ରାଉରକେଲା, ୧୩ା୧୦ : ଆର୍ଏସ୍ପିର ଓର ବେଡିଂ ଓ ବ୍ଲେଣ୍ଡିଂ ପ୍ଲାଣ୍ଟ ବିଭାଗର କର୍ମଚାରୀ ଜିନ୍ଦା ଏକ୍କା ଓ ଅନୀତା ଏକ୍କାଙ୍କ ସୁକନ୍ୟା ରୀମାଲକ୍ଷ୍ମୀ ଏକ୍କା ଅକ୍ଟୋବର ୧୨ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଅଷ୍ଟ୍ରେଲିଆ ଏ ବିରୋଧରେ ଏକଦିବସୀୟ କ୍ରିକେଟ୍ ସିରିଜ୍ ଖେଳିବା ପାଇଁ ଭାରତ ଏ ଦଳରେ ସ୍ଥାନ ପାଇଛନ୍ତି । ଏହି ଏକଦିବସୀୟ ସିରିଜରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ୩ଟି ଏକଦିବସୀୟ ମ୍ୟାଚ୍ ଖେଳିବ । ସୂଚନାଯୋଗ୍ୟ ଯେ, ବିସିସିଆଇ ସିନିୟର ମହିଳା ଟି-ଟ୍ୱେଣ୍ଟି ଚାଲେଞ୍ଜର୍ସ ଟ୍ରଫିରେ ଉନ୍ନତ ପ୍ରଦର୍ଶନ ଆଧାରରେ ରୀମାଙ୍କୁ ଭାରତୀୟ ଦଳରେ ସାମିଲ୍ କରାଯାଇଛି । ସେ ଉକ୍ତ ଟୁର୍ଣ୍ଣାମେଣ୍ଟରେ ଇଣ୍ଡିଆ ରେଡ୍ ଟିମ୍ର ପ୍ରତିନିଧିତ୍ୱ କରିଥିଲେ ।
ଏହା ବାଙ୍ଗାଲୋର ଠାରେ ଗତ ଅଗଷ୍ଟ ୧୪ରୁ ୨୧ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରୀମା ଜଣେ ଡାହାଣ ହାତୀ ମଧ୍ୟମ ଗତି ବୋଲର ଅଟନ୍ତି ଏବଂ ଆର୍ଏସ୍ପି କ୍ରିକେଟ୍ କୋଚ୍ ଅଲେଖ ବାରିକଙ୍କ ଠାରୁ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି । ରୀମା ସମ୍ପ୍ରତି ଇସ୍ପାତ ଅଟୋନମସ ମହାବିଦ୍ୟାଳୟରେ ଯୁକ୍ତ-୩ ଦ୍ୱିତୀୟ ବର୍ଷର ଛାତ୍ରୀ । ଏଠାରେ ସୂଚନାଯୋଗ୍ୟ ଯେ, ୨୦୧୪-୧୫ ମସିହାରେ ରୀମା ନିଜର କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ ।
ବର୍ତ୍ତମାନ ସୁଦ୍ଧା ସେ ୫ଟି ଆନ୍ତଃ ପ୍ରଦେଶ ୧୯ ବର୍ଷରୁ କମ୍ ମହିଳା ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟ, ୩ଟି ଆନ୍ତଃ ଜୋନାଲ ୧୯ ବର୍ଷରୁ କମ୍ ମହିଳା ଦୁଇ ଦିବସୀୟ ଟୁର୍ଣ୍ଣାମେଣ୍ଟ, ୪ଟି ଆନ୍ତଃ ଜୋନାଲ ୧୯ ବର୍ଷରୁ କମ୍ ମହିଳା ଏନ୍ସିଏ ଟୁର୍ଣ୍ଣାମେଣ୍ଟ, ୫ଟି ଆନ୍ତଃ ପ୍ରଦେଶ ୨୩ ବର୍ଷରୁ କମ୍ ମହିଳା ଏକ ଦିବସୀୟ ଟୁର୍ଣ୍ଣାମେଣ୍ଟ ସମେତ ୫ଟି ସିନିୟର ମହିଳା ଏକ ଦିବସୀୟ ମ୍ୟାଚ୍, ୧୧ଟି ମହିଳା ଟି-ଟ୍ୱେଣ୍ଟି ମ୍ୟାଚ୍ ଏବଂ ୧୭ଟି ଅନ୍ୟାନ୍ୟ ମ୍ୟାଚ୍ ଖେଳି ସାରିଛନ୍ତି । ନିକଟରେ ପ୍ରତିଭାବାନ ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ପାଇଁ ଜାତୀୟ କ୍ରିକେଟ୍ ଏକାଡେମୀ ବେଙ୍ଗାଲୁର ଠାରେ ଜୁଲାଇ ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ସ୍ୱତନ୍ତ୍ର ପ୍ରଶିକ୍ଷଣ ଶିବିରରେ ଯୋଗ ଦେବା ପାଇଁ ଓଡିଶାରୁ ମନୋନୀତ ହୋଇଥିଲେ ।