Tue. Dec 24th, 2024

ଆର୍ଏସ୍ପି ଟାଉନସିପ୍ ଅଞ୍ଚଳରେ ଠିକା ଶ୍ରମିକଙ୍କୁ ଶୋଷଣ ବିରୁଦ୍ଧରେ ସିଆଇଟିୟୁର ବିକ୍ଷୋଭ ପ୍ରଦର୍ଶନ

rklsanchar@gmail.com' By J.N. Pradhan Jul 4, 2018 #Featured
187 Views

ରାଉରକେଲା, ୪/୭ : ରାଉରକେଲା ଇସ୍ପାତ କାରଖାନା ଟାଉନସିପ୍ ଅଞ୍ଚଳରେ ଠିକାଦାରଙ୍କ ଅଧିନରେ କାମ କରୁଥିବା ଠିକା ଶ୍ରମିକମାନଙ୍କୁ ଘୋର ଶୋଷଣର ସମ୍ମୁଖୀନ ହେବାକୁ ପଡୁଛି । ଆର୍ଏସ୍ପି ନିୟୋଜିତ କରିଥିବା ଠିକାଦାରମାନେ ମାସ ମାସ ଧରି ଏହି ଶ୍ରମିକମାନଙ୍କୁ ଦରମା ଦେଉନାହାନ୍ତି । ଶ୍ରମିକମାନଙ୍କ ଏଟିଏମ୍ କାର୍ଡକୁ ଜୋର ଜବରଦସ୍ତ ଠିକାଦାରମାନେ ନିଜ ପାଖରେ ରଖୁଛନ୍ତି, ଯାହାଦ୍ୱାରା ବ୍ୟାଙ୍କ ଖାତାକୁ ଦରମା ଟଙ୍କା ଯିବା ପରେ ଶ୍ରମିକମାନେ ସେମାନଙ୍କ ଖାତାରୁ ଟଙ୍କା ଉଠାଇପାରୁ ନାହାନ୍ତି ।

ଏହାର ପ୍ରତିବାଦ କଲେ ଚାକିରୀରୁ ବାହାର କରିଦେବାକୁ ଧମକ ଦେଉଛନ୍ତି । ଆଇଜିଏଚ୍ରେ କାର୍ଯ୍ୟରତ ଠିକା ସଫେଇ ଶ୍ରମିକମାନେ ଦୀର୍ଘ ୪ ମାସ ହେଲା ଦରମା ନ ପାଇ ଦୟନୀୟ ଅବସ୍ଥାରେ ଜୀବନଯାପନ କରୁଛନ୍ତି । କେନ୍ଦ୍ର ସରକାରଙ୍କ ସର୍ବନିମ୍ନ ମଜୁରୀ ଦୈନିକ ୩୬୫ ଟଙ୍କା ଥିବାବେଳେ ଏଠାରେ ଠିକାଦାରମାନେ ୨ ଶହ ଟଙ୍କା ଦୈନିକ ମଧ୍ୟ ଶ୍ରମିକମାନଙ୍କୁ ଦେଉନାହାନ୍ତି, ଶ୍ରମିକମାନେ ଏହାର ପ୍ରତିବାଦ କଲେ କମ୍ ଟଙ୍କାରେ କାମ ନେଇଛୁ, ଟଙ୍କା କୁଆଡୁ ଆଣିବୁ ବୋଲି କହୁଛନ୍ତି । ପିଏଫ୍ ବାବଦରେ ଶ୍ରମିକମାନଙ୍କ ଠାରୁ ମାସକର କାଟି ଖାତାରେ ୨୦ ଦିନର ଦେଖାଉଛନ୍ତି । ଆର୍ଏସ୍ପି ଟାଉନ ଇଞ୍ଜିନିୟରିଂ ବିଭାଗର ଅଫିସର ଓ ଠିକାଦାର ମିଶି ଏଭଳି ଶୋଷଣ ଦୀର୍ଘଦିନ ଧରି କରୁଛନ୍ତି ।

