Sun. Mar 8th, 2026

ଆପ୍ ଯୋଗେ ଅଭିଯୋଗ ଆସିବ, ସମାଧାନ ବି ହେବ : ଭିନ୍ନକ୍ଷମ ଓ ଭିକାରୀ ଚିହ୍ନଟ ପାଇଁ ଆସିବ ମୋବାଇଲ୍‌ ଆପ୍

274 Views

ଭୁବନେଶ୍ବର : ରାଜ୍ୟରେ କେତେ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, ବିଧବା, ତୃ୍ତୀୟଲିଙ୍ଗୀ, ଭିକାରୀ, ଅବହେଳିତ ଲୋକ ଅଛନ୍ତି, ତା’ର ସର୍ଭେ ହେବ। ଏଥିପାଇଁ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏକ ମୋବାଇଲ୍‌ ଆପ୍ ପ୍ରସ୍ତୁତ କରିବ। ଏହି ଆପ୍‌ରେ ହିତାଧିକାରୀ ସେମାନଙ୍କ ଅଭିଯୋଗ ଓ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇଁ ଆବେଦନ କରିପାରିବେ। ଏହାସହ ବିଭାଗୀୟ ଅଧିକାରୀମାନେ ଏହା ଉପରେ କ’ଣ ପଦକ୍ଷେପ ନେଲେ, ତା’ର ତଥ୍ୟ ବି ସେମାନେ ଏହି ଆପ୍‌ ମାଧ୍ୟମରେ ଜଣାଇବେ। ଏହି ଆପ୍‌ ବିଭାଗ ଏବଂ ଉପଭୋକ୍ତା ମଧ୍ୟରେ ତଥ୍ୟର ଆଦାନପ୍ରଦାନ ପାଇଁ ବ୍ୟବହାର ହେବ। ମୁଖ୍ୟମନ୍ତ୍ରୀଙ୍କ ୫ଟି କାର୍ଯ୍ୟକ୍ରମରେ ଏହି ମୋବାଇଲ୍‌ ଆପ୍ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି।

ଅପରପକ୍ଷେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ନିକଟରେ ବସିଥିବା ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଏଣିକି ଭିନ୍ନକ୍ଷମମାନଙ୍କୁ ସ୍ମାର୍ଟ କାର୍ଡ ପ୍ରଦାନ କରାଯିବ। ସେଥିରେ କାର୍ଡ ପାଇଥିବା ବ୍ୟକ୍ତିଙ୍କ ସବିଶେଷ ତଥ୍ୟ ରହିବ। ଏଥିରେ କ’ଣ ଅଧିକ ସୁବିଧା ସୁଯୋଗ ରହିବ, ସେନେଇ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମତାମତ ବି ଲୋଡ଼ା ଯାଇଛି।

ସେହିପରି ମଧୁବାବୁ ପେନସନ୍ ଯୋଜନା ନିୟମ-୨୦୦୮ରେ ମଧ୍ୟ ସଂଶୋଧନ ଅଣାଯାଇଛି। ଏଥିରେ ଜଣେ ମହିଳା ବିଧବା ବା ବିବାହ ବିଚ୍ଛେଦ ହୋଇଛି ବୋଲି ନିଜକୁ ନିଜେ ସାର୍ଟିଫିକେଟ୍ ଦେଇପାରିବେ। ଆସିବାକୁ ଥିବା ମୋବାଇଲ୍‌ ଆପ୍‌ରେ ଏହି ବ୍ୟବସ୍ଥା ବି ରହିବ। ଏହାଦ୍ବାରା କୌଣସି ହିତାଧିକାରୀ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେବେ ନାହିଁ। ରାଜ୍ୟର ୯ଟି ଜିଲ୍ଲାରେ ଜାତୀୟସ୍ତରୀୟ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବାକୁ ଥିବା ବେଳେ ୬ଟି ଜିଲ୍ଲାରେ କାମ ଚାଲିଛି। ବାକି ଯେଉଁ ୩ଟି ଜିଲ୍ଲାରେ ଏହି କେନ୍ଦ୍ର ନିର୍ମାଣରେ ସମସ୍ୟା ରହିଛି, ସେଠାରେ ଆସନ୍ତା ଦୁଇ ତିନି ମାସ ମଧ୍ୟରେ ଜମି ଯୋଗାଇ ଦେବାକୁ କୁହାଯାଇଛି।

By amfnews

Related Post