ରାଉରକେଲା, ୧ା୧୧ : ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀ ସାମୁଦାୟିକ ଅବଶିଷ୍ଟ ଦେଶବାସୀଙ୍କ ସହିତ ଅକ୍ଟୋବର ୩୧ ତାରିଖରେ ରାଷ୍ଟ୍ରୀୟ ଏକତା ଦିବସ ଶପଥ ଗ୍ରହଣରେ ସାମିଲ ହୋଇଥିଲେ । ସୂଚନାଯୋଗ୍ୟ ଯେ, ଲୌହ ପୁରୁଷ ରୂପେ ବିଦିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଜନ୍ମ ତିଥିକୁ ଦେଶବ୍ୟାପୀ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଉଛି ।
ସିଇଓଙ୍କ ସମ୍ମେଳନ କକ୍ଷଠାରେ ଆୟୋଜିତ ଏକ ଶପଥ ଗ୍ରହଣ ଉତ୍ସବରେ ସିଇଓ ଅଶ୍ୱିନୀ କୁମାରଙ୍କ ଗହଣରେ ସିଇଓ ସଚିବାଳୟରେ ଅଧିକାରୀ ଓ କର୍ମଚାରୀମାନେ ରାଷ୍ଟ୍ରୀୟ ଏକତା ଦିବସ ଶପଥ ଗ୍ରହଣ କରିଥିଲେ । ପ୍ରକଳ୍ପ ବିଭାଗ ଇଡିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଅନୁରୂପ ଉତ୍ସବରେ ପ୍ରକଳ୍ପ ବିଭାଗ ଇଡି ରାଜୀବ ଅଗ୍ରୱାଲ ଓ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ରାଷ୍ଟ୍ରୀୟ ଏକତା ଦିବସ ଶପଥ ଗ୍ରହଣ କରିଥିଲେ ।
କାର୍ଯ୍ୟ ବିଭାଗର ଇଡିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଅନ୍ୟ ଏକ ଉତ୍ସବରେ ସର୍ଭିସେ ଓ ୟୁଟିଲିଟିଜ ବିଭାଗ ଜିଏମ ଇନ୍ଚାର୍ଜ ଗୌତମ ବାନାର୍ଜୀଙ୍କ ଗହଣରେ ବହୁ ଅଧିକାରୀ ଓ କର୍ମଚାରୀ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରିଥିଲେ । କାରଖାନାର ଅନ୍ୟାନ୍ୟ ମହତ୍ତ୍ୱପୂର୍ଣ୍ଣ ବିଭାଗଗୁଡିକରେ ମଧ୍ୟ ଉକ୍ତ ଦିନ ଅନୁରୂପ ଶପଥ ଗ୍ରହଣ ଉତ୍ସବମାନ ଅନୁଷ୍ଠିତ ହୋଇଥିଲା । କର୍ମଚାରୀମାନେ ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବା ଓ ଦେଶବାସୀଙ୍କ ମଧ୍ୟରେ ଏହି ବାର୍ତ୍ତାକୁ ପ୍ରସାର କରିବା ନିମନ୍ତେ ଯଥାସମ୍ଭବ ପ୍ରୟାସ କରିବା ନିମନ୍ତେ ସତ୍ୟନିଷ୍ଠାର ସହ ଶପଥ ନେଇଥିଲେ ।
ଦେଶର ଐକ୍ୟତାର ଭାବନାକୁ ନେଇ ସେମାନେ ଏହି ଶପଥ ଗ୍ରହଣ କରିଥିଲେ ଯାହା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦୂରଦର୍ଶିତା ଏବଂ କାର୍ଯ୍ୟ ଦ୍ୱାରା ସମ୍ଭବପର ହୋଇପାରିଥିଲା । ସେମାନେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁନିଶ୍ଚିତ କରିବା ନିମନ୍ତେ ନିଜର ଯୋଗଦାନ ଦେବା ପାଇଁ ମଧ୍ୟ ସତ୍ୟନିଷ୍ଠାର ସହ ସଂକଳ୍ପ କରିଥିଲେ ।