Tue. Jan 14th, 2025

ଆରଏସପି ହଟ ଷ୍ଟ୍ରିପ ମିଲ ବିଭାଗୀୟ କର୍ମଚାରୀଙ୍କ ସୃଜନଶୀଳ ପ୍ରୟାସ ଦ୍ୱାରା କମ୍ପାନୀ ନିମନ୍ତେ ବିପୁଳ ସଞ୍ଚୟ ହାସଲ

By amfnews Dec 13, 2018 #Featured
163 Views

ରାଉରକେଲା, ୧୩ା୧୨ : ରାଉରକେଲା ଇସ୍ପାତ କାରଖାନାର ହଟ ଷ୍ଟ୍ରିପ ମିଲ ବିଭାଗର କର୍ମଚାରୀଙ୍କ ସୃଜନଶୀଳ ପ୍ରୟାସର ଫଳସ୍ୱରୂପ କାରଖାନାର ଉଲ୍ଲେଖନୀୟ ପୁନଃପୌନିକ ସଞ୍ଚୟ ସାଧନ ହେବା ସହିତ କୋଟିଏରୁ ଉଦ୍ଧ୍ୱର୍ ଟଙ୍କାର ସଞ୍ଚୟ ସମ୍ଭବପର ହୋଇପାରିଛି । ସୂଚନାଯୋଗ୍ୟ ଯେ,ହଟ ଷ୍ଟ୍ରିପ ମିଲ ମିଲ୍ ବିଭାଗରେ ୨ଟି ୱାକିଂ ବିମ ରିହିଟିଙ୍ଗ ଫର୍ଣ୍ଣେସ୍ ରହିଛି ଯେଉଁଥିରେ ସ୍ଲାବଗୁଡିକୁ ହିଟିଙ୍ଗ, ସୋକିଙ୍ଗ ଓ ରୋଲିଙ୍ଗ ନିମନ୍ତେ ଚାର୍ଜ କରାଯାଇଥାଏ । ରିହିଟିଙ୍ଗ ଫର୍ଣ୍ଣେସରେ ଅତ୍ୟଧିକ ଉତ୍ତାପ ଯୋଗୁଁ ସ୍ଲାବ ମଧ୍ୟରେ ସ୍କେଲ ସୃଷ୍ଟି ହୋଇଥାଏ ଏବଂ ଏହା ୱାଟର ଟ୍ରଫରେ ସଂଗ୍ରହ ହୋଇଥାଏ । ବ୍ରେକଡାଉନ ଏଡାଇବା ନିମନ୍ତେ ଏହି ସ୍କେଲ ଗୁଡିକୁ ନିୟମିତ ରୂପେ ୱାଟର ଟ୍ରଫ୍ ମଧ୍ୟରୁ ନିଷ୍କାସିତ କରିବା ଅପରିହାର୍ଯ୍ୟ ହୋଇଥାଏ ।

ପୂର୍ବରୁ ଏହି ସ୍କେଲଗୁଡିକୁ ମାନୁଆଲ ଭାବରେ ୪୦ ମିଟର ଦୂରତାକୁ ନିଷ୍କାସିତ କରିବାକୁ ହେଉଥିଲା । ଏହି ସମୟ ପ୍ରକ୍ରିୟା ଜନିତ ବିଳମ୍ବ ଘଟୁଥିଲା ଓ ଉତ୍ପାଦନ ବାଧାପ୍ରାପ୍ତ ହେଉଥିଲା । ଏହି ସମସ୍ୟାର ସମାଧାନ ନିମନ୍ତେ ବିଭାଗର ଡିଜିଏମ ବି. ଆର୍. କୁମାର, ସିନିୟର ମ୍ୟାନେଜର ଏନ୍. ମହାଳିକ, ଆସିଷ୍ଟାଣ୍ଟ ମ୍ୟାନେଜର ସି. ଦାସ, ଆସିଷ୍ଟାଣ୍ଟ ରୋଲର ଓ. କେ. ନାୟକ, ଆର୍. ସି. ମହାନ୍ତ, ପି. କେ. ପାତ୍ର, ଏ. କେ. ବିଶ୍ୱାଳ, ଏମ୍. ଏକ୍କା, କେ. ଗୋପ, ଆର୍. ମୁଦୁଲି, ଡି. ପଶାୟତ ଏବଂ ସିନିୟର ଟେକନିସିଆନ ବି. ମୁର୍ମୁ, ଏ. କିସ୍ପଟା, ସି. ଜେନା ତଥା ଅପରେଟର ବି. ଜେନା ଓ ଏ. ଦୀପଙ୍କୁ ନେଇ ଗଠିତ ଦଳ ଉକ୍ତ ଆହ୍ୱାନମୂଳକ କାର୍ଯ୍ୟକୁ ଗ୍ରହଣ କରିଥିଲେ ।

