ଭୁବନେଶ୍ବର : ବିଶ୍ବବିଦ୍ୟାଳୟକୁ ଉତ୍କର୍ଷରେ ପରିଣତ କରିବା ପାଇଁ ୫ଟି ପ୍ରସଙ୍ଗ (ପ୍ରଶାସନିକ ପରିଚାଳନା, ଅର୍ଥ, ଶୃଙ୍ଖଳା, ଗବେଷଣା ଓ ଛାତ୍ରଛାତ୍ରୀ)ର ଅଧିକ ପ୍ରାସଙ୍ଗିକତା ରହିଛି। ଏହା ଅଧିକ ସକ୍ରିୟ ହୋଇପାରିଲେ ଗୋଟିଏ ଶିକ୍ଷାନୁଷ୍ଠାନ ଶୀର୍ଷରେ ପହଞ୍ଚିପାରିବ ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍ ଜୁବିଲି ଉତ୍ସବରେ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ କହିଛନ୍ତି।
ଉତ୍କଳ ବିଶ୍ବବିଦ୍ୟାଳୟ ପ୍ଲାଟିନମ୍ ଜୁବିଲି ଉତ୍ସବର ତୃତୀୟ ଦିବସରେ ଅନୁଷ୍ଠିତ ଅଭିଭାବକ ଓ ପୁରାତନ ଶିକ୍ଷକ, କର୍ମଚାରୀଙ୍କୁ ସମ୍ବୋଧିତ କରି ସେ ଏହା ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି, ଆଗରୁ ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିଲା। ଅଭିଭାବକମାନେ ପିଲାର ପାଠପଢ଼ା ବିଷୟରେ ଶିକ୍ଷକମାନଙ୍କଠାରୁ ପଚାରି ବୁଝୁଥିଲେ। ଏବେ କିନ୍ତୁ ସେଭଳି ଆଉ ଦେଖିବାକୁ ମିଳୁନି। ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ଦୂରତା ବଢ଼ୁଛି। ଏମିତି ସ୍ଥିତି ହେଲାଣି ଯେ ଅଭିଭାବକଙ୍କର ନିଜ ପୁଅ-ଝିଅଙ୍କ ସହ ଉତ୍ତମ ସମ୍ପର୍କ ବି ରହୁନି। ଧୀରେ ଧୀରେ ନୈତିକ ଶିକ୍ଷା ହ୍ରାସ ପାଉଥିବା ବେଳେ ପିଲାମାନେ ଇଣ୍ଟରନେଟ୍ ମନସ୍କ ହୋଇଯାଉଛନ୍ତି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଉ ଆଗଭଳି ପ୍ରଶ୍ନ ପଚାରିବାର ଆଗ୍ରହ ଦେଖିବାକୁ ମିଳୁ ନାହିଁ ବୋଲି ସେ କହିଥିଲେ।
ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ସିଡ୍ ଯୋଜନା ମାଧ୍ୟମରେ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ଏଥିରେ ଗବେଷଣା ପାଇଁ ଦୁଇ ବର୍ଷରେ ୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ସ୍ଥିର ହୋଇଛି। ଏହି ଯୋଜନା ପାଇଁ ୮୯ ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୭୪ ଜଣ ଯୋଗ୍ୟତା ଅର୍ଜନ କରିଥିଲେ। ତେବେ ୮ ଜଣ ପେପର ଦାଖଲ କରି ନ ପାରିବାରୁ ବାଦ୍ ପଡ଼ିଛନ୍ତି। ଯୋଗ୍ୟତା ଅର୍ଜନ କରିଥିବା ଅବଶିଷ୍ଟ ୬୬ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୦ ଜଣଙ୍କୁ ଚୟନ କରାଯାଇଛି। ଆସନ୍ତା ୨୭ ତାରିଖରେ ସେମାନଙ୍କୁ ସାର୍ଟିଫିକେଟ୍ ଦିଆଯିବ।
