Sat. Mar 7th, 2026

ଆବୁ ଧାବି ବିମାନ ବନ୍ଦରରେ ଛୋଟା ଶକିଲ୍‌ର ଭାଇ ଅଟକ

242 Views

ମୁମ୍ବାଇ, ଡିସେମ୍ବର ୧୬ : ଅଣ୍ଡର୍‌ ଓ୍ଵାର୍ଲଡ୍‌ ଗ୍ୟାଙ୍ଗଷ୍ଟର୍‌ ଛୋଟା ଶକିଲ୍‌ର ଭାଇ ଅନ୍‌ଓ୍ଵାର୍‌ ବାବୁ ଶେଖ୍‌ ଓରଫ୍‌ ଶିବାଙ୍କୁ ଶୁକ୍ରବାର ଦିନ ଆବୁଧାବି ବିମାନ ବନ୍ଦରରେ ଅଟକ ରଖାଯାଇଛି ମୁମ୍ବାଇ ପୁଲିସ ସୂତ୍ରରୁ ପ୍ରକାଶ। ଅନ୍‌ଓ୍ଵାର୍‌ କରାଚିର ଜିନ୍ନା ଇଣ୍ଟର୍‌ନେସ୍‌ନାଲ୍‌ ବିମାନ ବନ୍ଦରରୁ ପାକିସ୍ତାନୀ ପାସ୍‌ପୋର୍ଟ ଜରିଆରେ ଯାତ୍ରା କରୁଥିବା ବେଳେ ପାସ୍‌ପୋର୍ଟକୁ ଜାଲ୍‌ ବୋଲି ସନ୍ଦେହ କରି ତାଙ୍କୁ ଅଟକ ରଖାଯାଇଥିଲା।

ଏହାକୁ ମିଶାଇ ତୃତୀୟ ଥର ଲାଗି ୪୬ ବର୍ଷିୟ ଅନ୍‌ଓ୍ଵାର୍‌ଙ୍କୁ ଆବୁଧାବିରେ ଅଟକ ରଖାଯାଇଛି। ୨୦୦୦ ମସିହାରେ ସେ ଭାରତରୁ ଖସି ପଳାଇବା ପରେ ଇଣ୍ଟର୍‌ପୋଲ୍‌ ଜାରି କରିଥିବା ରେଡ୍‌ ନୋଟିସ୍‌ ଅନୁସାରେ, ସେ ଅପରାଧିକ ଷଡ଼ଯନ୍ତ୍ର, ଭାରତ ବିରୋଧରେ ଯୁଦ୍ଧ କରିବାକୁ ଉଦ୍ୟମ ବା ଯୁଦ୍ଧ କରିବାକୁ ଅସ୍ତ୍ରଶସ୍ତ୍ର ସଂଗ୍ରହ କରିବା ଆଦି ଚାର୍ଜ କରାଯାଇଥିଲା। ପାକିସ୍ତାନର ଆଇଏସ୍‌ଆଇ ସହାୟତାରେ ସମ୍ପ୍ରତି ଅନ୍‌ଓ୍ଵାର୍‌ କରାଚିର କ୍ଲିଫ୍‌ଟନ୍‌ ଅଞ୍ଚଳରେ ବସବାସ କରୁଛି।

ଶକୀଲ୍‌ଙ୍କ ସହଯୋଗୀ ଫହିମା ଅହମଦ୍‌ ଓରଫ୍‌ ମଚ୍‌ମଚ୍‌ ମଧ୍ୟ ତାଙ୍କ ସହ ଅଟକ ଥିବା କଥା ଗୁଜବ ଉଠିଛି, କିନ୍ତୁ ଅଧିକାରୀମାନେ ଏ କଥା ଅସ୍ୱୀକାର କରିଛନ୍ତି। ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ ଅନ୍‌ଓ୍ଵାର୍‌ଙ୍କୁ ବାହାର କରିବାକୁ ଶକୀଲ ଦୁବାଇ ଏକ ଆଇନ୍‌ ପ୍ରତିଷ୍ଠାନରୁ ଦୁଇ ଜଣ ଓକିଲଙ୍କୁ ପଠାଇଛନ୍ତି।

ମୁମ୍ବାଇ ପୁଲିସର ଜଣେ ବରିଷ୍ଠ ଆଇପିଏସ୍‌ ଅଧିକାରୀ କହିଛନ୍ତି: ଅନ୍‌ଓ୍ଵାର୍‌ଙ୍କ ଅଟକ ସଂକ୍ରାନ୍ତରେ ଇଣ୍ଟର୍‌ପୋଲ୍‌ ଏବଂ ସିବିଆଇ ୟୁଏଇ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବେ ବୋଲି ଆମେ ଆଶା କରୁଛୁ। ସୂଚନା ପାଇବାକୁ ଆମେ ୟୁଏଇ ଅଧିକାରୀଙ୍କ ନିକଟକୁ ଇ-ମେଲ୍‌ କରିଛୁ। ସୂଚନା ପାଇବା ପରେ ରେକର୍ଡରୁ ଆମେ ଅନ୍‌ଓ୍ଵାର୍‌ଙ୍କ ଫାଇଲ୍‌ ବାହାର କରି ଆଣିବୁ।

ମୁମ୍ବାଇରେ ପ୍ରାୟ ୧୫ଟି ମାମଲାରେ ଅନ୍‌ଓ୍ଵାର୍‌ଙ୍କୁ ଖୋଜା ଚାଲିଛି।

By amfnews

Related Post