Sun. Mar 8th, 2026

ଇରାନର ମିସାଇଲ ହମଲାରେ ୮୦ ‘ଆମେରିକା ଆତଙ୍କୀ’ ନିହତ!

190 Views

ଦୁବାଇ: ଆମେରିକା ଓ ଇରାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ଇରାନର ମେଜର ଜେନେରାଲ କସିମ ସୁଲେମାନୀଙ୍କୁ ଆମେରିକା ହତ୍ୟା କରିବା ପରେ ୱାଶିଂଟନ ଓ ତେହରାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏସବୁ ଭିତରେ ମଙ୍ଗଳବାର ବିଳମ୍ବିତ ରାତିରେ ଇରାନ ପକ୍ଷରୁ ଇରାକରେ ଥିବା ଆମେରିକା ଏୟାର ବେସ୍‌ ଉପରେ ମସାଇଲ ମାଡ଼ କରାଯାଇଛି।

ଏଥିରେ ଆମେରିକା ଓ ତା’ର ସହଯୋଗୀ ଟ୍ରୁପର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ଆମେରିକା ପକ୍ଷରୁ ଏଯାଏ କ୍ଷତିକ୍ଷତିର ଆକଳନ କରାଯାଇନାହିଁ ବୋଲି କୁହାଯାଇଛି।

ହେଲେ ସୁଲେମାନୀଙ୍କ ମୃତ୍ୟୁ ପରେ ଆମେରିକାର ସମସ୍ତ ଫୋର୍ସକୁ ଇରାନ ପକ୍ଷରୁ ଆତଙ୍କବାଦୀ ଘୋଷଣା କରାଯାଇଥିଲା। ଆଜି ମିସାଇଲ ମାଡ଼ ସେହି “ଆମେରିକା ଆତଙ୍କବାଦୀ”ଙ୍କ ଉପରେ ହୋଇଥିବା ଇରାନ ଦାବି କରିଛି।

ଇରାନର ସରକାରୀ ଟିଭି ଚ୍ୟାନେଲରେ ପ୍ରକାଶିତ ଖବର ଅନୁଯାୟୀ, ସୁଲେମାନୀଙ୍କ ମୃତ୍ୟୁର ବଦଲା ନେବାକୁ ଆଜି ଇରାନ ମିସାଇଲ ମାଡ଼ କରିଛି। ଏଥିରେ ୮୦ ଜଣ ଆମେରିକା ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ଆମେରିକା ଏୟାରବେସର ବ୍ୟାପକ କ୍ଷୟକ୍ଷତି ହୋଇଛି।  ଇରାକରେ ଥିବା ଆମେରିକାର ୨ଟି ଏୟାରବେସ ଉପରେ ପ୍ରାୟ ୧୫ଟି ମିସାଇଲ ମାଡ଼ ହୋଇଛି। ମିସାଇଲ ମାଡ଼ ହୋଇଥିଲେ ହେଁ ଏହାକୁ କେହି ବି ଠାବ କରିପାରି ନଥିଲେ।

ରେଭ୍ୟୁଲେସନାରୀ ଗାର୍ଡର ଜଣେ ଅଧିକାରୀ କହିଛନ୍ତି, “ଯଦି ମିସାଇଲ ମାଡ଼ର ବଦଲା ନେବାକୁ ଆମେରିକା ଚେଷ୍ଟା କରିବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ। ଇରାନ ଏବେଠାରୁ ହିଁ ଆମେରିକାର ୧୦୦ଟି ସ୍ଥାନକୁ ନିଜ ଟାର୍ଗେଟରେ ରଖିଛି।

ମିସାଇଲ ମାଡ଼ରେ ଏବେ କେବଳ ଆମେରିକା ଆତଙ୍କବାଦୀ ମରି ନାହାନ୍ତି ବରଂ ପ୍ରତିରକ୍ଷା ସାମଗ୍ରୀ ଓ ହେଲିକପ୍ଟର ମଧ୍ୟ ଛିନଛତ୍ର ହୋଇଯାଇଛି। ଅଇନ ଅଲ ଅସାଦ ବେସ୍‌ରେ ହିଁ ମିସାଇଲ ମାଡ଼ ହୋଇଛି। ଇରାକରେ ଥିବା ସମସ୍ତ ସୈନ୍ୟକୁ ୱାଶିଂଟନ ତୁରନ୍ତ ଫେରାଇ ନେଇଯାଉ। କାରଣ ଆମେ ଚାହୁଁନାହୁଁ ଯେ ଅଯଥାରେ ଆମେରିକା ସୈନ୍ୟମାନେ ସେଠାରେ ପ୍ରାଣ ହରାନ୍ତୁ।”

ପେଣ୍ଟାଗନ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ ଆମେ ମିସାଇଲ ମାଡ଼ର କ୍ଷୟକ୍ଷତି ଆକଳନ କରୁଛୁ। ଇରାନ ୧୨ରୁ ଅଧିକ ବାଲାଷ୍ଟିକ ମିସାଇଲ ଇରାକରେ ଥିବା ଆମେରିକା ଓ ଏହାର ସହଯୋଗୀ ସେନା ବାହିନୀର ବେସ ଉପରେ ମାଡ଼ କରିଛି। ଅଇନ ଅଲ ଆସଦ ଓ ଅରବିଲରେ ଥିବା ଏୟାର ବେସ୍ ଉପରେ ହିଁ ଏଭଳି ମିସାଇଲ ମାଡ଼ ହୋଇଛି। ଇରାନ ବାରମ୍ବାର ଯୁଦ୍ଧ ଧମକ ଦେଉଥିବାରୁ ଆମେ ଆମେରିକାର ସବୁ ବେସରେ ହାଇଆଲର୍ଟ ଜାରି କରାଯାଇଛି।

By amfnews

Related Post