Sat. Mar 7th, 2026

ଋଣଗ୍ରସ୍ତ କର୍ଣ୍ଣାଟକ ଚାଷୀଙ୍କୁ ମାସକରେ କୋଟିପତି କଲା ପିଆଜ

178 Views

ବେଙ୍ଗାଲୁରୁ: ଚିତ୍ରଦୁର୍ଗା ଜିଲ୍ଲାର ଦୋଦ୍ଦାସିଦ୍ଦଓ୍ଵାନହାଲିର ପିଆଜ ଚାଷୀ ମଲ୍ଲିକାର୍ଜ୍ଜୁନ ଗୋଟିଏ ମାସରେ କୋଟିପତି ହୋଇଯାଇଛନ୍ତି।

ଋଣ କରି ପିଆଜ ମଞ୍ଜି ବୁଣିଥିବା ୪୨ ବର୍ଷିୟ ଚାଷୀ କହନ୍ତି, ଏ ଭଳି ଜଟିଳ ନିଷ୍ପତ୍ତି ଜୀବନରେ ମୁଁ କେବେ ନେଇ ନ ଥିଲି। ଫଲସ ଉଧେଇ ନ ଥିଲେ କି, ଦର କମି ଯାଇଥିଲେ ମୁଁ ଋଣ ପରିଶୋଧ କରି ପାରି ନ ଥାନ୍ତି। କିନ୍ତୁ ପିଆଜ ଏବେ ମୋ ପରିବାରର ଭାଗ୍ୟ ଖୋଲି ଦେଇଛି। ସେ ଏଥର ୨୪୦ ଟନ୍‌ ବା ପ୍ରାୟ ୨୦ ଟ୍ରକ୍‌ ପିଆଜ ଅମଳ କରିଛନ୍ତି।

ଏଥିପାଇଁ ମଲ୍ଲିକାର୍ଜ୍ଜୁନ ୧୫ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। ଆଶା କରିଥିଲେ ୫/୧୦ ଲକ୍ଷ ଟଙ୍କା ଲାଭ ପାଇବେ।

Image Source: Times Now

ତାଙ୍କ ସଫଳତାର କାହାଣୀ ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ସେ ଚିତ୍ରଦୁର୍ଗା ଚାଷୀଙ୍କ ଦୃଷ୍ଟିରେ ସେଲିବ୍ରିଟି ପାଲଟି ଯାଇଛନ୍ତି।
୧୦ ଏକର ଜମିର ମାଲିକ ମଲ୍ଲିକାର୍ଜ୍ଜୁନ ପିଆଜ ଚାଷ କରିବାକୁ ଆଉ ୧୦ ଏକର ଜମି ଲିଜ୍‌ ନେଇଥିଲେ। ୫୦ ଜଣ ଶ୍ରମିକ ମଧ୍ୟ ନିୟୋଜିତ କରିଥିଲେ। ମରୁଡ଼ି ଭଳି ପରିସ୍ଥିତି ହୋଇଥିବାରୁ ଭୂତଳ ଜଳ ଉପରେ ନିର୍ଭର କରି ସେ ଚାଷ ଆରମ୍ଭ କରିଥିଲେ।

କେବଳ ଏତିକି ନୁହେଁ, ପିଆଜ ଦର ମାନ୍ଦା ରହିବାରୁ ସେ ଅକ୍ଟୋବର ମାସ ଯାଏଁ ଖୁବ୍‌ ଚିନ୍ତିତ ଥିଲେ। ଚୋରଙ୍କ ଦାଉରୁ ଫସଲ ରକ୍ଷା କରିବାକୁ ତାଙ୍କ ପରିବାରର ସଦସ୍ୟମାନେ ପାଳିକରି ପିଆଜ ଜଗାରଖା ବି କରୁଥିଲେ। କିନ୍ତୁ ନଭେମ୍ବର ମାସରେ ସ୍ଥିତି ବଦଳି ଗଲା। ସେ କୁଇଣ୍ଟାଲ୍‌ ପିଛା ୭୦୦୦ ଟଙ୍କା ଏବଂ ପରେ ପରେ ୧୨୦୦୦ ଟଙ୍କାରେ ପିଆଜ ବିକ୍ରୟ କରି ଲାଭବାନ ହେଲେ।

By amfnews

Related Post