ଉକ୍ତ ଦଳ ପୂର୍ବରୁ ୪୦ ମିଟର ଦୂରତାରେ ଥିବା ଫ୍ଲସିଙ୍ଗ ପଏଣ୍ଟକୁ ନିକଟକୁ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କଲେ । ନିଜସ୍ୱ ସମ୍ବଳର ଉପଯୋଗ ପୂର୍ବକ ଉକ୍ତ ଦଳ ୧୫୦ ମିଲିମିଟର ବ୍ୟାସ ଓ ୩ ମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ଭଲ୍ଭ ସଂଯୁକ୍ତ ଥିବା ପାଇପ ପ୍ରସ୍ତୁତ କଲେ । ଏହାକୁ ୱାଟର ଟ୍ରଫ ସହିତ ସଂଯୁକ୍ତ କରି ପୂର୍ବର ୪୦ ମିଟର ଦୂରତାକୁ ୧୦ ମିଟରକୁ ହ୍ରାସ କରାଯାଇଥିଲା । ଏହି ଭଲ୍ଭର ଉପଲବ୍ଧତା ପ୍ରତି ସିଫ୍ଟରେ ଦୁଇଥର ଫ୍ଲସିଙ୍ଗ ସମ୍ପନ୍ନ କରିବା କ୍ଷେତ୍ରରେ ସହାୟକ ହୋଇଥିଲା ଯାହା ସୋକିଙ୍ଗ ଜୋନରେ ସ୍କେଲ ବୃଦ୍ଧି ରୋକିବା କ୍ଷେତ୍ରରେ ସହାୟକ ହୋଇଥିଲା ।

ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ଫଳରେ ଟ୍ରଫରେ ସ୍କେଲ ଜାମିଙ୍ଗକୁ ସମ୍ପୂର୍ଣ୍ଣ ରୂପେ ରୋକାଯାଇପାରିଛି । ଏହାଦ୍ୱାରା ଫର୍ଣ୍ଣେସର କାର୍ଯ୍ୟନିପୁଣତାରେ ମଧ୍ୟ ଉନ୍ନତି ସାଧିତ ହୋଇଛି ଯଦ୍ଦ୍ୱାରା ରୋଲିଙ୍ଗ ମାନରେ ଉନ୍ନତି ଘଟିଛି ଏବଂ ଉତ୍ପାଦକତାରେ ବୃଦ୍ଧି ଘଟିଛି । ଏହା ୱାଟର ଲିକେଜକୁ ମଧ୍ୟ ରୋକିବାରେ ସମର୍ଥ ହୋଇଛି ଏବଂ ଏକ ସୁରକ୍ଷିତ କାର୍ଯ୍ୟ ପରିବେଶ ସୁନିଶ୍ଚିତ କରିଛି । ଏହି ସମସ୍ତ ପ୍ରୟାସ ଯୋଗୁଁ କାରଖାନାର ପ୍ରାୟ ୧.୩୫ କୋଟି ଟଙ୍କାର ସଞ୍ଚୟ ସମ୍ଭବପର ହୋଇପାରିଛି ।

By amfnews

Related Post