ରାଉରକେଲା, ୧ ।୯ : ସ୍ୱାୟତ୍ତ ଶାସନ ଦିବସକୁ ବେଶ୍ ଧୁମ୍ଧାମରେ ପାଳନ କରିଛି ମହାନଗର ନିଗମ କର୍ମଚାରୀ । ସକାଳୁ କର୍ମଚାରୀମାନେ ମଧୁସୂଦନ ଛକ ନିକଟରେ ଏକତ୍ରିତ ହୋଇଥିଲେ । ସେଠାରୁ କର୍ମଚାରୀମାନେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବାହାରି ମହାନଗର ନିଗମ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । ଶୋଭାଯାତ୍ରା ବେଳେ ପ୍ଲାଷ୍ଟିକ୍ ବର୍ଜନ ତଥା ଆବର୍ଜନା ପୃଥକୀକରଣ, ସ୍ୱଚ୍ଛତା ଇତ୍ୟାଦି ସମ୍ପର୍କିତ ସ୍ଲୋଗାନମାନ ଦେଇ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଇଥିଲେ ।
ଶୋଭାଯାତ୍ରା ନିଗମ କାର୍ଯ୍ୟାଳୟରେ ପହଞ୍ôଚବା ପରେ ସେଠାରେ ଜାତୀୟ ପତାକା ଉତ୍ତୋଳନ ସହ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ମହାନଗର ନିଗମ ଉପାୟୁକ୍ତ ସୁଷମା ବିଲୁଙ୍ଗ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ପରେ ମହାନଗର ନିଗମ କର୍ମଚାରୀଙ୍କ ମଧ୍ୟରେ ଝୋଟି ପ୍ରତିଯୋଗିତା ଓ ମ୍ୟୁଜିକାଲ ଚେୟାର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତା ଶେଷ ପରେ ମହାନଗର ନିଗମ ସଭାଗୃହରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା ।
ବର୍ଷ ତମାମ ଯେଉଁ କର୍ମଚାରୀମାନେ ନିଜ ନିଜ କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନ କରିଛନ୍ତି, ସେମାନଙ୍କୁ ଏହି ଅବସରରେ ଉପଢୌକନ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସେହିପରି ଝୋଟି ଓ ମ୍ୟୁଜିକାଲ ଚେୟାର ପ୍ରତିଯୋଗିତର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ମହାନଗର ନିଗମ ଉପାୟୁକ୍ତ ସୁଷମା ବିଲୁଙ୍ଗ ସୀତାଦେବୀ ମାଝି କର୍ମଚାରୀମାନଙ୍କୁ ସମ୍ବର୍ଦ୍ଧନା ଦେବା ସହ ପୁରସ୍କୃତ କରିଥିଲେ ।
ଉତ୍ସବରେ ମହାନଗର ନିଗମ ତଥା ସ୍ମାର୍ଟସିଟି ଲିମିଟେଡର କର୍ମଚାରୀ ବୃନ୍ଦ ଯୋଗ ଦେବା ସହ କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ସମ୍ପନ୍ନ କରିବାରେ ସହଯୋଗ କରିଥିଲେ ।