ରାଉରକେଲା, ୧୧ା୧୨ : ସିଆଇଟିୟୁ ନେତୃତ୍ୱରେ ନୂତନ ଇଡି (ପିଆଣ୍ଡଏ) ରାଜବୀର ସିଂଙ୍କୁ ସାକ୍ଷାତ କରାଯାଇ ତାଙ୍କୁ ସ୍ୱାଗତ କରାଯାଇଛି । ସେଲ୍ର ବିଶେଷ କରି ଆର୍ଏସ୍ପିର ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ତାଙ୍କ ଯୋଗଦାନ ନୂଆ ଆଶା ସଂଚାର ହୋଇଛି ବୋଲି ସିଆଇଟିୟୁ ତରଫରୁ କୁହାଯାଇଛି । ଆର୍ଏସ୍ପିର ସୁରକ୍ଷା, ଉତ୍ପାଦନ ତଥା ଅଗ୍ରଗତି ପାଇଁ ସିଆଇଟିୟୁ ସବୁବେଳେ ଗଠନମୂଳକ ସହଯୋଗ କରିଆସିଛି ଓ ଆଗାମୀ ଦିନରେ ଏହାକୁ ଜାରି ରଖିବ ବୋଲି କୁହାଯାଇଛି ।
ବିଶେଷ କରି ଆର୍ଏସ୍ପି ଶ୍ରମିକମାନଙ୍କ ଦୁର୍ଘଟଣାଜନିତ କ୍ଷୟକ୍ଷତି ଭରଣା ପାଇଁ ଶ୍ରମିକଙ୍କ ନିଜସ୍ୱ ଅନୁଦାନରେ ଉଦ୍ଦିଷ୍ଟ ଦଳଗତ ବୀମା ଯୋଜନା ବନ୍ଦ ହୋଇଯିବା ଠିକ୍ ନୁହେଁ । ଏହାଦ୍ୱାରା ଦୁର୍ଘଟଣାରେ କ୍ଷତିଗ୍ରସ୍ତ ଶ୍ରମିକ ଓ ଅଫିସର କ୍ଷତିଗ୍ରସ୍ତ ହେଉଛନ୍ତି । ତେଣୁ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବାକୁ ସିଆଇଟିୟୁ ପକ୍ଷରୁ ଦାବି କରାଯାଇଛି । ଏଥିସହ ଆଇଜିଏଚ୍ର ଚିକିତ୍ସା ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରାଯିବାକୁ ପ୍ରାଧାନ୍ୟ ଦେବା, ସହରସେବାରେ ଉନ୍ନତି ଆଣିବା ନେଇ ଆଲୋଚନା କରାଯାଇଛି ।
ଶ୍ରୀ ସିଂ ଆଲୋଚନା ବେଳେ ଖୁବ୍ଶୀଘ୍ର ଦଳଗତ ବୀମା କାର୍ଯ୍ୟକାରି କରିବା ଓ ଆଇଜିଏଚ୍ର ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଶ୍ରୀ ସିଂହ ସଠିକ୍ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି । ଏହି ଆଲୋଚନାରେ ଶ୍ରୀ ସିଂଙ୍କ ସହ ପିଆଣ୍ଡଏ ଜିଏମ୍ ରେହେମାନ ଖାନ, ସିଆଇଟିୟୁ ସାଧାରଣ ସମ୍ପାଦକ ବସନ୍ତ ନାୟକ, ଅଶୋକ ମିଶ୍ର, ପି.ସି. ପ୍ରଧାନ, ଏନ୍.ସି. ପାତ୍ର, ସଞ୍ଜୟ ନାୟକ ଓ ସର୍ବେଶ୍ୱର ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।