Fri. Mar 6th, 2026

ଏଣିକି ଗାଡ଼ି କାଗଜପତ୍ର ଆଉ ଲାଇସେନ୍ସର ଡିଜିଟାଲ୍ କପି ପୁଲିସ୍ ଗ୍ରହଣ କରିବ : ଏସବୁ ମୋବାଇଲରେ ରଖନ୍ତୁ

440 Views

ନୂଅାଦିଲ୍ଲୀ : ଆପଣ ଯେତେବେଳେ ଆପଣଙ୍କ କାର କିମ୍ବା ବାଇକରେ ଯାତ୍ରା କରୁଥାନ୍ତି, ସେତେବେଳେ ଆପଣଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ଠାରୁ ଆରମ୍ଭ କରି ଇନସ୍ୟୁରାନ୍ସ ପେପର, ପଲ୍ୟୁସନ ସାର୍ଟିଫିକେଟ୍ ସମେତ ଅନ୍ୟ କେତେକ ଦସ୍ତାବିଜ୍ ମଧ୍ୟ ସାଙ୍ଗରେ ରଖିବାକୁ ପଡିଥାଏ । କିନ୍ତୁ ଏଣିକି ଆଉ ଏସବୁର ଆବଶ୍ୟକତା ରହିବ ନାହିଁ । ଏଥିପାଇଁ ସଡକ ପରିବହନ ମନ୍ତ୍ରାଳୟ ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିଛି ।

ଗତ ନଭେମ୍ବର ୧୯ ତାରିଖରେ ସଡକ ପରିବହନ ମନ୍ତ୍ରାଳୟ ସମସ୍ତ ରାଜ୍ୟର ପରିବହନ ବିଭାଗକୁ ଏକ ସର୍କୁଲାର ଜାରି କରିଛି । ଏଥିରେ ମନ୍ତ୍ରାଳୟ କହିଛି ଯେ, ଯଦି ସାଧାରଣ ଲୋକ ଚାହିଁବେ ତେବେ ସେମାନେ ଡ୍ରାଇଭିଙ୍ଗ ଲାଇସେନ୍ସ, ପଲ୍ୟୁସନ୍ ସାର୍ଟିଫିକେଟ୍ ଓ ଗାଡିର ଅନ୍ୟ ଡକ୍ୟୁମେଣ୍ଟର ଡିଜିଟାଲ କପି ଦେଖାଇପାରିବେ।

ସର୍କୁଲାରରେ କୁହାଯାଇଛି ଯେ ଚେକିଂ ବେଳେ କିମ୍ବା ଅନ୍ୟ କୌଣସି ସ୍ଥାନରେ ପୋଲିସ ଗାଡ଼ିର କାଗଜପତ୍ର ଯାଞ୍ଚ କରିଥାନ୍ତି, ସେତେବେଳେ ସାଧାରଣ ଲୋକେ ଚାହିଁଲେ, ଗାଡିର ସବୁ କାଗଜପତ୍ରର କପି ଡିଜିଟାଲ ଫର୍ମାଟରେ ଦେଖାଇପାରିବେ । ଉପସ୍ଥିତ ଥିବା ପୁଲିସ ଅଧିକାରୀ ଏହାକୁ ଅସ୍ୱୀକାର କରିପାରିବେ ନାହିଁ । ଏହି ସର୍କୁଲାର ପୂର୍ବରୁ, ଅଗଷ୍ଟ ୨୦୧୮ରେ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ, ସମସ୍ତ ରାଜ୍ୟ ଗୁଡିକୁ ଏହି ସମ୍ବନ୍ଧୀୟ ଅଧିସୂଚନା ଜାରି କରିଥିଲା । ଏଥିରେ କୁହାଯାଇଥିଲା ଯେ, ସାଧାରଣ ଲୋକ ସେମାନଙ୍କର ତଥ୍ୟ ଏମ୍ ପରିବହନ ଆପରେ ରଖିପାରିବେ । ପୁଲିସ କିମ୍ବା ଅନ୍ୟ କୌଣସି ଅଧିକାରୀ ଗାଡିର କାଗଜପତ୍ର ଯାଞ୍ଚ କରିବା ସମୟରେ ଏହି ଆପରେ ସେଭ୍ କରାଯାଇଥିବା ଦସ୍ତାବିଜକୁ ଦେଖାଯାଇପାରିବ।

By amfnews

Related Post