297 Views
ଭୁବନେଶ୍ୱର, ଜାନୁଆରୀ ୧ : ଆଜି ବର୍ଷର ପ୍ରଥମ ସକାଳରେ ପାଦ ଦେଇଛି ୨୦୧୯ । ନୂଆ ଆଶା ନୂଆ ସମୃଦ୍ଧି କାମନା କରିବା ପାଇଁ ପ୍ରଥମ ଦିନଟକୁ ଆରମ୍ଭ କରିବାକୁ ଶ୍ରଦ୍ଧାଳୁମାନେ ବିଭିନ୍ନ ମନ୍ଦିର, ମଠ ଓ ମସଜିଦ ତଥା ଚର୍ଚ୍ଚରେ ଭିଡ ଜମାଇଛନ୍ତି । ଶ୍ରୀମନ୍ଦିରରେ ଲକ୍ଷ ଲକ୍ଷ ଭକ୍ତ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ପ୍ରବଳ ଭିଡକୁ ନିୟନ୍ତ୍ରଣ କରିବାକୁ ପୁରୀରେ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଶ୍ରଦ୍ଧାଳୁଙ୍କ ଭିଡ ପାଇଁ ପୁରୀ ରାସ୍ତାରେ ହଜାର ହଜାର ଗାଡିର ଲମ୍ବାଧାଡି ଦେଖିବାକୁ ମିଳିଛି । ଆଜି ରାତି ୧୨ ୫୦ରେ ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି , ୧.୩୫ରେ ମଙ୍ଗଳ ଆଳତୀ , ୩ ଟାରେ ଅବକାଶ ଓ ୫.୫୫ରେ ପହିଲି ଭୋଗ ନୀତି ସମ୍ପନ୍ନ ହୋଇଛି ।
ଦେଶବାସୀଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଟ୍ୱିଟ ଜରିଆରେ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କ ପାଇଁ ନୂତର ବର୍ଷ ସୁଖ ଓ ସମୃଦ୍ଧି କାମନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶବାସୀ ଓ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ୨୦୧୯ର ଶୁଭେଚ୍ଛା ଜଣାଇବା ସହ ପ୍ରଭୁ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କ ଜୀବନର ସୁଖ ଓ ସମୃଦ୍ଧି କାମନା କରିଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପୁରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଆଜି ନବୀନ ନିବାସକୁ ସମସ୍ତ ଶୁଭେଚ୍ଛୁଙ୍କୁ ଯିବାକୁ ବାରଣ କରାଯାଇଛି । ଗତକାଲି ସକାଳେ ମୁଖ୍ୟମନ୍ତ୍ରୀ ବ୍ୟାୟାମ କରୁଥିବା ସମୟରେ ଆଣ୍ଠୁରେ ସାମାନ୍ୟ କଷ୍ଟ ଅନୁଭବ ହେବା କାରଣରୁ ତାଙ୍କୁ ଡାକ୍ତରମାନେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ।