁଛନ୍ତି ଯେ ଓବିସି କୋଟା ଆଧାରରେ ମିଳୁଥିବା ୨୭ ପ୍ରତିଶତ ସଂରକ୍ଷଣକୁ ଅନେକ ଅଂଶରେ ବାଣ୍ଟିବାକୁ ସରକାର ପ୍ରତିବଦ୍ଧ। ଉତ୍ତର ପ୍ରଦେଶର ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଓମ ପ୍ରକାଶ ରାଜଭର କହିଛନ୍ତି ଯେ ଏସପି-ବିଏସପି ମେଣ୍ଟକୁ ସବୁଠୁ ସଠିକ୍ ଜବାବ ଏହି ରିପୋର୍ଟ ଜରିଆରେ ଦିଆଯିବ। ତେଣୁ ତୁରନ୍ତ ଆମକୁ ଏହା ଲାଗୁ କରିବା ଉଚିତ୍।

ରାଜଭର କହିଛନ୍ତି ଯେ ପ୍ରଥମରୁ ହିଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କୁ କୁହାଯାଇଥିଲା ଯେ ଏହି ରିପୋର୍ଟ ଦଳ ପାଇଁ ବ୍ରହ୍ମାସ୍ତ୍ର ସାବ୍ୟସ୍ତ ହେବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଖରେ ଗତ ଦୁଇ ମାସ ହେବ ଏହି ରିପୋର୍ଟ ପଡ଼ି ରହିଛି। ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ରାଜନାଥ ସିଂହ ଯେବେ ୟୁପିର ମୁଖ୍ୟମନ୍ତ୍ରୀ ଥିଲେ, ତେବେ ବିଜେପି ଏହା ଉପରେ କାମ କରୁଥିଲା। ଏବେ ଏହାର ରାଜନୈତିକ ପ୍ରଭାବର ଆକଳନ କରାଯାଉଛି।  ଏବେ ମୁଖ୍ୟମନ୍ତ୍ରୀଙ୍କୁ ଏହାର ମଞ୍ଜୁରୀ ଦେବାକୁ ପଡ଼ିବ ଏବଂ ଏହା ପରେ ଏହି ବିଲକୁ ବିଧାନସଭାରେ ଉପସ୍ଥାପନ କରାଯାଇପାରେ।

ଅନ୍ୟ ପଟେ ପାର୍ଟିର କିଛି ନେତା କହିଛନ୍ତି ଯେ ପାର୍ଟି ଏହାକୁ ନେଇ ଦ୍ଵନ୍ଦରେ ରହିଛି।  କାରଣ ଏହାର ସକରାତ୍ମକ ଓ ନକରାତ୍ମକ ପ୍ରଭାବ ମଧ୍ୟ ପଡ଼ିପାରେ। ଏହି ରିପୋର୍ଟ ୨୭ ପ୍ରତିଶତ ଓବିସି ସଂରକ୍ଷଣକୁ ତିନୋଟି ଅଂଶ- ପଛୁଆ, ଅତି ପଛୁଆ ଓ ସର୍ବାଧିକ ପଛୁଆରେ ବାଣ୍ଟିବାକୁ ସୁପାରିଶ କରାଯାଉଛି। ଏଥିରେ ପଛୁଆ ବର୍ଗକୁ ୭ ପ୍ରତିଶତ, ଅତି ପଛୁଆ ବର୍ଗଙ୍କୁ ୧୧ ପ୍ରତିଶତ ଏବଂ ସର୍ବାଧିକ ପଛୁଆ ବର୍ଗକୁ ୯  ପ୍ରତିଶତ ସଂରକ୍ଷଣ ଦିଆଯିବାର ପ୍ରସ୍ତାବ ରହିଛି। ଏହାର ସର୍ବାଧିକ ପ୍ରଭାବ ଯାଦବଙ୍କ ଉପରେ ପଡ଼ିବ। କାରଣ ରାଜ୍ୟରେ ଓବିସି କୋଟାର ସର୍ବାଧିକ ଜନସଂଖ୍ୟା ଯାଦବ ସଂପ୍ରଦାୟର ଅଛନ୍ତି।

By amfnews

Related Post