Sun. Nov 24th, 2024

ଉଜୁଡ଼ୁଛି ସୌନ୍ଦର୍ଯ୍ୟ ବିଗୁଡ଼ୁଛି ପାର୍କିଂ

By amfnews Aug 6, 2018 #Featured
181 Views

Aug 6, 2018

ଧଉଳି: ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଧଉଳି ଶାନ୍ତିସ୍ତପର ସାମଗ୍ରିକ ବିକାଶ ଦିଗରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ତଥା ଧଉଳି ବିକାଶ ସମିତି (ଡିଡିସି) ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବାରୁ ଏହାର ସୌନ୍ଦର୍ଯ୍ୟ କ୍ରମଶଃ ବିଗିଡ଼ିବାରେ ଲାଗିଲାଣି। ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଲାଗି ବିପୁଳ ପରିମାଣର ଟଙ୍କା ଖର୍ଚ କରାଯାଉଥିଲେ ହେଁ ସେହି ଅନୁସାରେ ଏହି ଐତିହ୍ୟସ୍ଥଳୀର ବିକାଶ କରାଯାଉନଥିବା ଅଭିଯୋଗ ହେଉଛି। ଏପରିକି ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଏଠାକୁ ଯିବାକୁ ଦର୍ଶକ ମନ ବଳାଉନଥିବା ଦେଖାଦେଲାଣି।

ମୁଖ୍ୟ ଜାତୀୟ ରାଜପଥ ପ୍ରବେଶ ପଥରୁ ଶାନ୍ତିସ୍ତୂପ ଯାଏ ଥିବା ଅଧିକାଂଶ ବିଦ୍ୟୁତ ଖୁଣ୍ଟରୁ ବଲ୍‌ବ ଫ୍ୟୁଜ୍‌ ହୋଇଗଲାଣି। ଅନେକ ଲାଇଟ୍‌ ଷ୍ଟାଣ୍ଡ ସଂପୂର୍ଣ୍ଣ ଭାଙ୍ଗି ଗଲାଣି। ଫଳରେ ସୂର୍ଯ୍ୟ ନଇଁଲେ ଏହି ଐତିହ୍ୟସ୍ଥଳୀକୁ ଯିବା ଆସିବା ରାସ୍ତାରେ ଅନ୍ଧାର ରାଜୁତି କରୁଛି।

ଅପରପକ୍ଷେ ଧଉଳି ପରିସରରେ ଥିବା ଶାନ୍ତିପାର୍କର ସୌନ୍ଦର୍ଯ୍ୟ ଦିନେ ପର୍ଯ୍ୟଟକଙ୍କୁ ଆନମନା କରୁଥିଲା। କିନ୍ତୁ ପାର୍କରେ ଥିବା ଗଛଲତାଗୁଡ଼ିକର ଡ୍ରେସିଂ ନହେବା ଯୋଗୁଁ ଜଙ୍ଗଲୀ ଗଛଲତା ଆଢ଼ୁଆଳରେ ପାର୍କର ସୌନ୍ଦର୍ଯ୍ୟ ଲୁଚିଯାଇଛି। ଏଠାରେ ଥିବା ୬ଟି ବୁଦ୍ଧଦେବଙ୍କ ପ୍ରତିମୂର୍ତ୍ତି ଉପରୁ ବି ରଙ୍ଗ ଉଡ଼ିଗଲାଣି। ପାର୍କର ଯତ୍ନ ନେବା ପାଇଁ ବିଭାଗୀୟ କର୍ମଚାରୀ ନାହାନ୍ତି। ଏପଟେ ଆଖପାଖ ଅଞ୍ଚଳରୁ ବେଧଡ଼କ ଗଛକଟା ଚାଲିଛି। ଶାନ୍ତିସ୍ତୂପ ପରିସରରେ ପିଇବା ପାଣି ସଂକଟ ମଧ୍ୟ ଦେଖାଦେଲାଣି। ଖାଲି ସେତିକି ନୁହେଁ, ପାଦଦେଶରେ କୋଟିଏ ଟଙ୍କାରୁ ଅଧିକ ବ୍ୟୟରେ ଗତ ଏପ୍ରିଲ ମାସରେ ୧୦ ହଜାର ବର୍ଗଫୁଟ୍‌ ଜାଗାରେ କାର୍ଯ୍ୟକ୍ଷମ ହୋଇଥିବା ପାର୍କିଂସ୍ଥଳରେ ଆନୁଷଙ୍ଗିକ ଭିତ୍ତିଭୂମି ସଜଡ଼ା ଯାଇପାରୁନି। ଫଳରେ ଦୈନିକ ଏଠାକୁ ବୁଲି ଆସୁଥିବା ହଜାର ହଜାର ପର୍ଯ୍ୟଟକ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହୁଛନ୍ତି। ପାର୍କିଂସ୍ଥଳର ସ୍ୱଚ୍ଛତା ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉନାହିଁ।

