Tue. Mar 10th, 2026

ଇତିଶ୍‌ଙ୍କ ବିରୋଧରେ ଦଫା ୧୧୦; ପୁଣି ଗଲେ ଜେଲ୍‌

245 Views

ଭୁବନେଶ୍ୱର, ଜାନୁଆରୀ ୧୬: ଜ୍ୟୋତି ରଂଜନ ବେଉରା ଓରଫ ଗୋଲଡେନ୍‌ ବାବା ସହ ସଂପର୍କରେ ଥିବା ବିଜେଡି ନେତାଙ୍କୁ ଗିରଫ ଦାବିରେ ବିକ୍ଷୋଭ କରିବା ଛାତ୍ର କଂଗ୍ରେସ ନେତାଙ୍କୁ ମହଙ୍ଗା ପଡ଼ିଛି। ଗତ ୧୧ ତାରିଖରେ ବନ୍ଧା ହୋଇଥିବା ଇତିଶ ପ୍ରଧାନଙ୍କ ବିରୋଧରେ କମିସନରେଟ୍‌ ପୁଲିସ ସିଆରପିସି ଦଫା ୧୧୦ ଲଗାଇଛି। ଏହି ଦଫାରେ ଜାମିନ ନ ମିଳିବାରୁ ତାଙ୍କୁ ପୁଣି ଥରେ ଜେଲ୍‌ ହାଜତ୍‌କୁ ପଠାଇ ଦିଆଯାଇଛି। ଆଜି ଇତିଶଙ୍କୁ ପୁଲିସ କମିସନରେଟ୍‌ ଏକଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ହାଜର କରାଯାଇଥିଲା। ସେଠାରେ ଏହି ଦଫାରେ ପୁଣି ଥରେ ଏସ୍‌ଡିଜେଏମ୍‌ କୋର୍ଟ ଚାଲାଣ କରାଯାଇଥିଲା। ସେଠାରୁ ଜାମିନ ନାମଞ୍ଜୁର ହୋଇଥିଲା। ପୂର୍ବରୁ ତାଙ୍କ ବିରୋଧରେ ଭାରତୀୟ ପିଙ୍ଗଳକୋଡ୍‌ ଦଫା

୧୪୭/୩୪୧/୨୮୩/୩୫୩/୩୩୨/୩୩୬/୩୩୭/୪୨୭/୨୯୪/୫୦୬/୧୪୯ ସହ ୯୬ ଓୟୁପି ଆକ୍ଟ ଓ ୩ ପିଡିପିପି ଆକ୍ଟ ବଳରେ କ୍ୟାପିଟାଲ ଥାନା ପୁଲିସ ମାମଲା ରୁଜୁ କରିଥିଲା। ଏବେ ଏଥିରେ କମିସନରେଟ୍‌ ପୁଲିସ ସିଆରପିସିର ୧୧୦ ଦଫା ଯୋଡ଼ିଛି। ବାରମ୍ବାର ନିର୍ଦ୍ଦିଷ୍ଟ ଅପରାଧର ପୁନରାବୃତ୍ତି ପାଇଁ ପୁଲିସ ଏହି ଦଫା ଲଗାଇଥିବା କହିଥିବା ବେଳେ ଏହାକୁ ରାଜନୈତିକ ଆକ୍ରୋଶର ନାମ ଦେଇଛନ୍ତି ଇତିଶ। ଗୋଲ୍‌ଡେନ୍‌ ବାବା ସହ ସମ୍ପୃକ୍ତ ଥିବା ବିଜେଡି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଗତ ୧୧ ତାରିଖ ଦିନ ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ୫୦ରୁ ଊର୍ଦ୍ଧ୍ବ ଛାତ୍ର କଂଗ୍ରେସ ନେତା ନବୀନ ନିବାସ ଘେରାଉ ପାଇଁ ଯାଉଥିବା ବେଳେ ଶିଶୁଭବନ ନିକଟରେ କମିସନ୍‌ରେଟ୍‌ ପୁଲିସ ସହ ମୁହାଁମୁହିଁ ହୋଇଥିଲା। ଏଥିରେ ନେତାମାନେ ବ୍ୟାପକ ଭଙ୍ଗାରୁଜା କରିବା ସହ ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ। ପୁଲିସ ଗାଡ଼ି ଭାଙ୍ଗିବା ସହ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସକୁ କାର୍ଯ୍ୟରେ ବାଧା ଦେବା ସହ ଆକ୍ରମଣ ଉଦ୍ୟମ କରିଥିବାରୁ କ୍ୟାପିଟାଲ ଥାନା ପୁଲିସ ଏକ ମାମଲା ରୁଜୁ କରି ୬ ଛାତ୍ର ନେତାଙ୍କୁ ଗିରଫ କରିଥିଲା। ଏଥିରେ ଛାତ୍ର କ˚ଗ୍ରେସ ସଭାପତି ଇତିଶ୍‌ ପ୍ରଧାନ ରହିଥିଲେ।

By amfnews

Related Post