Sat. Mar 7th, 2026

ଆବର୍ଜନାରେ ଭର୍ତ୍ତି ବିଜୁ ମଇଦାନ

256 Views

ଅନୁଗୁଳ, ନଭେମ୍ବର ୨୨: ଅନୁଗୁଳ ବିଜୁ ମଇଦାନ ଷ୍ଟାଡ଼ିୟମ୍‌ରେ ଗୋ ନବରାତ୍ର ମହୋତ୍ସବ ଶେଷ ହୋଇ ୪ଦିନ ବିତିଯାଇଥିଲେ ମଧ୍ୟ ପଡ଼ିଆସାରା ଅଳିଆ ଆବର୍ଜନା ଓ ଟେଣ୍ଟ ବାଉଁଶରେ ଭର୍ତ୍ତି ହୋଇ ରହିଛି। ପରିବେଶ ପ୍ରଦୂଷିତ ହୋଇ ରହିଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଅନୁଗୁଳ ଗୋ ନବରାତ୍ର ମହୋତ୍ସବ ଗୋ ସେବା ସମିତି, ଶ୍ରୀ ଗୋପାଳ ଗୋଶାଳା ଓ ମାତୃଶକ୍ତି ଗୋ‌ ‌େସବା ସମିତି ଦ୍ବାରା ଆୟୋଜନ କରାଯାଇଥିଲା।

ଏହା ପୂର୍ବରୁ ଉକ୍ତ ଖେଳ ପଡ଼ିଆରେ ବାଣିଜ୍ୟ ମେଳା ଅନୁଷ୍ଠିତ ହୋଇଥିଲା। ଏଥିରେ ୧୦୦ରୁ ଉର୍ଦ୍ଧ୍ବ ଛୋଟବଡ଼ ଦୋକାନ ସହିତ ବିଭିନ୍ନ ପ୍ରକାର ଖାଦ୍ୟ ଷ୍ଟଲ ପଡ଼ିଥିଲା। ଏହି ମେଳାର ବ୍ୟବହୃତ ଜରି, ପ୍ଲାଷ୍ଟିକ୍ ବୋତଲ ଓ ବର୍ଯ୍ୟବସ୍ତୁ ସବୁ ପଡ଼ିଆରେ ଏବେ ବି ପଡ଼ିରହିଛି। ଯାହାଦ୍ୱାରା ପଡ଼ିଆ ସାରା ଦୁର୍ଗନ୍ଧରେ ଫାଟି ପଡୁଛି। ଫଳରେ ପ୍ରାତଃ ଓ ସାଂଧ୍ୟଭ୍ରମଣ ପାଇଁ ଆସୁଥିବା ବୟସ୍କ ଲୋକଙ୍କ ଠାରୁ ଆରମ୍ଭ କରି କ୍ରିକେଟ ଖେଳାଳି, ସାଧାରଣ ପୁରୁଷ ଓ ମହିଳା ପଡ଼ିଆର ଶୋଚନୀୟ ଅବସ୍ଥା ଦେଖି ଅସନ୍ତୋଷରେ ଫେରି ଯାଉଥିବାର ଦେଖାଯାଇଛି।

ଗୋ ସେବା ସମିତି, ଶ୍ରୀ ଗୋପାଳ ଗୋଶାଳା, ମାତୃଶକ୍ତି ଗୋ‌ ‌େସବା ସମିତି ଓ ଟାମଡ଼ା କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ମହୋତ୍ସବରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଥିବା ବେଳେ ପିଲାଙ୍କ ଖେଳ ପଡ଼ିଆକୁ ଏପରି ଅପରିଷ୍କାର ଅପରିଚ୍ଛନ୍ନ ଓ ଖାଲଖମା କରି ଦୃଷ୍ଟି ନଦେବା ପରିତାପର ବିଷୟ ବୋଲି ସାଧାରଣରେ ଆଲୋଚନା ହୋଉଛି। ତାମଡ଼ା କର୍ତ୍ତୃପକ୍ଷ ପ୍ରତି ଦୃଷ୍ଟି ଦେବାକୁ କ୍ରୀଡ଼ାପ୍ରେମୀ ଓ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

By amfnews

Related Post