Wed. Dec 25th, 2024

ଆର୍ଏସ୍ପିରେ ଠିକା ଶ୍ରମିକଙ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଆୟୋଜିତ

rklsanchar@gmail.com' By J.N. Pradhan Jul 20, 2018 #Featured
243 Views

ରାଉରକେଲା, ୨୦/୭  : ରାଉରକେଲା ଇସ୍ପାତ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସ-୫ ଅଞ୍ଚଳରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ପାଇଁ ଜୁଲାଇ ୧୮ ତାରିଖରେ ଏକ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଆୟୋଜିତ ହୋଇଥିଲା । ଏହି ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିରରେ ବ୍ଲାଷ୍ଟ ଫର୍ଣ୍ଣେସ-୫ ଅଞ୍ଚଳରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକମାନେ ନିଜନିଜ ସ୍ୱାସ୍ଥ୍ୟ ପରୀକ୍ଷଶ କରିଥିଲେ । ଶିବିରରେ ପ୍ରାୟ ୨୫୨ ଜଣ ଠିକା ଶ୍ରମିକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସମ୍ପନ୍ନ ହୋଇଥିଲା ।

ସେମାନଙ୍କ ଉଚ୍ଚତା, ଓଜନ, ବଡି ମାସ ଇଣ୍ଡେକ୍ସ, ଚକ୍ଷୁ ପରୀକ୍ଷା, ରକ୍ତଚାପ, ରକ୍ତ ଶର୍କରା, ବ୍ଲଡ ଗ୍ରୁପିଙ୍ଗ, ହେପାଟିଟିସ ବି ଏବଂ ଶ୍ରବଣ ଓ ପଲ୍ସ ହାର ଭଳି ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା ସମ୍ପନ୍ନ କରାଯାଇଥିଲା । ଶିବିରରେ ଚିହ୍ନଟ ରୋଗୀମାନଙ୍କ ମାଗଣାରେ ଔଷଧ ବିତରଣ କରାଯାଇଥିଲା । ଠିକା ଶ୍ରମିକମାନଙ୍କ ଏଚ୍ଆଇଭି ସମ୍ବନ୍ଧୀୟ ପରାମର୍ଶ ମଧ୍ୟ ପ୍ରଦାନ କରାଯାଇଥିଲା । ସର୍ଭିସେସ ଓ ୟୁଟିଲିଟିଜ ବିଭାଗର ଜିଏମ ଇନ ଚାର୍ଜ ଶ୍ରୀ ଗୌତମ ବାନାର୍ଜୀ ଏବଂ ବ୍ଲାଷ୍ଟ ଫର୍ଣ୍ଣେସ ବିଭାଗର ଜିଏମ ଶ୍ରୀ ଅତନୁ ଭୌମିକ ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ କରିବା ସହିତ ଠିକା ଶ୍ରମିକଙ୍କ ସହ ମତବିନିମୟ ମଧ୍ୟ କରିଥିଲେ ।

ଏହି ଅବସରରେ କାରଖାନାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଉକ୍ତ ସ୍ୱାସ୍ଥ୍ୟଶିବିରରେ ବୃତ୍ତିଗତ ସ୍ୱାସ୍ଥ୍ୟ କେନ୍ଦ୍ରର ସିନିୟର ଡେପୁଟି ଡାଇରେକ୍ଟର ଡକ୍ଟର ତରୁଣାଦିତ୍ୟ ମିଶ୍ର, ଆଇଜିଏଚ୍ର ମେଡିକାଲ ଅଫିସର ଡକ୍ଟର ସାହିଦ, କର୍ମଚାରୀ ରାଜ୍ୟ ବୀମା କର୍ପୋରେସନ ମଡେଲ ହସ୍ପିଟାଲର ଡକ୍ଟର ଶୈଲ୍ୟା ଏବଂ ଇଏସଆଇସି ଡିଶପେନସରିର ଡକ୍ଟର ରୀନା କୁଜୁର ଓ ଡକ୍ଟର ଏ କେ ନାୟକ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଉଲ୍ଲେଖନୀୟ ଯେ, ଆରଏସପିରେ କାର୍ଯ୍ୟରତ ଠିକା ଶ୍ରମିକଙ୍କ ନିମନ୍ତେ ଏହା ୪୦ତମ ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଥିଲା ।

୨୦୧୩ ଅପ୍ରେଲ ମାସରେ ଆରମ୍ଭ ହୋଇଥିବା ଯୋଜନା ଅଧୀନରେ ଅଦ୍ୟାବଧି ୧୦୦୨୨ ଜଣ ଠିକା ଶ୍ରମିକଙ୍କର ସ୍ୱାସ୍ଥ୍ୟ ପରୀକ୍ଷଶ ସମ୍ପନ୍ନ ହୋଇଛି । ଏହି କାର୍ଯ୍ୟକ୍ରମ କାର୍ମିକ ଠିକା ଶ୍ରମିକ ସେଲ ଦ୍ୱାରା ଆଇଜିଏଚ ଓ କର୍ମଚାରୀ ରାଜ୍ୟ ବୀମା କର୍ପୋରେସନ ମଡେଲ ହସ୍ପିଟାଲ ଏବଂ ଇଏସଆଇସି ଡିସ୍ପେନସରିର ସହଭାଗିତାରେ ଅନୁଷ୍ଠିତ ହେଉଛି । କାର୍ମିକ ଠିକା ଶ୍ରମିକ ସେଲର ଡିଜିଏମ ଟି.ଜି. କାନେକର ଏବଂ ବ୍ଲାଷ୍ଟ ଫର୍ଣ୍ଣେସ ବିଭାଗର ଡିଜିଏମ ବିପିନ ସର୍ତପେ କାର୍ମିକ ଠିକା ଶ୍ରମିକ ସେଲର ଷ୍ଟାଫଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Related Post