ଭୁବନେଶ୍ବର : ଏକାଡେମି ପୁରସ୍କାରକୁ ନେଇ ଅସନ୍ତୋଷ ଥମିବାର ନାଁ ଧରୁନି। ୨୦୧୬ରେ ଓଡ଼ିଶା ସଂଗୀତ ନାଟକ ଏକାଡେମି ପୁରସ୍କାର ଘୋଷଣା ପରେ ମୁଣ୍ଡ ଟେକିଥିବା ବିବାଦ ଏବେ ବି ଭୁବନେଶ୍ବର କୋର୍ଟରେ ଗଡ଼ୁଛି। ଏଣେ ଚଳିତ ଏକାଡେମି ପୁରସ୍କାରକୁ ନେଇ କିଛି କଳାକାର ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ଅନ୍ୟ ଅଞ୍ଚଳର କିଛି କଳାକାର ମଧ୍ୟ ଅସନ୍ତୁଷ୍ଟ ଗୋଷ୍ଠୀରେ ସାମିଲ୍ ହୋଇ ନ୍ୟାୟାଳୟ ଯିବାକୁ ଅଣ୍ଟା ଭିଡ଼ିଛନ୍ତି। ଯଦି ବିବାଦ ଥରେ ନ୍ୟାୟାଳୟକୁ ବିଚାର ପାଇଁ ଚାଲିଯିବ, ତେବେ ଏକାଡେମି ପୁରସ୍କାର ସ୍ଥଗିତ ହୋଇଯିବ ନି ତ? ୨ ବର୍ଷର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ସମେତ ଅନ୍ୟ ୩୨ଟି ଏକାଡେମି ପୁରସ୍କାର ପାଇବାକୁ ମନୋନୀତ ପ୍ରତିଭା ଚଳିତ ବର୍ଷ ଏହି ପୁରସ୍କାର ପାଇପାରିବେ ତ? ଏଭଳି ପ୍ରଶ୍ନ ଓ ଆଶଙ୍କାରେ ରହିଛନ୍ତି ଉଭୟ କଳାକାର ଓ ରାଜ୍ୟ ସଂସ୍କୃତି ବିଭାଗ।
‘ଏବଂ ଆମେ’ ନାଟ୍ୟାନୁଷ୍ଠାନ ଏ ବାବଦରେ ସଂସ୍କୃତି ମନ୍ତ୍ରୀ ଓ ସଂସ୍କୃତି ସଚିବଙ୍କ ଦୃଷ୍ଟି ଆକର୍ଷଣ କରିସାରିଥିବା ବେଳେ ଶେଷରେ କୋର୍ଟର ଦ୍ବାରସ୍ଥ ହେବ ବୋଲି ଜଣାଇ ସାରିଛି। ଅନ୍ୟପକ୍ଷରେ କଣ୍ଠଶିଳ୍ପୀ ଦେବାଶିଷ ମହାପାତ୍ର ସୁଗମ ସଂଗୀତରେ ତାଙ୍କ ପ୍ରତି ଅବିଚାର କରାଯାଇଥିବା କହିଥିଲେ ହେଁ ନ୍ୟାୟାଳୟ ଯିବା ନେଇ କୌଣସି ସୂଚନା ଦେଇନାହାନ୍ତି।
ଏବଂ ଆମେ’ ଅନୁଷ୍ଠାନ ପକ୍ଷରୁ ଅଭିନେତା ପ୍ରେମାଞ୍ଜନ ପରିଡ଼ା କହିଛନ୍ତି ଯେ କୌଣସି କଳାକାର ପୁରସ୍କାର ପାଇଁ ମନୋନୀତ ହେବାରେ ଆମର ଆପତ୍ତି ନାହିଁ। ମାତ୍ର କିଛି ନିର୍ଦିଷ୍ଟ ନାଟ୍ୟାନୁଷ୍ଠାନର କିଛି କଳାକାର ଏହି ପୁରସ୍କାର ପାଇଁ ମନୋନୀତ ହେବା ଏବଂ ସେଇ ଅନୁଷ୍ଠାନର ମୁଖ୍ୟମାନେ କାର୍ଯ୍ୟକାରୀ ପରିଷଦ ଓ ସାଧାରଣ ପରିଷଦର ସଦସ୍ୟ ଥାଇ ତାଙ୍କ ଅନୁଷ୍ଠାନର କଳାକାରଙ୍କୁ ପ୍ରାଧାନ୍ୟ ଦେବା ହିଁ ଆମକୁ ନ୍ୟାୟାଳୟର ଆଶ୍ରୟ ନେବାକୁ ବାଧ୍ୟ କରିଛି। ବିଶିଷ୍ଟ ନାଟ୍ୟକାର ଡ. ବିଜୟ ମିଶ୍ରଙ୍କ ଭଳି ବ୍ୟକ୍ତିତ୍ବମାନେ କବିସମ୍ରାଟ ଉପେନ୍ଦ୍ର ଭଂଜ ସମ୍ମାନ ନ ପାଇବା ଆମକୁ ଆଘାତ ଦେଇଛି।
ଏ ବାବଦରେ ପ୍ରତିକ୍ରିୟା ରଖି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଂଜନ ପାଣିଗ୍ରାହୀ କହିଛନ୍ତି, ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ହିସାବରେ ମୁଁ କାର୍ଯ୍ୟକାରୀ ସମିତିରେ ଥିବାରୁ ଏତିକି ଲକ୍ଷ୍ୟ କରିଛି ଯେ ସର୍ବସମ୍ମତିକ୍ରମେ ନାମଗୁଡ଼ିକୁ ବିଚାରକୁ ନିଆଯାଇ ଚୟନ କରାଯାଇଛି। ଯେଉଁମାନେ ବି ଏହି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି, ସେମାନେ ଯେ ଏକାଡେମି ପୁରସ୍କାର ପାଇବାକୁ ଯୋଗ୍ୟ ନୁହନ୍ତି ତାହା କିଏ କହିପାରିବେ କି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ଶ୍ରୀ ପାଣିଗ୍ରାହୀ। ମିଳିଥିବା ସୂଚନା ମୁତାବକ, ଆସନ୍ତା ୮ ତାରିଖରେ ୨୦୧୬ ପୁରସ୍କାର ମାମଲାକୁ ନେଇ ଭୁବନେଶ୍ବର କୋର୍ଟରେ ଶୁଣାଣି ହେବ। ପୁରସ୍କାରକୁ ନେଇ ନାଟ୍ୟ ନିର୍ଦେଶକ ରମେଶ ମହାନ୍ତି ଉଠାଇଥିବା ବିବାଦର କି ଫଇସଲା ହେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଆଉ ଏକ ଅଡ଼ୁଆ ସଂସ୍କୃତି ବିଭାଗର ଚିନ୍ତା ବଢ଼ାଇଛି।