Sat. Mar 7th, 2026

ଏଣିକି ମୋବାଇଲ୍ ଆପ୍ ମାଧ୍ୟମରେ ଜମି ଖଜଣା, ଇ-ସାର୍ଟିଫିକେଟ୍

240 Views

ଭୁବନେଶ୍ୱର : ଏଣିକି ମୋବାଇଲ ଆପ୍ ମାଧ୍ୟମରେ ଘରେ ବସି ଜମିଜମା ଖଜଣା ପୈଠ କରି ପାଉତି ହାସଲ କରିହେବ। ତହସିଲ ଅଫିସ୍ ନଦୌଡ଼ି ସ୍ୱଘୋଷିତ(ସେଲଫ୍ ସାର୍ଟିଫିକେସନ) ତଥ୍ୟ ମାଧ୍ୟମରେ ମାଗଣାରେ ଆୟ ଓ ବାସସ୍ଥାନ ସାଟିଁଫିକେଟ୍ ମଧ୍ୟ ମିଳିପାରିବ। ଏହାସହିତ ସଲଭେନ୍ସି ସାର୍ଟିଫିକେଟ୍ ବ୍ୟବସ୍ଥାକୁ ମଧ୍ୟ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଉଚ୍ଛେଦ କରିଛନ୍ତି।
ଆଜି ଲୋକବେସା ଭବନରେ ମୋବାଇଲ୍ ପାଉତି ଆପ୍ ଓ ଇ-ସାଟିଁଫିକେଟ୍ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏଭଳି ବ୍ୟବସ୍ଥା ଲାଗୁ କରିବାରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ। ଫାଇଭ-ଟି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଶାସନରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଏହା ଏକ ଅଭିନବ ପ୍ରୟାସ। ଆୟ, ବାସସ୍ଥାନ ଓ ଅନ୍ୟାନ୍ୟ ସାର୍ଟିଫିକେଟକୁ ହିତାଧିକାରୀଙ୍କ ଆତ୍ମଘୋଷିତ ତଥ୍ୟ ଆଧାରରେ ପ୍ରଦାନ କରାଯିବ ।

ଏସବୁ ସାର୍ଟିଫିକେଟ୍ ମାଗଣାରେ ଯୋଗାଇ ଦିଆଯିବ। ସେହିପରି ସରକାରୀ କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ଓ ପ୍ରାପ୍ୟ ପାଇବା ନିମନ୍ତେ ଉତ୍ତରାଧିକାରୀ ସାର୍ଟିଫିକେଟ୍ (ଲିଗାଲ୍ ହେୟାର) ଆବଶ୍ୟକତା ପଡ଼ିବ ନାହିଁ। କର୍ମଚାରୀଙ୍କ ସର୍ଭିସ ବୁକରେ ଥିବା ତଥ୍ୟ ଅନୁସାରେ ସେମାନଙ୍କର ଉତ୍ତରାଧିକାରୀମାନେ ସବୁପ୍ରକାରର ସୁବିଧା ପାଇପାରିବେ। ପେନସନ, ଫ୍ୟାମିଲି ପେନସନ, ଗ୍ରାଚୁଇଟି ଆଦି ସୁବିଧା ଉତ୍ତରାଧିକାରୀ ପାଇବାକୁ ହକଦାର ହେବେ।
ଏହି ନୂଆ ବ୍ୟବସ୍ଥା ଅନୁସାରେ, ନିଯୁକ୍ତି ପ୍ରଦାନକାରୀ ସଂସ୍ଥା ଏଣିକି ଚାକିରି ପାଇଁ ଆବେଦନ ସମୟରେ ଆବେଦନକାରୀଙ୍କ ଜାତିଗତ ଓ ବାସସ୍ଥାନର ଆତ୍ମଘୋଷିତ ପ୍ରମାଣପତ୍ରକୁ ଗ୍ରହଣ କରିବେ। ଆବେଦନକାରୀ ଯଦି ଚାକିରି ପାଇଁ ପ୍ରାରମ୍ଭିକ ଭାବେ ଯୋଗ୍ୟ ବିବେଚିତ ହୁଅନ୍ତି ତା’ହେଲେ ପରବର୍ତ୍ତୀ ସମୟରେ ଯାଞ୍ଚବେଳେ ସେସବୁ ସାଟିଫିକେଟ୍ ଦାଖଲ କରିବାକୁ କୁହାଯାଇପାରିବ। ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ଆବେଦନକାରୀଙ୍କୁ ଅନୁରୂପ ସୁବିଧା ମିଳିବ। ଦଶମ ଶ୍ରେଣୀ ପରୀକ୍ଷା ପରେ ସ୍କୁଲ ଲିଭିଂ ସାର୍ଟିଫିକେଟ୍ ସହ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଜାତିଗତ ପ୍ରମାଣପତ୍ର ମିଳିବ।
ଷ୍ଟୋରେଜ୍ ଏଜେଣ୍ଟ, ମଦ ଲାଇସେନ୍ସ ନବୀକରଣ, ଖଣି ଲିଜ୍ ଆଦି ସମୟରେ କୌଣସି ବିଭାଗ ଏଣିକି ସଲଭେନ୍ସି ସାର୍ଟିଫିକେଟ୍ ମାଗିପାରିବେ ନାହିଁ।

ସେହିପରି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ କହିଥିଲେ ଯେ ଆଗାମୀ ଦିନରେ ବିବାହ ପ୍ରମାଣପତ୍ର ସମେତ ଅନ୍ୟାନ୍ୟ ସୁବିଧା କିପରି ଲୋକମାନେ ସହଜରେ ପାଇପାରିବେ ସେ ସମ୍ପର୍କରେ ମତାମତ ଦେବା ପାଇଁ ଜିଲ୍ଲାପାଳ ଓ କର୍ମଚାରୀମାନଙ୍କୁ ପରାମର୍ଶ ଦିଆଯାଇଛି।

By amfnews

Related Post