Tue. Dec 24th, 2024

ଆର୍ଏସ୍ପି ଆନୁକୁଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ପାଳିତ

rklsanchar@gmail.com' By J.N. Pradhan Aug 31, 2018 #Featured
220 Views

ରାଉରକେଲା, ୩୧ା ୮ : ଆର୍ଏସ୍ପି ଆନୁକୁଲ୍ୟରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆରଏସ୍ପି କ୍ରୀଡ଼ା ବିଭାଗ ଦ୍ୱାରା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ଠାରେ ଏକ ଉତ୍ସବ ଆୟୋଜିତ ହୋଇଥିଲା । ଏଥିରେ ରାଇରକେଲା ଇସ୍ପାତ କାରଖାନାର କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପି.କେ ପ୍ରଧାନ ମୁଖ୍ୟ ଅତିଥି ଓ ସହର ପ୍ରଶାସନ ବିଭାଗର ଜିଏମ ଏନ.କେ ସାମନ୍ତରାୟ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଅତିଥିମାନେ ମହାନ ହକି ଖେଳାଳୀ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉଲ୍ଳେଖଯୋଗ୍ୟ ଯେ, ମହାନ ହକି ଖେଳାଳୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମଦିନକୁ ସ୍ମରଣ କରି ପୁରା ଦେଶରେ ଜାତୀୟ କ୍ରୀଡ଼ା ଦିବସ ପାଳନ ହୋଇଥାଏ ।

ଏହି ଅବସରରେ ଆରଏସ୍ପିର ୩ ଜଣ ଅବସରପ୍ରାପ୍ତ ବିଶିଷ୍ଟ କ୍ରୀଡ଼ାବିତ ଅର୍ଜ୍ଜୁନ ପୁରସ୍କାର ବିଜେତା ସୁନୀଲ ପାତ୍ର ଭାରତର ସୁନାମଧନ୍ୟ ଦୌଡକୁଦ ପ୍ରଶିକ୍ଷକ ପି.ଏନ୍ ଗନ୍ତାୟତ ଏବଂ ଓଡ଼ିଶାର ଭେଟେରାନ ଟେବୁଲ ଟେନିସ ପ୍ରଶିକ୍ଷକ, କୃଷ୍ଣକାନ୍ତ ମଞ୍ଚାସୀନ ଥିଲେ । ଏହି ଅବସରରେ ପି.ଏଚ ଓ ଏସଡବ୍ଲ୍ୟୁ ବିଭାଗର ଡିଜିଏମ ହିରାଲାଲ ମହାପାତ୍ର, କ୍ରୀଡା ଜଗତର ବହୁ ହସ୍ତୀ, ଛାତ୍ରଛାତ୍ରୀ, ଅଭିଭାବକ ଏବଂ କ୍ରୀଡ଼ାପ୍ରେମୀ ରାଉରକେଲାବାସୀ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ଏହି ଅବସରରେ ନିଜର ବକ୍ତବ୍ୟରେ ଶ୍ରୀ ପ୍ରଧାନ କହିଥିଲେ ଯେ, ଆରଏସପି ସର୍ବଦା କ୍ରୀଡ଼ା ଓ ବିଶେଷକରି ହକି ଖେଳକୁ ପ୍ରୋତ୍ସାହନ ଦେବା କ୍ଷେତ୍ରରେ ଅଗ୍ରଣୀ ରହିଆସିଛି । ଆରଏସ୍ପିର ନିରନ୍ତର ପ୍ରୋତ୍ସାହନ ଫଳସ୍ୱରୂପ ସେଲ ହକି ଏକାଡେମୀର ବହୁ କ୍ୟାଡେଟ ବିଭିନ୍ନ ସମ୍ମାନଜନକ ହକି ପ୍ରତିଯୋଗିତାରେ ଦେଶର ପ୍ରତିନିଧିତ୍ୱ କରିପାରିଛନ୍ତି ।

କେନ୍ଦ୍ରୀୟ ଇସ୍ପାତ ସାର୍ବଜନିକ ଉଦ୍ୟୋଗକୁଡିକ ନିମନ୍ତେ ନିକଟରେ ଘୋଷିତ କ୍ରୀଡ଼ାନୀତି କ୍ରୀଡ଼ାର ପ୍ରସାର କ୍ଷେତ୍ରରେ ତଥା କ୍ରୀଡ଼ା ପ୍ରତିଭାମାନଙ୍କର ପୃଷ୍ଠ ପୋଷଣରେ ବିଶେଷ ରୂପେ ସହାୟକ ହେବ । କ୍ରୀଡ଼ା ଦିବସ ପାଳନ ତଥା ଚଳିତ ବର୍ଷ ଶେଷ ଭାଗରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଥିବା ବିଶ୍ୱକପ ହକି ପ୍ରତିଯୋଜିତାକୁ ସ୍ୱାଗତ ଜଣାଇବା ପାଇଁ ସେଲ ହକି ଏକାଡେମୀ ଏବଂ ପାନପୋଷ ସ୍ପୋର୍ଟ୍ସ ହଷ୍ଟେଲ ମଧ୍ୟରେ ଏକ ପ୍ରଦର୍ଶନୀ ହକି ମ୍ୟାଚ ଖେଳାଯାଇଥିଲା । ଏହି ଅବସରରେ ଖେଳାଳୀ କୋଚ ଏବଂ ଅଫିସିଆଲମାନଙ୍କୁ ପ୍ରତୀକ ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୧୮ ଜାନୁଆରୀ ୨୪ ତାରିଖରେ ସେଲ ସ୍ଥାପନା ଦିବସ ପାଳନ ପରୀପ୍ରେକ୍ଷୀରେ ଆୟୋଜିତ ୫ କିଲୋମିଟର ଗଣଦୌଡ଼ ପ୍ରତିଯୋଗିତାରେ ଆରଏସ୍ପିର ଆର୍ନାଲ୍ଡ ଡୁଙ୍ଗଡୁଙ୍ଗ ସପ୍ତମ ଶ୍ରେଣୀରୁ କମ ବର୍ଗରେ ଶ୍ରେଷ୍ଠ ସମୟ ହାସଲ ନିମନ୍ତେ ଉତ୍ସବରେ ପୁରସ୍କୃତ ହୋଇଥିଲେ ।

ସେଲ କର୍ପୋରେଟ କାର୍ଯ୍ୟାଳୟ ତାଙ୍କୁ ବିଜେତା ଘୋଷିତ କରିଥିଲା । ଏହି ସଫଳତା ପାଇଁ ସେ ୩ ହଜାର ଟଙ୍କାର ପୁରସ୍କାର ରାଶି ହାସଲ କରିଥିଲେ । ଜାତୀୟ କ୍ରୀଡ଼ା ଦିବସପାଳନ ଅବସରରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମଧ୍ୟ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରକୁ କ୍ରୀଡ଼ା ବିଭାଗର ସିନିୟର ଏକଜିକ୍ୟୁଟିଭ ଆସିଷ୍ଟାଣ୍ଟ ଶ୍ରୀ ଇ ଏ ସିଦ୍ଦିକ ସଂଯୋଜନା କରିଥିଲେ ।

Related Post