Tue. Dec 24th, 2024

ଆସନ୍ତାକାଲି ଚତୁର୍ଥ ଦିନିକିଆ: ଭାରତ ପାଇଁ ବିଜୟ ଜରୁରୀ

By amfnews Oct 28, 2018 #Featured
234 Views

 ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଆସନ୍ତକାଲି ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ୍ ମୁମ୍ବାଇର ବାର୍ଣ୍ଣୋନ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଜିତି ସିରିଜରେ ଅଗ୍ରଣୀ  ହାସଲ କରିବା ଲକ୍ଷ୍ୟ ନେଇ ଉଭୟ ଦଳ ପଡ଼ିଆକୁ ଓହ୍ଲାଇବେ। ପ୍ରଥମ ତିନୋଟି ମ୍ୟାଚ୍ ପରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଏବେ ୧-୧ରେ ଡ୍ର ରହିଛି। ପ୍ରଥମ ଦିନିକିଆ ହାରିବା ପରେ ଓ୍ଵେଷ୍ଟଇଣ୍ଡିଜ ଦ୍ଵିତୀୟ ମ୍ୟାଚକୁ ଡ୍ର ରଖିବା ଏବଂ ତୃତୀୟ ମ୍ୟାଚରେ ଭାରତକୁ ପରାଜିତ କରି ଏହା ସାବ୍ୟସ୍ତ କରିଛି ଯେ ଆମେ ମଧ୍ୟ କାହାରିଠୁ କିଛି କମ ନୁହଁ। ଆସନ୍ତାକାଲି ମ୍ୟାଚରେ ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମଧ୍ୟ ମିଳିପାରେ। ଏହା ପୂର୍ବରୁ ଭାରତର ନଜର ଚୂଡ଼ାନ୍ତ ଏକାଦଶରେ ଉତ୍ତମ ସମନ୍ଵୟ ବଜାୟ ରଖିବା ଉପରେ ରହିଛି।

ଭାରତୀୟ ଦଳ ଶନିବାର ପୁଣେରେ ପଞ୍ଚମ ବିଶେଷଜ୍ଞ ବୋଲର ସହିତ ପଡିଆକୁ ଓହ୍ଲାଇଥିଲେ ମଧ୍ୟ ଦଳକୁ ପରାଜୟ ସାମ୍ନା କରିବାକୁ ପଡ଼ିଛି। ସିରିଜ୍ ଏବେ ୧-୧ରେ ଡ୍ର ରହିଛି ଏବଂ ଦୁଇଟି ମ୍ୟାଚ୍ ଖେଳାଯିବ ବାକି ରହିଛି। ଟେଷ୍ଟ ସିରିଜରେ ଶୋଚନୀୟ ଭାବେ ପରାଜିତ ହେବା ପରେ ଯେପରି ଭାବେ ଓ୍ଵେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚରେ ଭାରତକୁ କଡ଼ା ଟକ୍କର ଦେଇଛି ତାହା ଦଳର ମନୋବଳକୁ ବହୁତ ଉର୍ଦ୍ଧ୍ଵରେ ରଖିଛି।

ମଧ୍ୟକ୍ରମରେ ନିରନ୍ତରତାର ଅଭାବ ଓ ମହେନ୍ଦ୍ର ସିଂହ ଧୋନୀଙ୍କ ଖରାପ ଫର୍ମର ପରିଣାମ ଭାରତକୁ ଭୋଗିବାକୁ ପଡ଼ୁଛି। ଭାରତକୁ ଇଂଲଣ୍ଡରେ ଆଗାମୀ ବର୍ଷ ହେବାକୁ ଥିବା ବିଶ୍ଵ କପ ପୂର୍ବରୁ କେବଳ ୧୫ଟି ମ୍ୟାଚ୍ ଖେଳିବା ବାକି ରହିଛି। ତେଣୁ ଧୋନୀଙ୍କ ପାଖରେ ଦଳରେ ନିଜର ସ୍ଥାନ ସୁରକ୍ଷିତ ରଖିବା ପାଇଁ ସୀମିତ ସମୟ ରହିଛି।

