Sun. Dec 29th, 2024

ଆରଏସପି ଦ୍ୱାରା ବବ୍ସ ୱାଗନ ଟର୍ଣ୍ଣ ଆରାଉଣ୍ଡ ସମୟ ହ୍ରାସ ପ୍ରୟାସ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଟ୍ରଫି ଅନ୍ତର୍ଗତ ସ୍ୱତନ୍ତ୍ର ପୁରସ୍କାର ଲାଭ

By amfnews Dec 17, 2018 #Featured
625 Views

ରାଉରକେଲା, : ମହାରତ୍ନ କମ୍ପାନୀ ସେଲ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନା ବବ୍ସ ୱାଗନ ଟର୍ଣ୍ଣ ଆରାଉଣ୍ଡ ସମୟ ହ୍ରାସ ପ୍ରୟାସ ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଟ୍ରଫି ପୁରସ୍କାର ଯୋଜନା ଅନ୍ତର୍ଗତ ସ୍ୱତନ୍ତ୍ର ପୁରସ୍କାର ଓ ପ୍ରଶଂସା ପତ୍ର ଲାଭ କରିଛି । ୨୦୧୬-୧୭ ଆକଳନ ବର୍ଷ ନିମନ୍ତେ ପ୍ରଧାନମନ୍ତ୍ରୀ ଟ୍ରଫି ଚୟନ କମିଟି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଉକ୍ରର୍ଷତା ହାସଲକୁ ପ୍ରୋତ୍ସାହନ ପ୍ରଦାନ ଲକ୍ଷ୍ୟରେ ପ୍ରଥମ ଥର ଏହି ବର୍ଗରେ ପୁରସ୍କାର ପ୍ରଦାନ ଆରମ୍ଭ କରିଛି । ସ୍ୱାଗତଯୋଗ୍ୟ ଯେ, ଆରଏସପି ଏକମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ରୂପେ ଏହି ପୁରସ୍କାର ଲାଭ କରିଛି ।

ଉଲ୍ଳେଖନୀୟ ଯେ, ୨୦୧୬-୧୭ ଆର୍ଥିକ ବର୍ଷରେ ଆରଏସପିର ସମୁଦାୟ ଚାହିଦାର ୭୪% ଅର୍ଥାତ୍ ୩.୭୯ ନିୟୁତ ଟନ ଲୁହାପଥର ରେଳବାଇ ଯୋଗେ ବବ୍ସ ୱାଗନରେ ପରିବହନ ହୋଇଥିଲା । ଏହି ରେକଗୁଡିକୁ ରେଳବାଇ ଦ୍ୱାରା କାରଖାନାରୁ ୪.୦୩ କିଲୋମିଟର ଦୂରତାରେ ଅବସ୍ଥିତ ବନ୍ଧମୁଣ୍ଡା ଏକ୍ସଚେଞ୍ଜ ୟାର୍ଡକୁ ଅଣାଯାଇଥାଏ । ରେଳବାଇ ଏକ୍ସଚେଞ୍ଜ ୟାର୍ଡରୁ ଏହି ମେଟେରିଆଲକୁ ନିଜସ୍ୱ ଲୋକୋମୋଟିଭରେ ଆଣି ଟ୍ରାକ ହପରରେ ଅନଲୋଡ କରି ଏହାକୁ ନିର୍ଦ୍ଧାରିତ ଜୋରିମାନା ମୁକ୍ତ ସମୟ ସାଢେ ପାଞ୍ଚ ଘଣ୍ଟା ସମୟ ମଧ୍ୟରେ ଏକ୍ସଚେଞ୍ଜ ୟାର୍ଡକୁ ପୁନଃ ପ୍ରେରଣା କରିବା ଆରଏସପିର ଦାୟିତ୍ୱ ଅଟେ ।

ଏଥିରେ ବିଳମ୍ବ ଘଟିଲେ ରେଳବାଇକୁ ଉଚ୍ଚଦରରେ ଡେମୁରେଜ ଦେବାକୁ ହୋଇଥାଏ । ସୂଚନାଯୋଗ୍ୟ ଯେ, କେବଳ ଜଙ୍କସନ ପଏଣ୍ଟରୁ ଅନଲୋଡିଙ୍ଗ ପଏଣ୍ଟକୁ ରେକର ଯିବା ଆସବା ସମୟ ୨.୩୩ ଘଣ୍ଟା ଅଟେ । ୨୦୧୬-୧୭ ଆର୍ଥିକ ବର୍ଷରେ ବିବିଧ ଆଂଶିକ ପରିବର୍ତ୍ତନ ଦ୍ୱାରା ଅନଲୋଡିଙ୍ଗ, ଡୋର ବନ୍ଦ କରିବା ଓ ୱାଗନ ଫେରାଇବା ସମୟକୁ ୨.୪୫ ଘଣ୍ଟା ମଧ୍ୟରେ ସମ୍ପାଦନ କରିବାରେ କାରଖାନା ସମର୍ଥ ହୋଇଥିଲା ।

ଏହି ସମସ୍ତ ପ୍ରୟାସର ଫଳସ୍ୱରୂପ ବାର୍ଷିକ ଟର୍ଣ୍ଣ ଆରାଉଣ୍ଡ ସମୟ ହାରାହାରି ୪.୭୮ ଘଣ୍ଟାକୁ ହ୍ରାସ ପାଇଥିଲା ଯାହା ସମଗ୍ର ସେଲ ମଧ୍ୟରେ ସର୍ବଶ୍ରେଷ୍ଠ ଅଟେ ଏବଂ ଏଥିସହିତ ଶୂନ୍ୟ ଡିରେଲମେଣ୍ଟ ଓ ଶୂନ୍ୟ ଦୁର୍ଘଟଣା ମଧ୍ୟ ହାସଲ ହୋଇଥିଲା । ଆର୍ଥିକ ବର୍ଷ ୨୦୧୬-୧୭ରେ ଦ୍ରୁତ ରିଲିଜ ସମୟ ଯୋଗୁଁ ଆରଏସପି ବବ୍ସ ସର୍କିଟରେ ୮୬.୮୦ ଲକ୍ଷ ଟଙ୍କାର କ୍ରେଡିଟ ସଞ୍ଚୟ ହୋଇପାରିଛି । ଏହି ସଫଳତା ଟ୍ରାଫିକ ଓ କଞ୍ଚାମାଲ ବିଭାଗ ଓ ଓବିବିପି ବିଭାଗର କର୍ମଚାରୀଙ୍କ ଦୃଢନିଷ୍ଠ ପ୍ରୟାସ ଯୋଗୁଁ ସଫଳ ହୋଇଛି । ଇସ୍ପାତ ମନ୍ତ୍ରଣାଳୟ ଦ୍ୱାରା ଅନୁଷ୍ଠିତ ହେବାକୁ ଯାଉଥିବା ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ।

By amfnews

Related Post