ସେ ଆହୁରି କହିଲେ ଏବେକାର ଛାତ୍ରଛାତ୍ରୀ ଭଲ ରେଜଲ୍ଟ, ଭଲ ମାର୍କ ପାଇବା ପଛରେ ଦୌଡ଼ୁଛନ୍ତି। ଗବେଷଣା ପ୍ରତି ବିଶେଷ ଧ୍ୟାନ ଦେଉନାହାନ୍ତି। ଭଲ ରେଜଲ୍ଟ ସହ କିଭଳି ଭଲ ଗବେଷଣା ହୋଇ ପାରିବ ସେଥିପ୍ରତି ଗୁରୁତ୍ବ ଦେବାକୁ ସେ କହିଥିଲେ।
ଶିକ୍ଷାର ବିକାଶ ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟକୁ ମଡେଲ୍ ଭାବେ ନିଆଯାଇଛି। ଏଠାରେ ଲାଗୁ ହେଉଥିବା ନିଷ୍ପତ୍ତିକୁ ପରବର୍ତୀ ସମୟରେ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଓ ଯୁକ୍ତ ୩ କଲେଜରେ ଲାଗୁ କରାଯିବ। ଶିକ୍ଷକମାନଙ୍କ ପାଇଁ କର୍ମଶାଳା କରାଯିବା ସହ ଖୁବ୍ଶୀଘ୍ର ହ୍ୟାଣ୍ଡ୍ ବୁକ୍ ପ୍ରଦାନ କରାଯିବ। ରାଜ୍ୟର ବିଶ୍ବବିଦ୍ୟାଳୟ, କଲେଜରେ ଥିବା ପାଖାପାଖି ୧୦ ହଜାର ଶିକ୍ଷକଙ୍କୁ ସାମିଲ କରି ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତନ ଆଣିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ।
ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ତଥା ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅଶୋକ କୁମାର ଦାଶ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ, ଉତ୍କଳ ବିଶ୍ବବିଦ୍ୟାଳୟକୁ ବିଶ୍ବସ୍ତରୀୟ କରିବାକୁ ସମସ୍ତେ କହୁଛନ୍ତି। କିନ୍ତୂ ଉତ୍କଳ ବିଶ୍ବବିଦ୍ୟାଳୟକୁ ପ୍ରଥମେ ବରିଷ୍ଠ ତଥା ତତ୍ତ୍ବଭିତ୍ତିକ ବିଶ୍ବବିଦ୍ୟାଳୟ କରିବାକୁ ପଡ଼ିବ। ଜ୍ଞାନ ସୃଷ୍ଟି, ଗବେଷଣା, ମେଧାବୀ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରି ଏବେଠାରୁ ମୂଳଦୁଆ ପକାଇବାକୁ ହେବ। ଶିକ୍ଷକମାନଙ୍କୁ ସବୁବେଳେ ଉତ୍ସାହିତ କରିବାର ଆବଶ୍ୟକତା ରହିଛି। ଶିକ୍ଷକମାନଙ୍କୁ ସମ୍ମାନ ନ ଦେଲେ ବିଶ୍ବବିଦ୍ୟାଳୟର ବିକାଶ ହୋଇପାରିବ ନାହିଁ ବୋଲି ସେ ମତବ୍ୟକ୍ତ କରିଥିଲେ।
ରାଜ୍ୟପାଳଙ୍କ ପ୍ରମୁଖ ସଚିବ ମଧୁସୂଦନ ପାଢ଼ୀ ଯୋଗଦେଇ କହିଲେ, ବିଶ୍ବବିଦ୍ୟାଳୟ ପାଇଁ ନୂତନ ପାଠ୍ୟକ୍ରମର ପ୍ରଚଳନ ଓ ଗବେଷଣାକୁ ଗୁରୁତ୍ବ ଦେବାକୁ ହେବ। ମେକ୍ ଇନ୍ ଇଣ୍ଡିଆ, ମେକ୍ ଇନ୍ ଓଡ଼ିଶା ଭଳି ମେକ୍ ଇନ୍ ୟୁନିଭରସିଟି କରାଯିବାର ଆବଶ୍ୟକତା ରହିଛି। ଏଦିଗରେ ସମସ୍ତେ ଏକାଠି ହୋଇ କାର୍ଯ୍ୟ କରିବା ଉଚିତ।
ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର, କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, କୁଳସଚିବ ଦୟାନିଧି ନାୟକ, ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।