ପୁଣେରେ ଅମ୍ବତି ରାୟୁଡୁ(୨୨) ଲୟରେ ଆସିବାକୁ ସଫଳ ହୋଇଥିଲେ ମଧ୍ୟ ଚାରି ନମ୍ବର ସ୍ଥାନରେ ନିଜର ବ୍ୟାଟିଂ ପକ୍କା କରିବାକୁ ହେଲେ ତାଙ୍କୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।  ଗତ ମ୍ୟାଚରେ ଧୋନୀଙ୍କ ପୂର୍ବରୁ ବ୍ୟାଟିଂ କରିବାକୁ ଆସିଥିବା ଋଷଭ ପନ୍ତ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ ମଧ୍ୟ ନିଜର ପଦାର୍ପଣ ଦିନିକିଆ ସିରିଜରେ ତାଙ୍କଠୁ ଉପଯୋଗୀ ପାଳି ଚାହୁଁଛି ଦଳ।

ଚୟନକର୍ତ୍ତା ଅନ୍ତିମ ଦୁଇଟି ମ୍ୟାଚ ପାଇଁ କେଦାର ଯାଧବଙ୍କୁ ଦଳରେ ସାମିଲ କରିଛନ୍ତି। ଯାହା ଭାରତର ଶକ୍ତିକୁ ମଜବୁତ କରିଛି। ଜଙ୍ଘରେ ମାଂସପେଶୀ ଟାଣି ଧରିବାରୁ ସେ  ଏସିଆ କପ ଅଧାରୁ ଦଳରୁ ବାହାରି ଯାଇଥିଲେ। ମାତ୍ର ଦେଓଧର ଟ୍ରଫିରେ ଆଘାତଜନିତ ସମସ୍ୟାରୁ ମୁକୁଳି କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବା ସହିତ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି।  ଯାଧବଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଓ ଅଫ ସ୍ପିନ ବୋଲିଂ ଭାରତ ପାଇଁ ବହୁତ ଉପଯୋଗୀ ସାବ୍ୟସ୍ତ ହେବ।

ଓପନିଂରେ ଶିଖର ଧାଓ୍ଵନ ଓ ରୋହିତ ଶର୍ମା  ଦୁଇଟି ମ୍ୟାଚରେ ବିଫଳ ହୋଇଥିଲେ ମଧ୍ୟ ଦଳ ଆଗାମୀ ମ୍ୟାଚରେ ଉଭୟଙ୍କଠୁ ବଡ଼ ପାଳିର ଆଶା ରଖିଛି। ଅନ୍ୟ ପଟେ ଯଶପ୍ରୀତ ବୁମରା ଦଳକୁ ଫେରି ଶନିବାର ତୃତୀୟ ଦିନିକିଆରେ ୪ ଓ୍ଵିକେଟ୍ ନେଇଛନ୍ତି। ଅନ୍ୟ ପଟେ  ଭୁବନେଶ୍ଵର କୁମାର ଡେଥ ଓଭରରେ ଅଧିକ ରନ ଦେଇଥିଲେ ମଧ୍ୟ ଚତୁର୍ଥ ଦିନିକିଆରେ ତାଙ୍କ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ବିରୋଧୀ ଦଳ ବ୍ୟାଟସମ୍ୟାନଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ସ୍ପିନର ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କ ଭୂମିକା ମହତ୍ଵପୂର୍ଣ୍ଣ ରହିବ।

