ଜୌନପୁର, ନଭେମ୍ବର ୦୧ : ଅପରାଧ ବିରୋଧରେ ସରକାରଙ୍କ ଶକ୍ତ କାର୍ଯ୍ୟାନୁଷ୍ଠାନ ପରେ ବି ଉତ୍ତର ପ୍ରଦେଶରେ ଅପରାଧୀମାନେ ସକ୍ରିୟ ରହୁଛନ୍ତି । ଲଖନଉରେ କ୍ୟାସିୟରଙ୍କ ଠାରୁ ଲୁଟ ଏବଂ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ଥିବା ବେଳେ ଅପରାଧୀମାନେ ହୀରା ବ୍ୟବସାୟୀଙ୍କୁ ଟାର୍ଗେଟ କରିଛନ୍ତି । ପୋଲିସ କହିବା ଅନୁସାରେ ଅଭିଯୁକ୍ତମାନେ ବୁଧବାର ସନ୍ଧ୍ୟାରେ ଜଣେ ହୀରା ବ୍ୟବସାୟୀଙ୍କୁ ଗୁଳିକରି କୋଟିଏ ୭୦ ଲକ୍ଷ ଟଙ୍କା ମୂଲ୍ୟର ଗହଣା ଲୁଟ କରି ଫେରାର ହୋଇ ଯାଇଛନ୍ତି । ଗୁଳିକାଣ୍ଡର ସମ୍ମୁଖୀନ ହୋଇଥିବା ବ୍ୟବସାୟୀ ନାଗେଶ ଦୁବେଙ୍କୁ ଜିଲ୍ଲା ହସ୍ପିଟାଲରେ ପ୍ରଥମେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରାଣସୀ ସ୍ଥାନାନ୍ତର କରାଯାଇଛି ।
ପୋଲିସ କହିଛି, ବକ୍ସା ଥାନା ଅନ୍ତର୍ଗତ ସୁଲତାନପୁର ନିବାସୀ ନାଗେଶ ଦୁବେ ହୀରା ବ୍ୟବସାୟ କରନ୍ତି । ବ୍ୟବସାୟୀ ବାରାଣସୀରେ କାମ ସାରି ନିଜ ଘର ଜୌନପୁର ଫେରୁଥିଲେ । ସେହି ସମୟରେ ବାଇକ ଆରୋହୀ ଅପରାଧୀମାନେ ଶମ୍ଭୁଗଞ୍ଜ ବଜାର ଉପରେ ତାଙ୍କ କାରକୁ ଧକ୍କା ଦେଇଥିଲେ, ଏହା ପରେ ଦୁବେ ନିଜର କାର ଅଟକାଇ ଦେଇଥିଲେ । ଗାଡି ଅଟକିବା ପରେ ଅପରାଧୀମାନେ ଗୁଳି କରି ପାଖାପାଖି ଏକ କୋଟି ୭୦ ଲକ୍ଷ ଟଙ୍କା ମୂଲ୍ୟର ଗହଣା ନେଇ ଫେରାର ହୋଇ ଯାଇଥିଲେ ।