Sat. Jan 11th, 2025

ଆରଏସପିରେ ପ୍ରଶଂସନୀୟକାର୍ଯ୍ୟ ପାଇଁ ୫ ଜଣ ଠିକାଶ୍ରମିକ ପୁରସ୍କୃତ

By amfnews Sep 12, 2018 #Featured
130 Views

ରାଉରକେଲା, ୧୨ା୯   :   ରାଉରକେଲା ଇସ୍ପାତ କାରଖାନାର ହଟ ଷ୍ଟ୍ରିପ ମିଲ ଅଞ୍ଚଳରେ କାର୍ଯ୍ୟରତ ୫ ଜର ଠିକା ଶ୍ରମିକଙ୍କୁ ପ୍ରଶଂସନୀୟ କାର୍ଯ୍ୟ ନିମନ୍ତେ ପୁରସ୍କୃତ କରାଯାଇଛି । ହଟ ଷ୍ଟ୍ରିପ ମିଲ ସମ୍ମେଳନ କକ୍ଷଠାରେ ସେପ୍ଟେମ୍ବର ୮ ତାରିଖରେ ଅନୁଷ୍ଠିତ ଏକ ଉତ୍ସବରେ ହଟ ଷ୍ଟ୍ରପ ମିଲ ବିଭାଗର ଜିଏମ ପି ମୁରଲୀ ସେମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଠିକା ଶ୍ରମିକମାନେ ମେଷର୍ସ ସୀମା ହାଇଡ୍ରଲିକରେ କାର୍ଯ୍ୟ କରୁଛନ୍ତି । ଏହି ଅବସରରେ ନିଜର ବକ୍ତବ୍ୟରେ ଶ୍ରୀ ମୁରଲୀ ଠିକା ଶ୍ରମିକ ଓ ଠିକାଦାରଙ୍କୁ ସେମାନଙ୍କର ଉଦାହରଣୀୟ ପ୍ରୟାସ ନିମନ୍ତେ ଅଭିନନ୍ଦନ ଜଣାଇଥିଲେ ଏବଂ ଏଭଳି କାର୍ଯ୍ୟଧାରାରେ ଅନ୍ୟଙ୍କୁ ଅନୁପ୍ରେରିତ କରିବା ପାଇଁ ଆହ୍ୱାନ ଜଣାଇଥିଲେ ।

ଉଲ୍ଲେଖନୀୟ ଯେ, ଏହି ଠିକା ଶ୍ରମିକମାନଙ୍କୁ ବଟମ ରୋଲଗୁଡିକୁ ନିଷ୍କାସନ କରି ସୁରକ୍ଷିତ ରୂପେ ସେଗୁଡିକର ସ୍ଥାନରେ ସଫଳତା ସହକାରେ ନୂତନ ରୋଲ ସ୍ଥାପନ ନିମନ୍ତେ ପୁରସ୍କୃତ କରାଯାଇଥିଲା । ସାଧାରଣତଃ ଏହି କାର୍ଯ୍ୟ ନିମନ୍ତେ ୨ଣୁ ୩ ସିଫ୍ଟ ସମୟ ଲାଗିଥାଏ, କିନ୍ତୁ ଠିକା ଶ୍ରମିକମାନଙ୍କର ଦୃଢନିଷ୍ଠ ପ୍ରୟାସର ଫଳସ୍ୱରୂପ ଏହାକୁ ଗୋଟିଏ ସିଫ୍ଟରେ ସମ୍ପୂର୍ଣ୍ଣ କରାଯାଇଥିଲା । କାର୍ମିକ ଠିକା ସେଲ ଓ ପ୍ରକଳ୍ପ ବିଭାଗର ଡିଜିଏମ ଶ୍ରୀ ଟିଜି କାନେକର କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ତତ୍କାଳ ପୁରସ୍କାର ଯୋଜନା ସନ୍ଦର୍ଭରେ ଏକ ସଂକ୍ଷିପ୍ତ ବିବରଣୀ ଉପସ୍ଥାପନ କରିଥିଲେ ।

ହଟ ଷ୍ଟ୍ରିପ ମିଲ ବିଭାଗର ଡିଜିଏମ ଦୀପକ ଯାଦବ ପୁରସ୍କୃତ ଠିକା ଶ୍ରମିକଙ୍କ ପ୍ରଶଂସନୀୟ ପ୍ରୟାସ ସମ୍ପର୍କରେ ତଥ୍ୟ ରଖିଥିଲେ । ଏହି ଅବସରରେ ହଟ ଷ୍ଟ୍ରିପ ମିଲ ବିଭାଗର ଡିଜିଏମ କେ. କେ. ଓଝା, ଆର.କେ. ମୁଦାଲି, ପି. ଏସ୍. ରାଜକୁମାର, ବି. ଏସ୍. ଦାସ, ଟି. କିଣ୍ଡୋ, ପି. ସାଜିତ ଓ ଆର. କୁଜୁର ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ, ୨୦୧୪ ନଭେମ୍ବର ମାସରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ଆଜି ପର୍ଯ୍ୟନ୍ତ ଆରଏସପିର ବିଭିନ୍ନ ବିଭାଗର ୧୮୨ ଜଣ ଠିକା ଶ୍ରମିକଙ୍କୁ ପୁରସ୍କୃତ କରାଯାଇଅଛି ।

By amfnews

Related Post