Tue. Dec 24th, 2024

ଏକାମ୍ର କ୍ଷେତ୍ର ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିବା ସହ ଏହାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଲେ ପାଣ୍ଡିଆନ

By amfnews Nov 1, 2020 #Featured
150 Views

ଭୁବନେଶ୍ୱର,ଅକ୍ଟୋବର ୩୧ : ୫-ଟି ସଚିବ ଭି.କେ. ପାଣ୍ଡିଆନ ଶୁକ୍ରବାର ସକାଳେ ଏକାମ୍ର କ୍ଷେତ୍ର ପ୍ରକଳ୍ପ କାର୍ଯ୍ୟ ଅନୁଧ୍ୟାନ କରିବା ସହ ଏହାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକଳ୍ପ ପାଇଁ ଇତି ମଧ୍ୟରେ ୮୦ ପ୍ରତିଶତ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇଥିବା ତାଙ୍କୁ ଅଧିକାରୀମାନେ ଅବଗତ କରାଇଥିଲେ ।

ନଭେମ୍ବର ଶେଷ ସୁଦ୍ଧା ଜମି ଅଧିଗ୍ରହଣ ଶେଷ କରିବାକୁ ପାଣ୍ଡିଆନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । କୋଭିଡ-୧୯ ମହାମାରୀ ସମୟରେ ବି ପ୍ରକଳ୍ପ କାମ ଚାଲିଥିବାରୁ ସେ ଅଧିକାରୀଙ୍କୁ ପ୍ରଶଂସା କରିଥିଲେ ।

ମହାଶିବରାତ୍ରୀ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ସେ କହିଥିଲେ । ବିଶେଷ କରି ଲିଙ୍ଗରାଜ ମନ୍ଦିରକୁ ଯାଇଥିବା ସମସ୍ତ ରାସ୍ତା ଚଉଡ଼ା କାମ ନିଶ୍ଚିତ ସାରିବାକୁ କହିଛନ୍ତି। ଭକ୍ତମାନଙ୍କ ସୁବିଧା ପାଇଁ ନୂତନ ବିକଳ୍ପ ରାସ୍ତା ନିର୍ମାଣ ସାରିବାକୁ କହିଥିଲେ । ଏହାଦ୍ୱାରା ଭକ୍ତମାନେ ଚାଲି ଚାଲି ବିନ୍ଦୁସାଗର ଚାରିପଟେ ବୁଲିବାର ସୁବିଧା ପାଇପାରିବେ ।

ମନ୍ଦିର ପର୍ଯ୍ୟନ୍ତ ଇ-ଯାନ ଚଳାଇବାକୁ କହିଥିଲେ, ଯଦ୍ୱାରାକି ମୁଖ୍ୟ ମନ୍ଦିର ଚତୁଃପାର୍ଶ୍ଵରୁ ପ୍ରଦୂଷଣ ହ୍ରାସ ପାଇପାରିବ । ଏହା ଉଭୟ ଭକ୍ତ ଏବଂ ମନ୍ଦିରକୁ ପ୍ରଦୂଷଣରୁ ରକ୍ଷା କରିବ ।

ପ୍ରକଳ୍ପ କାର୍ଯ୍ୟ ମଧ୍ୟରେ ଲିଙ୍ଗରାଜ ମାର୍କେଟଠାରୁ ତାଳେଶ୍ୱର ଛକ ପର୍ଯ୍ୟନ୍ତ ନୂଆ ରାସ୍ତା, ନୂଆ ଲିଙ୍ଗରାଜ ମାର୍କେଟରୁ ବିନ୍ଦୁସାଗରକୁ ସଂଯୋଗ କରୁଥିବା ରାସସ୍ତା, ମନ୍ଦିର ସମ୍ମୁଖ ଇଷ୍ଟର୍ଣ୍ଣ ପ୍ଲାଜାର ବିକାଶ, ଉତ୍ତର ଦ୍ୱାରା ପାଖରେ ନର୍ଦର୍ଣ୍ଣ ପ୍ଲାଜାର ବିକାଶ, ବ୍ରଜବନ୍ଧୁ କଲ୍ୟାଣମଣ୍ଡପ ପାଖରେ ବସଷ୍ଟାଣ୍ଡର ବିକାଶ, ବଢ଼େଇବାଙ୍କର ବିକାଶ ଅନ୍ତର୍ଭୁକ୍ତ । ମନ୍ଦିର ଚତୁଃପାଶ୍ୱର୍ରୁ ଏବଂ ଲିଙ୍ଗରାଜ ଅଞ୍ଚଳର ଡ୍ରେନେଜ ବ୍ୟବସ୍ଥାର ବିକାଶ କରାଯାଉଛି ।

ଇତି ମଧ୍ୟରେ ଗୋପାଳତୀର୍ଥ ମଠ ଓ ଶଙ୍କରାନନ୍ଦ ମଠ ଜମି ଅଧିଗ୍ରହଣ ଶେଷ ହୋଇଛି । ଆଉ କିଛି କୋଠା ଓ ଜମି ଅଧିଗ୍ରହଣ ପରେ ଭକ୍ତମାନେ ଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ୱାରରୁ ବିନ୍ଦୁସାଗରକୁ ସ୍ପଷ୍ଟ ଦେଖିପାରିବେ ।

ଖୋଲା ସ୍ଥାନରେ ଉଭୟ ଶ୍ରୀଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗରକୁ ଭକ୍ତମାନେ ଏକ ସମୟରେ ଦେଖିବାକୁ ସୁଯୋଗ ପାଇବେ । ପରିବେଶ ଅନୁକୂଳ ବର୍ଜ୍ୟ ପରିଚାଳନା ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଭକ୍ତମାନଙ୍କ ରହଣି ଓ ଦର୍ଶନର ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ହେଉଛି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାଶିବରାତ୍ରୀ ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ କହିଥିବାରୁ ଏହାକୁ ଗୁରୁତ୍ୱ ଦେବାକୁ ଅଧିକାରୀମାନଙ୍କୁ ପାଣ୍ଡିଆନ କହିଥିଲେ । ଏହି ସମୟରେ ସୂର୍ତ୍ତ ସଚିବ ଏବଂ ବିଏମସସି କମିଶନର ମଧ୍ୟ ଉପସ୍ଥିତ ଥିଲେ ।

By amfnews

Related Post