Sat. Nov 23rd, 2024

ଆର୍ଏସ୍ପି ଟାଉନସିପ ଓ ଆଇଜିଏଚ୍ ଠିକା ଶ୍ରମିକଙ୍କୁ ଶୋଷଣ ଏବଂ ନିର୍ଯ୍ୟାତନାକୁ ସିଆଇଟିୟୁର ବିରୋଧ

rklsanchar@gmail.com' By J.N. Pradhan Jul 13, 2018
527 Views

ରାଉରକେଲା, ୧୩/୭ : ଆର୍ଏସ୍ପି ଟାଉନସିପ ଓ ଆଇଜିଏଚରେ ବିଭିନ୍ନ ଠିକାଦାରଙ୍କ ଅଧିନରେ କାମ କରୁଥିବା ଠିକା ଶ୍ରମିକମାନଙ୍କୁ ଶୋଷଣ ଏବଂ ନିର୍ଯ୍ୟାତନା ଚରମ ସୀମାରେ ପହଞ୍ôଚଛି । ଠିକା ଶ୍ରମିକମାନଙ୍କ ୪ ମାସର ଦରମା ବକେୟା ରହିଥିବା ବେଳେ ଗତ ୩ ତାରିଖରେ ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ (ସିଆଇଟିୟୁ) ପକ୍ଷରୁ ଆର୍ଏସ୍ପି ଟାଉନ ଇଞ୍ଜିନିୟରିଂ ବିଭାଗ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପରବର୍ତ୍ତୀ ଅବସ୍ଥାରେ ଠିକାଦାର ବାଧ୍ୟ ହୋଇ ଠିକା ଶ୍ରମିକମାନଙ୍କୁ ଦରମା ପ୍ରଦାନ କରିଥିଲେ ।

କିନ୍ତୁ ଦୁଃଖର କଥା ଶ୍ରମିକମାନେ ୩୦ ଦିନ କାମ କରିଥିବା ବେଳେ ୨୪ ଦିନର ଦରମା ଠିକାଦାର ପ୍ରଧାନ କରିଥିଲେ । ସର୍ବନିମ୍ନ ଦରମା ଦୈନିକ ୩୫୫ ଟଙ୍କା ୪୫ ପଇସା ଥିବା ବେଳେ ଏଠାରେ ଠିକାଦାରମାନେ କାହାର ଇଏସ୍ଆଇ, ପିଏଫ୍ ଦାଖଲ କରୁନାହାନ୍ତି, ଦରମା ସ୍ଲିପ୍, ପରିଚୟପତ୍ର ସମେତ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେଉନାହାନ୍ତି । ଏହାର ପ୍ରତିବାଦ ସିଆଇଟିୟୁ ବିକ୍ଷୋଭ ମାଧ୍ୟମରେ କରୁଥିବା ବେଳେ କେତେକ ଠିକାଦାର ଓ ତାଙ୍କ ସୁପର ଭାଇଜରମାନେ ତୁମେ କ’ଣ ପାଇଁ ବିକ୍ଷୋଭ କରିବାକୁ ଯାଉଥିଲ କହି ମହିଳା ଶ୍ରମିକମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରୁଛନ୍ତି ।

ଦୁଇ ଜଣ ଠିକା ଶ୍ରମିକଙ୍କୁ କାମରୁ ବାହାର କରିଦେଇଛନ୍ତି । ମହିଳା ଶ୍ରମିକମାନଙ୍କୁ କାର୍ଯ୍ୟସ୍ଥଳରେ ମାନସିକ ନିର୍ଯ୍ୟାତନା, ଜାତିଆଣ ଆକ୍ଷେପ କରୁଥିବା ଆଜି ଶ୍ରମିକମାନେ ସିଆଇଟିୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ୟୁନିୟନ ସଭାପତି ବିଷ୍ଣୁ ମହାନ୍ତିଙ୍କ ଆଇଜିଏଚ୍ ଗସ୍ତ ସମୟରେ ଅଭିଯୋଗ କରିଛନ୍ତି । ଶ୍ରମିକମାନଙ୍କ ଠାରୁ ଏ ଅଭିଯୋଗ ଶୁଣିବା ପରେ ଶ୍ରୀ ମହାନ୍ତି ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ସମ୍ପୃକ୍ତ ଠିକାଦାର ଓ ତାଙ୍କ ସୁପର ଭାଇଜରମାନଙ୍କ ବିରୁଦ୍ଧରେ ତୁରନ୍ତ ୟୁନିୟନ ତଥା ସମ୍ପୃକ୍ତ ଠିକା ଶ୍ରମିକମାନଙ୍କ ପକ୍ଷରୁ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ତା ସହିତ ବାରମ୍ବାର ଇସ୍ପାତ କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଯିବା ପରେ କୌଣସି ସୁଫଳ ନ ମିଳିବାରୁ ସିଆଇଟିୟୁ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟକାଳ ଧର୍ମଘଟ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହି ବିରୋଧ କାର୍ଯ୍ୟକ୍ରମରେ ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ୟୁନିୟନ ସାଧାରଣ ସମ୍ପାଦକ ବିମାନ ମାଇତି, ରାଜ୍ୟ ସମ୍ପାଦକ ବସନ୍ତ ନାୟକ, ରାଜକିଶୋର ପ୍ରଧାନ, ଲକ୍ଷ୍ମୀଧର ନାୟକ, ବିଶ୍ୱଜିତ ମାଝିଙ୍କ ସମେତ ଟାଉନସିପ୍ ଓ ଆଇଜିଏଚ୍ ଠିକା ଶ୍ରମିକମାନେ ଉପସ୍ଥିତ ଥିଲେ ।

Related Post