ରାଉରକେଲା ଇସ୍ପାତ କାରଖାନା ଭଳି ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କ ଏଭଳି ଦୁର୍ଦ୍ଦଶା ଓ ଶ୍ରମିକ ଶୋଷଣ ବିରୁଦ୍ଧରେ ଆଜି ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ (ସିଆଇଟିୟୁ) ପକ୍ଷରୁ ସେକ୍ଟର-୫ ସ୍ଥିତ ଆର୍ଏସ୍ପି ଟାଉନ ଇଞ୍ଜିନିୟରିଂ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ସହ ପ୍ରତିବାଦ କରାଯାଇଛି । ୟୁନିୟନ ସଭାପତି ତଥା ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିଷ୍ଣୁ ମାହନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ସାଧାରଣ ସମ୍ପାଦକ ବିମାନ ମାଇତି, ଶ୍ରୀମନ୍ତ ବେହେରା, ବସନ୍ତ ନାୟକ, ବି.ପି. ମହାପାତ୍ର, ଅଜ୦ୟ ଶର୍ମା, ରାଜକିଶୋର ପ୍ରଧାନ, ଅରୁ ଦାସ, ପ୍ରଭାତ ମହାନ୍ତି, ବିଶ୍ୱଜିତ ମାଝି, କିଶୋର ତନ୍ତୀ, ବିଜୟ ବେଉରିଆ, ଜଗନ୍ନାଥ ନାଏକ, ହିତେଷ ମଲ୍ଲିକ, ଯତୀନ ତିର୍କୀ, ଲକ୍ଷ୍ମୀଧର ନାୟକ, ମିତା ଗୋଚ୍ଛାୟତ, ଅନୀତା ବେହେରା, ରୀନା ଗୋଚ୍ଛାୟତ, ଅନିରୁଦ୍ଧ ଲେଙ୍କା, ଶେଖର ଶର୍ମା, ପରେଶ ମହାନ୍ତି, ଉମାକାନ୍ତ ରାୟ ପ୍ରମୁଖଙ୍କ ସମେତ ଶତାଧିକ ଠିକା ଶ୍ରମିକସାମିଲ୍ ଥିଲେ ।

ସମାନ କାମକୁ ସମାନ ମଜୁରୀ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦ୍ର ସରକାରଙ୍କ ସର୍ବନିମ୍ନ ମଜୁରୀ ୨୧ ହଜାର ଟଙ୍କା ପ୍ରଦାନ, ମାସିକ ସର୍ବନିମ୍ନ ଦରମା, ଇଏସ୍ଆଇ, ଇପିଏଫ୍ ଓ ଅନ୍ୟାନ୍ୟ ସାମାଜିକ ସୁରକ୍ଷା ପ୍ରଦାନ ପ।।ଇଁ ଶ୍ରୀ ମହାନ୍ତି ବିକ୍ଷୋଭ ସ୍ଥଳରେ ବକ୍ତବ୍ୟ ରଖି ଦାବି କରିଥିଲେ । ଆର୍ଏସ୍ପି ସହରସେବା ଜିଏମ୍ ଏ.କେ. ସାମନ୍ତରାୟ, ଡିଜିଏମ୍ ପି.କେ. ସାହୁଙ୍କ ସହ ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଲୋଚନା କରିଥିଲେ । ଆଗାମୀ ୯ ତାରିଖ ସୁଦ୍ଧା ଶ୍ରମିକମାନଙ୍କ ବକେୟା ଦରମା ପ୍ରଦାନ ସହ ସର୍ବନିମ୍ନ ସୁବିଧା ସୁଯୋଗ ପ୍ରଦାନ କ୍ଷେତ୍ରରେ ଅବହେଳା କରୁଥିବା ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବାକୁ ଆଲୋଚନା ବେଳେ ମତପ୍ରକାଶ ପାଇଥିଲା ।

Related Post