352 Views
ନୂଆଦିଲ୍ଲୀ, ଡିସେମ୍ବର ୧୧ : ଏନ୍.ଏସ୍ ବିଶ୍ୱନାଥନ ଆରବିଆଇର ପରବର୍ତ୍ତୀ ମଧ୍ୟବର୍ତ୍ତୀକାଳୀନ ଗଭର୍ଣ୍ଣର ହୋଇପାରନ୍ତି । ଗତକାଲି ଉର୍ଜିତ ପଟେଲ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ପଦରୁ ଇସ୍ତଫା ଦେବା ପରେ ବିଶ୍ୱନାଥନ ମଧ୍ୟବର୍ତ୍ତୀକାଳିନ ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯିବା ନେଇ ଚର୍ଚ୍ଚା ଜୋର ଧରିଛି। ଯଦି ଏପରି ହୁଏ ତେବେ ଆସନ୍ତା ଶୁକ୍ରବାର ଦିନ ହେବାକୁ ଥିବା ଆରବିଆଇର ବୋର୍ଡର ବୈଠକରେ ବିଶ୍ୱନାଥନ ଅଧ୍ୟକ୍ଷତା କରିପାରନ୍ତି। ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।
ଆରବିଆଇରେ ନିଯୁକ୍ତ ଥିବା ୪ ଡେପୁଟି ଗଭର୍ଣ୍ଣରଙ୍କ ମଧ୍ୟରେ ଏନଏସ ବିଶ୍ୱନାଥନ ବରିଷ୍ଠତମ ଡେପୁଟି ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଛନ୍ତି । ୨୦୧୬ ଜୁଲାଇ ୪ ତାରିଖରେ ବିଶ୍ୱନାଥନଙ୍କୁ ୩ ବର୍ଷ ପାଇଁ ଏହି ପଦବୀରେ ନିଯୁକ୍ତ କରାଯାଇଥିଲା । ସେପଟେ ରିର୍ଜଭ ବ୍ୟାଙ୍କ ପରି ଦେଶର ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନରେ ଅଧିକ ସମୟ ପାଇଁ ମୁଖିଆଙ୍କ ପଦବୀ ଖାଲି ରଖାଯାଇପାରିବନି। ତେଣୁ ସରକାର ଏଦିଗରେ ଶୀଘ୍ର ପଦକ୍ଷେପ ନେଇ ପାରନ୍ତି ।