Sat. Nov 23rd, 2024

ଆର୍ଏସ୍ସିଏଲ୍ର ମହାନଗର ସ୍ତରୀୟ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ : ବିଭିନ୍ନ ପ୍ରକଳ୍ପର ସ୍ଥିତି ଓ ଆଗାମୀ ଯୋଜନା ସମ୍ପର୍କରେ ହେଲା ବିସ୍ତୃତ ଆଲୋଚନା

rklsanchar@gmail.com' By J.N. Pradhan Jul 13, 2018 #Featured
209 Views

ରାଉରକେଲା, ୧୩/୭ : ଆର୍ଏସ୍ସିଏଲ୍ ପକ୍ଷରୁ ସ୍ଥାନୀୟ ଉଦିତନଗର ସ୍ଥିତ ସିଟି ଅଡିଟୋରିୟମ ଠାରେ ସିଟି ଲେଭଲ ଆଡଭାଇଜରି ଫୋରମ (କ୍ଲାଫ୍) ବା ମହାନଗର ସ୍ତରୀୟ ଉପଦେଷ୍ଟା ମଣ୍ଡଳୀର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପରିଷଦ ସଦସ୍ୟମାନଙ୍କୁ ଆର୍ଏସ୍ସିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିତା ପଣ୍ଡା ବିଭିନ୍ନ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ତଥା ଆଗାମୀ ଦିନରେ କାର୍ଯ୍ୟକାରୀ ହେବାକୁ ଥିବା ପ୍ରକଳ୍ପଗୁଡିକ ନିମନ୍ତେ ଚାଲିଥିବା ଆନୁଷଙ୍ଗିକ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ ।

ଶ୍ରୀମତୀ ପଣ୍ଡା ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ପ୍ରତ୍ୟେକ ପ୍ରକଳ୍ପ ସମ୍ପର୍କରେ ଉପଦେଷ୍ଟା ମଣ୍ଡଳୀ ସଦସ୍ୟମାନଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ । ଶ୍ରୀମତୀ ପଣ୍ଡା କହିଲେ ଯେ, ସବୁଜ ରାଉରକେଲା ପ୍ରକଳ୍ପ ଅଧିନରେ ୬ଟି ସ୍ମାର୍ଟ ପାର୍କ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଛି । ଆସନ୍ତା ଅଗଷ୍ଟ ମାସ ଶେଷ ସୁଦ୍ଧା ଏହାର ନିର୍ମାଣ କାମ ଆରମ୍ଭ ହେବ । ସେହିପରି ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମ ଦ୍ୱିତୀୟ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ, ଆମ୍ବେଦକର ଛକରୁ ପାନପୋଷ ଛକ ପର୍ଯ୍ୟନ୍ତ ସ୍ମାର୍ଟ ରୋଡ୍ ନିର୍ମାଣ, ବିର୍ସା ଷ୍ଟାଡିୟମ, ବିଶ୍ରା ଛକରେ ବହୁତଳ ବିଶିଷ୍ଟ ପାର୍କିଂ ସ୍ଥଳ ଏବଂ ସିସିଟିଭ. ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା ପାଇଁ ସ୍ମାର୍ଟ ସଲ୍ୟୁସନ ଆଦି ପ୍ରକଳ୍ପର ଡିଟେଲଡ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ ଶେଷ ହୋଇଛି ।

ଆସନ୍ତା ଅଗଷ୍ଟ ମାସ ସୁଦ୍ଧା ଉପରୋକ୍ତ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶ୍ରୀମତୀ ପଣ୍ଡା ଉପଦେଷ୍ଟା ମଣ୍ଡଳୀ ସଦସ୍ୟମାନଙ୍କୁ ଜଣାଇଥିଲେ । ଉପଦେଷ୍ଟା ମଣ୍ଡଳୀର ସମ୍ମାନୀୟ ସଦସ୍ୟମାନେ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ସମ୍ପର୍କରେ ବିଭିନ୍ନ ପ୍ରଶ୍ନ ଉତ୍ଥାପନ କରିଥିଲେ ଏବଂ ଏହା ସମ୍ପର୍କରେ ଅଧିକ ଜାଣିବାକୁ ଇଚ୍ଛା କରିଥିଲେ । ଯାହାର ଉତ୍ତରରେ ଶ୍ରୀମତୀ ପଣ୍ଡା କହିଲେ ଯେ, ବର୍ତ୍ତମାନ ସୁଦ୍ଧା ସୁରକ୍ଷିତ ରାଉରକେଲା ପ୍ରକଳ୍ପ ମାଧ୍ୟମରେ ୯ ହଜାର ଏଲ୍ଇଡି ଲାଇଟ୍ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ବେଳେ ଆହୁରି ୩ ହଜାର ଏଲ୍ଇଡି ଲାଇଟ୍ ଚଳିତ ମାସ ଶେଷ ସୁଦ୍ଧା ଲଗାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ସ୍ୱେରେଜ୍ ପ୍ରକଳ୍ପ ଅନ୍ତର୍ଗତ ୧୮୬ କିଲୋ ମିଟର ପାଇପ୍ ଲାଇନ ମଧ୍ୟରୁ ୭୪ କିଲୋମିଟର ପାଇପ୍ ଲାଇନ ବିଛା ଯାଇଛି । ସ୍ୱେରେଜ୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ଓ ପମ୍ପିଙ୍ଗ ଷ୍ଟେସନ କାମ ବି ଜୋରସୋରରେ ଚାଲିଛି । ପିଙ୍କ ଅଟୋ ପ୍ରକଳ୍ପ ମାଧ୍ୟମରେ ବର୍ତ୍ତମାନ ୨୧ ଜଣ ମହିଳା ଅଟୋ ରିକ୍ସା ଚଳାଇ ସମ୍ମାନର ସହ ଜୀବନଯାପନ କରୁଛନ୍ତି ଏବଂ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମର ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଚାଲିଛି । ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ପ୍ରକଳ୍ପ ଗୁଡିକୁ ସୁଚାରୁରୂପେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିବା ତଥା ଏହାର ସଠିକ୍ କାର୍ଯ୍ୟକାରିତା ଦିଗରେ ନାଗରିକମାନଙ୍କ ସହଯୋଗ ଏକାନ୍ତ ଆବଶ୍ୟକ । ତେଣୁ ପ୍ରତ୍ୟେକ ପ୍ରକଳ୍ପର ରୂପରେଖ ଚୂଡାନ୍ତ କରିବା ପୂର୍ବରୁ ନାଗରିକ ସହଭାଗିତା କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ତେଣୁ ସାଧାରଣ ନାଗରିକମାନେ ମଧ୍ୟ ଆଗେଇ ଆସି ସେମାନଙ୍କ ସୁଚିନ୍ତିତ ମତାମତ ଓ ପରାମର୍ଶ ଦେବାକୁ ଶ୍ରୀମତୀ ପଣ୍ଡା ଅନୁରୋଧ କରିଥିଲେ ।

ବୈଠକରେ ରାଜଗାଙ୍ଗପୁର ବିଧାୟକ ମଙ୍ଗଳା କିଷାନ, ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ଅଧ୍ୟକ୍ଷ ସନ୍ତୋଷ ଅମାତ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିବାବେଳେ ରାଉରକେଲା ମହାନଗର ନିଗମ ଉପାୟୁକ୍ତ ସୁଷମା ବିଲୁଙ୍ଗ ଧନ୍ୟବାଦ ଦେଇଥିଲେ ।

Related Post