Sun. Nov 24th, 2024

ଆରଏସପି ଆଲୁକୂଲ୍ୟରେ ଗୁରୁ ଦିବସ ପାଳିତ

By amfnews Sep 6, 2018 #Featured
261 Views

ରାଉରକେଲା, ୬ା୯  :    ଆର୍ଏସ୍ପି ସହରସେବା ଶିକ୍ଷା ବିଭାଗ ଦ୍ୱାରା ସେପ୍ଟେମ୍ବର ୫ ତାରିଖରେ ଗୁରୁ ଦିବସ ପାଳନ ଅବସରରେ ସିଭିକ ସେଣ୍ଟର ଠାରେ ଆୟୋଜିତ ଉତ୍ସବରେ ଆଗାମୀ ପିଢିର ଗଠନ ଓ ରାଷ୍ଟ୍ର ନିର୍ମାଣରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଭୂମିକାର ଉଚ୍ଚ ପ୍ରଶଂସା କରାଯାଇଥିଲା । ଉତ୍ସବରେ ଆରଏସପିର କାର୍ମିକ ଓ ପ୍ରଶାସନ ବିଭାଗ ଇଡି ପି. କେ. ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଉକ୍ତ ଉତ୍ସବରେ ପ୍ରକଳ୍ପ ବିଭାଗର ଇଡି ରାଜୀବ ଅଗ୍ରୱାଲ ଏବଂ ସହର ପ୍ରଶାସନ ବିଭାଗ ଜିଏମ ଏନ୍. କେ. ସାମନ୍ତରାୟ ଉତ୍ସବରେ ସମ୍ମାନିତ ଅତିଥି ଏବଂ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଭୁବନେଶ୍ୱରର ଏନ୍ଏସ୍ଏସ୍ ବ୍ୟୁରୋ ପ୍ରୋଗ୍ରାମ କୋ-ଅର୍ଡିନେଟର ପ୍ରଫେସର ଡକ୍ଟର ନଚିକେତା କେ. ଶର୍ମା ସମ୍ମାନିତ ବକ୍ତା ଭାବେ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ତଥା ଭାରତର ଦ୍ୱିତୀୟ ରାଷ୍ଟ୍ରପତି, ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପଟ୍ଟଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି ଅନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ ।

ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ ବିଦ୍ୟାର୍ଥୀମାନଙ୍କୁ ସେମାନଙ୍କର ଗୁରୁ କିଭଳି ଭାବେ ପ୍ରଭାବିତ ଓ ଅନୁପ୍ରେରିତ କରିଥାନ୍ତି, ସେ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ । ନିଜର ବକ୍ତବ୍ୟରେ ଶ୍ରୀ ଅଗ୍ରୱାଲ କବୀରଙ୍କ ବଚନ ଉଦ୍ଧୃତ କରିଥିଲେ ଏବଂ ଗୁରୁଙ୍କ ସ୍ଥାନ କିଭଳି ଭଗବାନଙ୍କ ଠାରୁ ମଧ୍ୟ ଉଦ୍ଧ୍ୱର୍ରେ ରହିଆସିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ । ଗୁରୁ ଦିବସର ମହତ୍ୱ ସମ୍ପର୍କରେ ଶ୍ରୀ ସାମନ୍ତରାୟ ନିଜ ଜୀବନର ବିଭିନ୍ନ ପର୍ଯ୍ୟାୟରେ ଗୁରୁଙ୍କ ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ବକ୍ତା ପ୍ରଫେସର ଡକ୍ଟର ଶର୍ମା ବିଭିନ୍ନ ଉଦାହରଣ ଓ କଥା ମାଧ୍ୟମରେ କହିଲେ ଯେ, ଜ୍ଞାନ ଏଭଳି ଏକ ସମ୍ପଦ ଯାହା ଜଣେ ବ୍ୟକ୍ତିଙ୍କ ନିକଟରେ ଚିରଦିନ ପାଇଁ ରହିଥାଏ ।

ଆଜିକାଲିର ପିଲାଙ୍କ ମାନସିକ ଓ ମନସ୍ତାତ୍ତ୍ୱିକ ବିକାଶ ସହ ତାଳ ରଖିବା ପାଇଁ ସେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଆହ୍ୱାନ ଜଣାଇଥିଲେ । କାରଣ ସାଂପ୍ରତିକ ସମସ୍ୟାକୁ ବିଗତ ଦିନର ସମାଧାନ ସୂତ୍ରରେ ଦୂର କରାଯାଇପାରେନା । ଉତ୍ସବରେ ଶ୍ରୀ ପ୍ରଧାନ, ପ୍ରଫେସର ଶର୍ମାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରାରମ୍ଭରେ ସେକ୍ଟର-୨୦ ସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଗୁରୁବନ୍ଦନା ଗାନ କରାଯାଇଥିଲା । ସହର ପ୍ରଶାସନ ବିଭାଗ ଡିଜିଏମ ପି.ସି. ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଶିକ୍ଷା ବିଭାଗ ମ୍ୟାନେଜର ଏନ୍. ଖାନୁମ ଅତିଥି ବକ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ । ଶିକ୍ଷା ବିଭାଗର ଏଜିଏମ ବି. କେ. ରାଉତ ଧନ୍ୟବାଦ ଜ୍ଞାପନ କରିଥିଲେ ।

ସେକ୍ଟର-୨୦ ସ୍ଥିତ ଆଇଇଏମ୍ଏସ୍ ଛାତ୍ରୀ ସୁଶ୍ରୀ କନିଷ୍କା ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଆଇଇଏମ୍ଏସ୍ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ଆକର୍ଷଣୀୟ ନୃତ୍ୟ ସହିତ କାର୍ଯ୍ୟକ୍ରମ ଶେଷ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସର୍ଭିସେସ ଓ ୟୁଟିଲିଟିଜ ବିଭାଗ ଜିଏମ ଇନଚାର୍ଜ ଗୌତମ ବାନାର୍ଜୀ, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗ ନିର୍ଦ୍ଦେଶକ ଡକ୍ଟର ଏସ୍.ଏସ୍. ପତି, କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀ, ବହୁ ଶିକ୍ଷକ ତଥା ଆର୍ଏସ୍ପି ପରିଚାଳିତ ବିଦ୍ୟାଳୟଗୁଡିକର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

By amfnews

Related Post