Sat. Mar 7th, 2026

ଉତ୍କଳ ଔଷଧ ବ୍ୟବସାୟ ସଂଘର ନିର୍ବାଚନକୁ ନେଇ ବିବାଦ : ମତଦାନ ବେଳେ ଭୋଟ୍‌ବାକ୍ସ ଉଠାଇନେଲେ ଦୁର୍ବୃତ୍ତ

285 Views

ଚନ୍ଦ୍ରଶେଖରପୁର : ଆଜି ଚନ୍ଦ୍ରଶେଖରପୁର ପଦ୍ମଜା ହୋଟେଲ୍‌ରେ ଉତ୍କଳ ଔଷଧ ବ୍ୟବସାୟୀ ସଂଘ(ୟୁସିଡିଏ)ର ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ କିଛି ଦୁର୍ବୃତ୍ତ ଭୋଟ୍‌ବାକ୍ସ ଉଠାଇ ନେଇ ଯାଇଥିବା ଅଭିଯୋଗ ହୋଇଛି। ଏନେଇ ସଂଘର ସଭାପତି ପି.ସତ୍ୟନାରାୟଣ ରେଡ୍ଡୀ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ସଂଘର ୨୦୧୯ରୁ ୨୦୨୨ବର୍ଷ ପାଇଁ ମତଦାନ ଚାଲିଥିବା ବେଳେ ୫/୬ଜଣ ଯୁବକ ହଠାତ ହୋଟେଲ୍ ହଲ୍ ଭିତରକୁ ପଶି ଆସି ବାଲଟ୍‌ କାଗଜ ଓ ବାଲଟ୍‌ ବାକ୍ସ ଉଠାଇ ନେଇଥିଲେ। ସେମାନଙ୍କ ନିକଟରେ ବନ୍ଧୁକ ଥିବାରୁ ଉପସ୍ଥିତ ସଭ୍ୟମାନେ ପ୍ରତିରୋଧ ନ କରି ପୁଲିସ୍ ଓ ହୋଟଲ୍ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ପୁଲିସ୍ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ୍ ତଦନ୍ତ କରିବ ବୋଲି ଜଣାପଡ଼ିଛି।

ସଂଘର ସଭ୍ୟ ପ୍ରସନ୍ନ ମହାପାତ୍ରଙ୍କ ସୂଚନା ମୁତାବକ ପ୍ରଥମେ ଅନୁଗୁଳ, ବରଗଡ଼ ଓ କେନ୍ଦୁଝର ଜିଲ୍ଲା ଏକ୍‌ଜିକ୍ୟୁଟିଭ୍ ମେମ୍ବରମାନେ ମତଦାନ କଲା ପରେ ଏହି ଘଟଣା ଘଟିଥିଲା। ତେଣୁ ଏନେଇ ଥାନାରେ ଅଭିଯୋଗ ଦିଆଯାଇଥିଲା। ପୁଲିସ୍ ହୋଟେଲ୍ ବାହାରେ ପାଟ୍ରୋଲିଂ କରିବା ପରେ ରାତି ପ୍ରାୟ ୮ଟା ପରେ ପୁଣି ମତଦାନ ଚାଲିଥିଲା।

ଯେହେତୁ ଜାଲିଆତି କରାଯାଇ ନିର୍ବାଚନ ପ୍ରକ୍ରିୟାରୁ କିଛି ଜିଲ୍ଲାକୁ ବାଦ୍‌ ଦିଆଯାଇଛି, ଅସନ୍ତୁଷ୍ଟ ଭୋଟର୍‌ମାନେ ଏଭଳି କାଣ୍ଡ ଘଟାଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ସଂଘ ନିୟମ ଅନୁଯାୟୀ, ୩୦ଟି ଜିଲ୍ଲାର ନିର୍ବାଚନ ସରିବା ପରେ ରାଜ୍ୟ ‌ନିର୍ବାଚନ ହେବା କଥା। ହେଲେ ସାଧାରଣ ସମ୍ପାଦକ ପଦ ପାଇଁ ଏକାଧିକ ଆଶାୟୀ ପ୍ରାର୍ଥିପତ୍ର ଦାଖଲ କରିବାରୁ ବର୍ତ୍ତମାନ ସାଧାରଣ ସମ୍ପାଦକ ପଦରେ ଥିବା ପ୍ରଶାନ୍ତ କୁମାର ମହାପାତ୍ର ଚଞ୍ଚକତା କରି ବାଲେଶ୍ୱର, ଯାଜପୁର, କେନ୍ଦୁଝର ଓ ଖୋର୍ଧା ସମେତ କିଛି ଜିଲ୍ଲାକୁ ଏହି ନିର୍ବାଚନ ପ୍ରକ୍ରିୟାରୁ ବାଦ୍‌ ଦେଇଥିଲେ। ଫଳରେ ପ୍ରଶାନ୍ତଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ ମୁଣ୍ଡ ଟେକିଥିବା ସୁଶାନ୍ତ ପଣ୍ଡା ଓ ବନୋଜ ଜେନା ନିର୍ବାଚନରୁ ବାଦ୍‌ ପଡ଼ି ଯାଇଛନ୍ତି। ଏହାକୁ ନେଇ ଆଜି ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଯଦି ବେଆଇନ ଭାବେ ବାରମ୍ବାର ଏଭଳି ନିର୍ବାଚନ କରାଯାଏ, ତେବେ ନିର୍ବାଚନ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଅସନ୍ତୋଷ ଭୋଟର୍‌ମାନେ କହିଛନ୍ତି।

By amfnews

Related Post