Sun. Mar 8th, 2026

ଏଏସ୍‌ଓ ପରୀକ୍ଷାରେ ସ୍ମାର୍ଟଓ୍ଵାଚ ଜରିଆରେ କପି କରୁଥିବା ପରୀକ୍ଷାର୍ଥୀ ଧରାପଡ଼ିଲେ; ବାହାରକୁ ପ୍ରଶ୍ନ ଯାଉଥିଲା, ଭିତରକୁ ଉତ୍ତର ଆସୁଥିଲା

416 Views

ଭୁବନେଶ୍ୱର,21 Jan. 2019: ପୂର୍ବରୁ ପରୀକ୍ଷାର୍ଥୀମାନେ ପ୍ରଶ୍ନପତ୍ର ପ୍ରଘଟ, ଖାତା ଜାଲିଆତି ଆଦି ବିଭିନ୍ନ ଜରିଆରେ ଠକାମି କରି ପରୀକ୍ଷା ଦେଇ ଆସୁଥିବା ବେଳେ ଏବେକାର ପରୀକ୍ଷାର୍ଥୀ ମାନେ ଏକଦମ ନିଆରା ଢଙ୍ଗରେ ଉନ୍ନତ କୌଶଳ ଜରିଆରେ କପି କରୁଥିବାର ଆଜି ଏକ ଦୃଶ୍ୟ ଦେଖିବାକୁ ମିଳିଛି।

ରବିବାର ସଚିବାଳୟର ୫୦୦ଟି ପଦବୀରେ ନିଯୁକ୍ତି ପାଇଁ ହେଉଥିବା ଆସିଷ୍ଟାଣ୍ଟ୍‌ ସେକ୍ସନ ଅଫିସର୍‌(ଏଏସ୍‌ଓ) ଲିଖିତ ପରୀକ୍ଷାରେ ଜଣେ ପରୀକ୍ଷାର୍ଥୀ ସ୍ମାର୍ଟଓ୍ଵାଚ ଜରିଆରେ କପି କରି ଧରାପଡ଼ିଛନ୍ତି। ପରୀକ୍ଷାର୍ଥୀ ଜଣକ ନୟାଗଡ଼ ଜିଲ୍ଲାର ବୋଲି ଜାଣିବାକୁ ମିଳିଛି।

ପୁଲିସ୍‌ ସୂଚନା ମୁତାବକ, ବୌଦ୍ଧ ପଞ୍ଚାୟତ କଲେଜରେ ପରୀକ୍ଷା ଚାଲୁଥିବା ସମୟରେ ପରୀକ୍ଷାର୍ଥୀ ଜଣକ ନିଜ ହାତରେ ପିନ୍ଧିଥିବା ସ୍ମାର୍ଟଓ୍ଵାଚ ମାଧ୍ୟମରେ ବାହାରକୁ ପ୍ରଶ୍ନ ପତ୍ର ପଠାଉଥିଲେ। ସେହିପରି ଭାବେ ବାହାରୁ ମଧ୍ୟ ସେ ପଠାଉଥିବା ପ୍ରଶ୍ନର ଉତ୍ତର ସ୍ମାର୍ଟଫୋନ୍‌କୁ ଆସୁଥିଲା। ମାତ୍ର ସେ କରୁଥିବା ଏହି କାରବାରରେ ସଫଳ ହୋଇପାରି ନଥିଲେ, ପରୀକ୍ଷା ଅଧାରୁ ଧରାପଡ଼ି ଯାଇଥିଲେ ପରୀକ୍ଷାର୍ଥୀ। ପୁଲିସ୍‌ ପରୀକ୍ଷାର୍ଥୀଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି।

By amfnews

Related Post