Sat. Jan 11th, 2025

ଆର୍ଏସ୍ପିର ବାର୍ଷିକ ଉଦ୍ୟାନକୃଷି ପ୍ରଦର୍ଶନୀରେ ବିପୁଳ ସଂଖ୍ୟକ ପରିଦର୍ଶକଙ୍କ ସମାଗମ

By amfnews Jan 9, 2019 #Featured
160 Views

ରାଉରକେଲା, ୯ା୧  : ସେଲ ରାଉରକେଲା ଇସ୍ପାତ କାରଖାନାର ଉଦ୍ୟାନକୃଷି ବିଭାଗ ଦ୍ୱାରା ଜାନୁଆରୀ ୫ ଓ ୬ ତାରିଖରେ ମନୋରମ ଜୁବୁଲି ପାର୍କ, ସେକ୍ଟର-୮ ଠାରେ ଆୟୋଜିତ ୫୩ ତମ ବାର୍ଷିକ ଉଦ୍ୟାନକୃଷି ପ୍ରଦର୍ଶନୀରେ ବିପୁଳ ସଂଖ୍ୟକ ପରିଦର୍ଶକଙ୍କ ସମାଗମ ପରିଲକ୍ଷିତ ହୋଇଥିଲା । ପ୍ରଦର୍ଶନୀରେ ପ୍ରଦର୍ଶିତ ବିବିଧ ରଙ୍ଗ ଓ ପ୍ରଭେଦର ଫୁଲ, ଫଳ ଓ ପନିପରିବାର ଆନନ୍ଦ ନେବା ପାଇଁ ବହୁସଂଖ୍ୟକ ଦର୍ଶକଙ୍କ ଆଗମନରେ ସବୁଜ ଘାସଗାଲିଚା ଆଚ୍ଛାଦିଦ ଉଦ୍ୟାନଭରା ସୌନ୍ଦର୍ଯ୍ୟମୟୀ ଜୁବୁଲି ପାର୍କ ଚଳଚଞ୍ଚଳ ହୋଇଉଠିଥିଲା । ପରିଦର୍ଶକମାନେ ପ୍ରଦର୍ଶିତ ଆକର୍ଷଣୀୟ ଫଳପୁଷ୍ପର ପ୍ରଶଂସାରେ ଶତମୁଖର ହେଉଥିବା ପରିଲକ୍ଷିତ ହେଉଥିଲା । ଇସ୍ପାତ ସହରର ଦୀର୍ଘ ପ୍ରତିକ୍ଷିତ ଏହି ଚିତ୍ତାକର୍ଷକ ପ୍ରଦର୍ଶନୀକୁ ଆରଏସପିର ସିଇଓ ଅଶ୍ୱିନୀ କୁମାର ଗତ ୫ ତାରିଖରେ ଉଦଘାଟନ କରିଥିଲେ ।

ଶ୍ରୀ କୁମାର ଏହି ମନୋରମ ପ୍ରଦର୍ଶନୀକୁ ଦୀପିକା ମହିଳା ସଂଘତି ଅଧ୍ୟକ୍ଷା ସବିତା କୁମାର, ପ୍ରକଳ୍ପ ବିଭାଗର ଇଡି ରାଜୀବ ଅଗ୍ରୱାଲ, କାର୍ମିକ ଓ ପ୍ରଶାସନ ବିଭାଗ ଇଡି ରାଜବୀର ସିଂହ, କାର୍ଯ୍ୟ ବିଭାଗ ଇଡି ଗୌତମ ବାନାର୍ଜୀ, ସାମଗ୍ରୀ ପରିଚାଳନା ବିଭାଗ ଇଡି ଦିଲ୍ଲୀପ କୁମାର ମହାପାତ୍ର, ସହର ପ୍ରଶାସନ ଓ ସିଏସଆର ବିଭାଗ ଜିଏମ୍ ଅଜୟ କୁମାର ନାୟକ ତଥା ଆରଏସପିର ଅନ୍ୟ ବହୁ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ । ସିଇଓ ଅନ୍ୟ ଅତିଥିମାନଙ୍କ ଗହଣରେ ପ୍ରଦର୍ଶନୀ ପରିଦର୍ଶନ କରିବା ସହ ପ୍ରଦର୍ଶିତ ଫଳପୁଷ୍ପର ଭୂୟସୀ ପ୍ରଶଂସା କରିଥିଲେ । ଏହି ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏଭଳି ଏକ ବିଶାଳ ପ୍ରଦର୍ଶନୀର ଆୟୋଜନ ନିମନ୍ତେ ସେ ଉଦ୍ୟାନକୃଷି ବିଭାଗର ଉଚ୍ଚ ପ୍ରଶଂସା କରିଥିଲେ ।

“ପରିବେଶର ସୁରକ୍ଷା ନିମନ୍ତେ ଉଦ୍ୟାନର ବିକାଶ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ବିଶ୍ୱକୁ ଅଧିକ ସୁନ୍ଦର ଗଢିତୋଳିବା ନିମନ୍ତେ ପ୍ରତ୍ୟେକଙ୍କ ଉଦ୍ୟାନସୃଷ୍ଟିରେ ନିଜର ବୃହତ୍ତର ଅବସର ସମୟ ନିବେଶ କରିବା ଆବଶ୍ୟକ” ବୋଲି ସେ ଉଲ୍ଳେଖ କରିଥିଲେ । ଜାନୁଆରୀ ୬ ତାରିଖରେ ଆୟୋଜିତ ପ୍ରଦର୍ଶନୀର ପୁରସ୍କାର ବିତରଣୀ ଉତ୍ସବରେ ପ୍ରକଳ୍ପ ବିଭାଗର ଇଡି ରାଜୀବ ଅଗ୍ରୱାଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ କାର୍ମିକ ଓ ପ୍ରଶାସନ ବିଭାଗ ଇଡି ରାଜବୀର ସିଂହ, ସହର ପ୍ରଶାସନ ଓ ସିଏସଆର ବିଭାଗ ଜିଏମ୍ ଅଜୟ କୁମାର ନାୟକ, ସହରସେବା ବିଭାଗ ଭାରପ୍ରାପ୍ତ ଡିଜିଏମ୍ ପ୍ରକାଶ ଚନ୍ଦ୍ର ଦାସ ମଞ୍ଚାସୀନ ଥିଲେ । ଅତିଥିମାନେ ପୁରସ୍କାର ବିଜେତାମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।