ଅନ୍ୟ ପଟେ ପ୍ରଶଂସକ କୋହଲିଙ୍କ ବ୍ୟାଟରୁ ଆଉ ଏକ ଶତକ ଆଶାର ରହିବ ମାତ୍ର ଅଧିନାୟକ ଚାହିଁବେ ଯେ  ଦଳଗତ ରୂପେ ଖେଳାଳି ଉତ୍ତମ ପ୍ରଦର୍ଶନ କରନ୍ତୁ। ଓ୍ଵେଷ୍ଟଇଣ୍ଡିଜ ପାଇଁ ସବୁଠୁ ବଡ଼ ଚିନ୍ତାର କାରଣ ଅଧିନାୟକ ବିରାଟ କୋହଲି ହୋଇଛନ୍ତି।  ଦଳର ସବୁଠୁ ବଡ଼ ଆଶା ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ସାଇ ହୋପଙ୍କ ଉପରେ ରହିଛି। ସେ ବିଶାଖାପାଟଣାରେ ୧୨୩ ଓ ପୁଣେରେ ୯୫ ରନର ମହତ୍ଵପୂର୍ଣ୍ଣ ପାଳି ଖେଳିଥିଲେ। ହେଟମାୟରଙ୍କୁ ମଧ୍ୟ ଦଳ ବଡ଼ ପାଳିର ଆଶା ରଖିଛି। ଏହି ବାମହାତୀ ବ୍ୟାଟସମ୍ୟାନ ସିରିଜରେ ୧୦୬ ଓ ୯୪ ରନର ପାଳି ଖେଳିଛନ୍ତି।

ଦଳକୁ ଏହି ଦୁଇ ଖେଳାଳିଙ୍କ ବ୍ୟତୀତ କିରନ ପାଓ୍ଵେଲ, ଚନ୍ଦ୍ରପଲ ହେମରାଜ ଓ ରୋଭମାନ ପାଓ୍ଵେଲଙ୍କ ପରି ଖେଳାଳିଙ୍କୁ ମଧ୍ୟ ଭଲ ପ୍ରଦର୍ଶନର ଆଶା ରହିବ। ଅନୁଭବୀ ମାର୍ଲନ ସାମୁଏଲ୍ସ  ତୃତୀୟ ଦିନିକିଆରେ  ୩ ଓ୍ଵିକେଟ୍ ନେଇ ବଲରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ତାଙ୍କର ବ୍ୟାଟରୁ ଏ ପର୍ୟ୍ୟୃନ୍ତ ରନ ବାହାରି ନାହିଁ। ଅନ୍ୟ ପଟେ  ଅଧିନାୟକ ଜାସନ ହୋଲଡର ମଧ୍ୟ ନିଜର ଯୋଗଦାନ ଦେବାକୁ ଚାହିଁବେ।

ଦଳ ଏହି ପ୍ରକାର

ଭାରତ- ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା,  ଶିଖର ଧାଓ୍ଵନ, ଅମ୍ବତି ରାୟୁଡୁ, ଋଷଭ ପନ୍ତୱ ଏମ ଏସ ଧୋନୀ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ,  ଭୁବନେଶ୍ଵର କୁମାର, ଯଶପ୍ରୀତ ବୁମରା, ଖଲିଲ ଅହମ୍ମଦ, ଉମେଶ ଯାଦବ, ଲୋକେଶ ରାହୁଲ, ମନୀଷ ପାଣ୍ଡେ ଓ କେଦାର ଯାଧବ।

ଓ୍ଵେଷ୍ଟଇଣ୍ଡିଜ- ଜାସନ ହୋଲଡର(ଅଧିନାୟକ), ଫାବିୟାନ ଏଲେନ, ସୁନିଲ ଅମ୍ବରିସ, ଦେବେନ୍ଦ୍ର ବିଶୁ, ଚନ୍ଦ୍ରପଲ ହେମରାଜ, ସିମରନ ହେଟମାୟର, ସାଇ ହୋପ, ଅଲଜାରୀ ଯୋଶେଫ, ଏଭିନ ଲୁଇସ, ଆସ୍ଲେ ନର୍ସ, କିମୋ ପଲ, ରୋଭମ୍ୟାନ ପାଓ୍ଵେଲ, କେମାର ରୋଚ ଓ ମାର୍ଲନ ସାମୁଏଲ୍ସ।

By amfnews

Related Post