Fri. Mar 6th, 2026

ଉପନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀଙ୍କର ଯଦି କରୋନାରେ ମୃତ୍ୟୁ ହୁଏ ତେବେ ପରିବାରକୁ ମିଳିବ ୩୦ ଲକ୍ଷ ଟଙ୍କାର ସହାୟତା ରାଶି

319 Views

ନୂଆଦିଲ୍ଲୀ, ଅକ୍ଟୋବର ୨୪ : କୋଭିଡ୍‌ ମହାମାରୀ ମଧ୍ୟରେ ରାଜ୍ୟରେ ଚାଲିଛି ଉପନିର୍ବାଚନ । ଆସନ୍ତା ନଭେମ୍ବର ୩ରେ ତିର୍ତ୍ତୋଲ ଏବଂ ବାଲେଶ୍ୱର ସଦର ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ପୋଲିଂ କର୍ମଚାରୀ ଓ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବାହିନୀ ଯବାନଙ୍କର କୋଭିଡ୍‌ରେ ମୃତ୍ୟୁ ହେଲେ ସେମାନଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ଭାରତର ନିର୍ବାଚନ କମିଶନର ଶୁକ୍ରବାର ଘୋଷଣା କରିଛନ୍ତି । ଏହାଛଡା ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଭାରତ ଇଲେକ୍ଟ୍ରୋନିକ ଓ ଇସିଆଇଏଲର ଇଞ୍ଜିନିୟରମାନେ କୋଭିଡ୍‌ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ ସେମାନଙ୍କ ପରିବାରକୁ ମଧ୍ୟ ୩୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଯୋଗାଇ ଦିଆଯିବ। ଏହାଛଡ଼ା ଉପରୋକ୍ତ କର୍ମଚାରୀମାନେ ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥାଇ ଯଦି ହିଂସାତ୍ମକ ଗଣ୍ଡଗୋଳ, ଉଗ୍ରପନ୍ଥୀ ଦ୍ୱାରା ଆକ୍ରମଣ, ବୋମା ବିସ୍ଫୋରଣ ଓ ଲ୍ୟାଣ୍ଡ ମାଇନ ଦ୍ୱାରା ମୃତ୍ୟୁମୁଖରେ ପଡିଲେ ମୃତକଙ୍କ ପରିବାରକୁ ମଧ୍ୟ ୩୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ମିଳିବ ବୋଲି ଆୟୋଗଙ୍କ ପକ୍ଷରୁ ଜାରି କରାଯାଇଥିବା ଘୋଷଣା ନାମାରେ କୁହାଯାଇଛି ।

By amfnews

Related Post