ସୂଚନାଯୋଗ୍ୟ ଯେ, ଉକ୍ତ ପ୍ରତିଯୋଗିତାର ବିଭିନ୍ନ ବର୍ଗରେ ଗାର୍ଡେନ ସଜ୍ଜା, ଫୁଲ, ପନିପରିବା, ଫଳ, ବନସାଇ, କ୍ୟାକ୍ଟି ଫୁଲଦାନି ସଜ୍ଜିକରଣ, ଫୁଲତୋଡା ପ୍ରସ୍ତୁତି, ଫଳ ବାଉଲ ସଜ୍ଜିକରଣ, ଡିନର ବାଉଲ ସଜ୍ଜିକରଣ, ଫୁଲମାଳା ପ୍ରସ୍ତୁତି ଓ ବଟନହୋଲସ ଆଦିରୁ ମୋଟ ୧୩୧୩ଟି ପ୍ରବେଶିକା ସ୍ଥାନ ପାଇଥିଲା । ଏହି ଅବସରରେ ବିଭିନ୍ନ ବର୍ଗର ବିଜେତାଙ୍କ ପାଇଁ ସମୁଦାୟ ୨୧୮ଟି ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ବଗିଚା ଲେ-ଆଉଟ ପାଇଁ ୨୧ଟି ପୁରସ୍କାର ପ୍ରଦାନ କରାଯାଇଥିଲା । କଟ ଫ୍ଲାୱାର, ପଟ ପ୍ଲାଣ୍ଟ, ଫଳ ଓ ପନିପରିବାର ସମସ୍ତ ବିଭାଗର ସର୍ବାଧିକ ପଏଣ୍ଟ ଲାଭ କରି ସେକ୍ଟର-୭ ଏ-୧୨୪ ନିବାସୀ ବିଷ୍ଣୁ ପରିଡା ସିଇଓଙ୍କ ଟ୍ରଫି ଲାଭ କରିଥିଲେ ।

ପୁରସ୍କାର ଆକାରରେ ସେ ଟ୍ରଫି ସମେତ ୫ ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ପାଇଥିଲେ । ଦ୍ୱିତୀୟ ସର୍ବାଧିକ ପଏଣ୍ଟ ହାସଲ କରି ସେକ୍ଟର-୭, ବି-୧୪୫ ନିବାସୀ ପି.ଆର୍. ମହାନ୍ତି ସିଇଓଙ୍କ ଟ୍ରଫି ଓ ପୁରସ୍କାର ଆକାରରେ ୩ ହଜାର ଟଙ୍କା ପୁରସ୍କାର ରାଶି ଲାଭ କରିଥିଲେ । ପନିପରିବା ଓ ଫଳର ସମସ୍ତ ବର୍ଗରେ ସର୍ବାଧିକ ପଏଣ୍ଟ ହାସଲ କରି ସେକ୍ଟର-୧୮ ସି-୧୨୩ ନିବାସୀ ଏସ୍. ସ୍ୱାଇଁ ଟ୍ରଫି ଓ ପୁରସ୍କାର ଲାଭ କରିଥିଲେ ।

ଗୋଲାପ ହାଇବ୍ରୀଡ ଟି ରୋଜ ମାର୍ଲେ ୨ ହଜାର ପ୍ରଭେଦ ‘କିଙ୍ଗ ଅଫ ଦି ଶୋ’ ପୁରସ୍କାର ଆକାରରେ ସେକ୍ଟର-୧୬ ବି ୯୫ର ବାସିନ୍ଦା ଏସ୍. ଏସ୍. ସାମଲ ଟ୍ରଫି ଲାଭ କରିଥିବା ବେଳେ କୋଏଲ ନଗର ବି-୫୭ ନିବାସୀ ଆରତି ସ୍ୱାଇଁ ‘କୁଇନ ଅଫ ଦି ଶୋ’ ପୁରସ୍କାର ଲାଭ କରିଥିଲେ । ପ୍ରାରମ୍ଭରେ ସହରସେବା ବିଭାଗ ଡିଜିଏମ୍ ପି. କେ. ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ବରିଷ୍ଠ ପଶୁଚିକିତ୍ସା ଅଧିକାରୀ ଓ ଜେଡଡିପି ଇନ୍ଚାର୍ଜ ଡାକ୍ଟର ଏ. ବିଶ୍ୱାସ ଧନ୍ୟବାଦ ଅର୍ପଣ ଜ୍ଞାପନ କରିଥିଲେ । ଲୋକସମ୍ପର୍କ ବିଭାଗ ଜିନିୟର ଅଫିସର ଶଶାଙ୍କ ଶେଖର ପଟ୍ଟନାୟକ ଉଦ୍ଯାପନୀ ଉତ୍ସବ ସଂଯୋଜନା କରିଥିଲେ । ସାଗର ରିଦିମ ଦ୍ୱାରା ପରିବେଷିତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଉତ୍ସବର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ।

By amfnews

Related Post