Fri. Mar 6th, 2026

ଆସନ୍ତା ୯ ରୁ ଏମ୍‌ସରେ ‘ଆନିମିଆ ମୁକ୍ତ ଓଡ଼ିଶା’ କାର୍ଯ୍ୟକ୍ରମ

394 Views

ଖଣ୍ତଗିରି : ଆସନ୍ତା ମାସ ୯ ତାରିଖରୁ ଭୁବନେଶ୍ୱର ଏମ୍‌ସ ପକ୍ଷରୁ ‘ଆନିମିଆ ମୁକ୍ତ ଓଡ଼ିଶା’ କାର୍ଯ୍ୟକ୍ରମ ଆରମ୍ଭ ହେବ। ରାଜ୍ୟ  ସ୍ୱାସ୍ଥ୍ୟ ବିଭାଗ , ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ ଓ ୟୁନିସେଫ୍‌ର ମିଳିତ ସହଯୋଗରେ ଏବ˚ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିର୍ଦେଶକ୍ରମେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ଏହି ୩୦ ଦିନିଆ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ବର୍ଗର ରକ୍ତହୀନତା ରୋଗୀମାନଙ୍କୁ ମାଗଣାରେ ଚିକିତ୍ସା ସେବା ମଧ୍ୟ ଉପଲବ୍‌ଧ ହେବ। ‘ଟ୍ରିଟ୍‌ ଆଣ୍ତ୍‌ ଟେଷ୍ଟ’ ଭିତ୍ତିରେ ଏହି କାର୍ଯ୍ୟକ୍ରମକୁ ସଫଳ କରାଯିବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି।

ଏମ୍‌ସ ଭୁବନେଶ୍ୱର କମ୍ୟୁନିଟି ଆଣ୍ତ ଫ୍ୟାମିଲି ମେଡିସିନ୍‌ ବିଭାଗ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି ଯେ ଦେଶରେ ଓ ଓଡ଼ିଶାରେ ରକ୍ତହୀନତା ଏକ ବଡ଼ ବ୍ୟାଧିଭାବେ ଉଭା ହୋଇଛି। ଛୋଟ ଶିଶୁ ଓ ମହିଳାମାନଙ୍କ(ପ୍ରସୂତି) କ୍ଷେତ୍ରରେ ଏହି ରୋଗ ମାରାତ୍ମକ। ସଚେତନତା ଓ ଉପଯୁକ୍ତ ଚିକିତ୍ସା ଅଭାବରୁ ଏହା ଘଟୁଛି। ତେଣୁ ନୀତି ଆୟୋଗଙ୍କ ସୁପାରିସ ଅନୁସାରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏଭଳି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ନୂଆଦିଲ୍ଲୀ ଏମ୍‌ସର ପ୍ରତ୍ୟେକ୍ଷ ତତ୍ବାବଧାନରେ ଭୁବନେଶ୍ୱର ଏମ୍‌ସରେ ଏହି କାର୍ଯ୍ୟକ୍ରମ କରାଯିବ। ଏଥିସହିିତ ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଖୋର୍ଧା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଭୁବନେଶ୍ୱର ଆଇଆର‌୍‌ସି ଭିଲେଜସ୍ଥିତ ଅର୍ବାନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏମ୍‌ସ ଡାକ୍ତରମାନେ ଉପସ୍ଥିତ ରହି ଏପ୍ରକାର ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇଦେବେ।

By amfnews

Related Post