ଖାଲି ସେତିକି ନୁହେଁ, ଶାନ୍ତସ୍ତପକୁ ଯିବା ପାଇଁ ଲାଗୁ ହୋଇଥିବା ନୂଆ ନିୟମ ଯୋଗୁଁ ଅଧିକାଂଶ ବସ୍‌ ଏଠାକୁ ଆସିବାକୁ କୁନ୍ଥକୁନ୍ଥ ହେଉଛନ୍ତି। ବିଶେଷକରି ପୁରୀ ବସ୍‌ ସଂଘର କୌଣସି ବସ୍‌ ଏଠାକୁ ଆସିବାକୁ ଆଦୌ ମଙ୍ଗୁନାହାନ୍ତି। ନିୟମ ଅନୁଯାୟୀ, ବସ୍‌ଗୁଡ଼ିକ ପାର୍କିଂସ୍ଥଳରେ ରହିବ। ସେଠାରୁ ସର୍ଟଲ ବସ୍‌ ଯୋଗେ ଯାତ୍ରୀମାନେ ଶାନ୍ତସ୍ତପକୁ ଯିବେ। ଯଦିଓ ଏହି ନିୟମକୁ ଅନେକେ ସ୍ୱାଗତ କରୁଛନ୍ତି, କିନ୍ତୁ ଏନେଇ ଅଯଥାରେ ବିଳମ୍ବ ହେଉଥିବା ପୁରୀ ବସ୍‌ ସଂଘ ପକ୍ଷରୁ କୁହାଯାଉଛି। ପୁରୀ ବସ୍‌ ସଂଘର ଏକ ବସ୍‌ ଚଳାଉଥିବା ଜଣେ ଚାଳକ ମନୋଜ ପ୍ରଧାନଙ୍କ କହିବା ଅନୁଯାୟୀ, ପର୍ଯ୍ୟଟକମାନଙ୍କୁ ଏକାସଙ୍ଗେ ଧଉଳି, ଶ୍ରୀଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ଖଣ୍ଡଗିରି ଓ ନନ୍ଦନକାନନ ବୁଲାଇବା ପାଇଁ ଆଣିଥାଉ। ଆଗରୁ ସିଧାସଳଖ ବସ୍‌ଗୁଡ଼ିକ ଧଉଳି ଶାନ୍ତସ୍ତପକୁ ଯାଉଥିଲା। କିନ୍ତୁ ଏବେ ଏହି ନୂଆ ନିୟମ ଯୋଗୁଁ ଅଯଥାରେ ବେଶି ସମୟ ନଷ୍ଟ ହେଉଛି। ପର୍ଯ୍ୟଟକ ସର୍ଟଲ ବସ୍‌ରେ ଯିବା ଆସିବାରେ ବହୁ ସମୟ ଅଯଥାରେ ବ୍ୟୟ ହେଉଛି। ତେଣୁ ବସଗୁଡ଼ିକ ଏଠାକୁ ଆସିବାକୁ ଅମଙ୍ଗ ହେଉଛନ୍ତି।

By amfnews

Related Post