Wed. Mar 11th, 2026

ଏଭରେଷ୍ଟ୍‍ ଶୃଙ୍ଗ ଆରୋହଣ ନିମନ୍ତେ ଅନୁମତି ଲାଗି ନେପାଳର ପ୍ରସ୍ତାବିତ ପରିବର୍ତ୍ତନ

189 Views

କାଠମାଣ୍ଡୁ: ୨୦୧୯ ମସିହାରେ ଏଗାର ଜଣ ଆରୋହୀଙ୍କ ମୃତ୍ୟୁ ଘଟିବା କାରଣରୁ ନେପାଳ ସରକାର ଏଭରେଷ୍ଟ ଶୃଙ୍ଗ ଆରୋହଣ ନିମନ୍ତେ ଦେଉଥିବା ଅନୁମତି ପ୍ରକ୍ରିୟାରେ କେତେକ ପରିବର୍ତ୍ତନ ଲାଗି ପ୍ରସ୍ତାବ ଦେଇଛନ୍ତି।

ପ୍ରସ୍ତାବିତ ପରିବର୍ତ୍ତନର ପ୍ରଥମ ନିୟମଟି ହେଉଛି- ଆରୋହୀମାନେ ନେପାଳର ଅନ୍ୟୂନ ୬, ୫୦୦ ମିଟରବିଶିଷ୍ଟ ଶୃଙ୍ଗଟିଏ ଆରୋହଣ କରିଥିବାର ପ୍ରମାଣପତ୍ର ଦାଖଲ କରିବା ଜରୁରୀ। କିନ୍ତୁ, ସମାଲୋଚକମାନେ କହୁଛନ୍ତି କି, ଏ ଭଳି କଟକଣା କଲେ କିଛି ଲାଭ ନାହିଁ; ସ୍ୱାସ୍ଥ୍ୟ ଭଲ ଅଛି ବୋଲି ଆରୋହୀମାନେ ପ୍ରମାଣପତ୍ର ଦାଖଲ କରିବା ଅତ୍ୟାବଶ୍ୟକ।

ଏହାକୁ ମଧ୍ୟ ଅନ୍ୟ କେତେକ ସମାଲୋଚନା କରି କହୁଛନ୍ତି: ଜାଲ୍‌ ଡାକ୍ତରୀ ସାର୍ଟିଫିକେଟ ମଧ୍ୟ ଦାଖଲ କରିବା କିଛି ବଡ଼ କଥା ନୁହେଁ। ବରଂ ଉଚ୍ଚ ପର୍ବତ ଆରୋହଣ ଆୟୋଜନରେ ତିନି ବର୍ଷର ଅଭିଜ୍ଞତା ଥିବା ଗାଇଡ୍‌ ବ୍ୟବସ୍ଥା କଲେ ଠିକ୍‌ ହେବ।

ଏ କଥାକୁ ମଧ୍ୟ ଆହୁରି କେତେକ ସମାଲୋଚନା କରି କହୁଛନ୍ତି ଯେ ଏ ଭଳି ଅଭିଜ୍ଞତା ଅଛି ବୋଲି ଶେର୍ପାମାନେ ଦାବି କରିବେ ଏବଂ ଆରୋହଣ ନିମନ୍ତେ ସମସ୍ତେ ଯୋଗ୍ୟ ବିବେଚିତ ହୋଇଯିବେ।

ଏ ସଂକ୍ରାନ୍ତରେ ଆମେରିକୀୟ ପର୍ବତାରୋହୀ ଆଲାନ୍‌ ଆର୍ଣ୍ଣେଟ୍‌ କହନ୍ତି: ଏ କଥା ମୁଁ ଅନେକ ଥର ଦେଖିଲିଣି। ୨୦୧୩ ଠାରୁ ପ୍ରତିବର୍ଷ କିଛି ନା କିଛି ଅଘଟଣ ଘଟୁଛି ଏବଂ ନେପାଳ ସରକାର ନୂଆ ନୀତିନିୟମ ଘୋଷଣା କରୁଛନ୍ତି, କିନ୍ତୁ କେବେ ସେସବୁ ପ୍ରଣୟନ କରୁ ନାହାନ୍ତି।

ଏ ଭଳି ସମାଲୋଚନା ମଧ୍ୟରେ ଏଭରେଷ୍ଟ୍‍ ଆରୋହଣ ନିମନ୍ତେ ପ୍ରସ୍ତାବିତ ନୂତନ ନୀତିନିୟମଗୁଡ଼ିକୁ ଅନୁମୋଦ କରାଇବାକୁ କ୍ୟାବିନେଟ୍‌ରେ ଦାଖଲ କରାଯାଇଛି ବୋଲି ନେପାଳ ସରକାରଙ୍କ ପର୍ଯ୍ୟଟନ ବିଭାଗରେ ପର୍ବତାରୋହଣ କାର୍ଯ୍ୟକଳାପ ବୁଝାଶୁଝା କରୁଥିବା ମୀରା ଆଚାର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି।

By amfnews

Related Post