ସିଡନୀ, ଜାନୁଆରୀ ୦୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚର ଶୃଙ୍ଖଳା ଅନ୍ତିମ ପର୍ଯ୍ୟାୟରେ ପହଂଚିଛି । ଭାରତ ୩ଟି ମ୍ୟାଚ ଖେଳିବା ପରେ ଶୃଙ୍ଖଳାରେ ୨-୧ରେ ଅଗ୍ରଣୀ ରହିଛି । ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଜାନୁଆରୀ ୩ରୁ ଆରମ୍ଭ ହେଉଥିବା ୪ର୍ଥ ମୁକାବିଲା ପରେ ଶୃଙ୍ଖଳା ନିର୍ଣ୍ଣାୟକ ହେବ । ଭାରତକୁ ଅଷ୍ଟ୍ରେଲିଆରେ ପ୍ରଥମ ଟେଷ୍ଟ ଜିତିବାୁ ହେଲେ ସିଡନୀରେ ବିଜୟ ଅଥବା ଡ୍ର କରିବାକୁ ପଡ଼ିବ । ଅନ୍ୟପକ୍ଷରେ କଙ୍ଗାଳୁ ଦଳ ଏହି ମ୍ୟାଚ ଜିତି ଶୃଙ୍ଖଲାକୁ ସମାନ ସ୍ତରରେ ଆଣିବାକୁ ଉଦ୍ୟମ କରିବ । ମ୍ୟାଚ ବିଜୟ ପାଇଁ କୋହଲିଙ୍କ ସେନା ରଣନୀତି ପ୍ରସ୍ତୁତି କରିଛି । ଭାରତୀୟ ଖେଳାଳିମାନେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ।
ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ରୋମାଂଚକର ଶୃଙ୍ଖଳା ଜାରି ରହିଛି । ଦର୍ଶକ, ପ୍ରଶଂସକ ଓ ଖେଳପ୍ରେମୀଙ୍କ ନଜର ଆଗାମୀ ୫ ଦିନ ସିଡନୀ କ୍ରିକେଟ ଷ୍ଟାଡିୟମ ଉପରେ ରହିବ । ଷ୍ଟାଡିୟମର ରେକର୍ଡ ଯଦି ଦେଖିବା ତା’ହେଲେ ଫଳାଫଳ ଅଷ୍ଟ୍ରେଲିଆ ସପକ୍ଷରେ ଯିବ । କାରଣ ଭାରତକୁ ଅଷ୍ଟ୍ରେଲିଆ ଏହି ପଡ଼ିଆରେ ୫ ଥର ପରାସ୍ତ କରିଛି । ମାତ୍ର ଏହି ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଭାରତ କେବଳ ଥରଟିଏ ପରାସ୍ତ କରିଛି । ହେଲେ ଭାରତୀୟ ବ୍ୟାଟ୍ସମ୍ୟାନ ସିଡନୀ ଷ୍ଟାଡିୟମରେ ଭଲ ବ୍ୟାଟିଂ କରିଥାନ୍ତି ।
ଭାରତ ସିଡନୀରେ ୧୧ ଟେଷ୍ଟ ମ୍ୟାଚ ଖେଳିଛି । ଏଥିରୁ କେବଳ ଗୋଟିଏ ମୁକାବିଲାରେ ବିଜୟୀ ହୋଇଛି । ଭାରତକୁ ଏହି ବିଜୟ ୪୦ ବର୍ଷ ପୂର୍ବରୁ ମିଳିଥିଲା । ଅର୍ଥାତ୧୯୭୮ରେ ବିସନ ସିଂହ ବେଦୀଙ୍କ ଅଧିନାୟକତ୍ୱରେ ଭାରତ ଏଥିରେ ଜିତିଥିଲା । ଅନ୍ୟ ୧୦ଟି ମ୍ୟାଚ ମଧ୍ୟରୁ ଅଷ୍ଟ୍ରେଲିଆ ୫ଟି ଜିତିଥିବା ବେଳେ ୫ଟି ମ୍ୟାଚ ଡ୍ର ଥିଲା ।
ସିଡନୀ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ମୋଟ ୧୦୬ ଟେଷ୍ଟ ମ୍ୟାଚ ଖେଳିଛି । ଏଥିରୁ ୫୯ ମ୍ୟାଚ ଜିତିଥିବା ବେଳେ ୨୮ ହାରିଛି ଓ ୧୯ ମ୍ୟାଚ ଡ୍ର ରହିଛି । ଭାରତ ୧୯୭୮ ପରେ ସିଡନୀରେ ୮ ଟେଷ୍ଟ ମ୍ୟାଚ ଖେଳିଛି କିନ୍ତୁ ବିଜୟ ପାଇଁ ଅପେକ୍ଷା କରିବାକୁ ପଡ଼ିଛି ।