ରାଉରକେଲା, ୨୩ା୧୨: ଅନ୍ମୋଲ ସିଂହଙ୍କୁ ଗୁଳିମାଡ ଘଟଣାର ପର୍ଦ୍ଦାଫାଶ ହୋଇଛି । ଏହା ଏକ ପ୍ରାୟୋଜିତ ଗୁଳିମାଡ ଘଟଣା ବୋଲି ଜଣାପଡିଛି । ଯାହାକୁ ନିଜେ ଅନମୋଲ ସିଂହ ରଚନା କରିଥିଲେ । ନିଜକୁ ବଞ୍ଚାଇବାକୁ ଯାଇ ଶ୍ରୀ ସିଂହ ବ୍ୟବସାୟିକ ଆଧିପତ୍ୟ ବିସ୍ତାର ପାଇଁ ଏଭଳି ନାଟକ କରି ପୁଲିସ ଜାଲରେ ଛନ୍ଦି ହୋଇଯାଇଛନ୍ତି । ପ୍ରତିପକ୍ଷ ବ୍ୟବସାୟୀଙ୍କୁ ହତ୍ୟା ଷଢଯନ୍ତ୍ର କରି ନିଜେ ସେହି ଷଡଯନ୍ତ୍ରରେ ଫଶି ଯାଇଛନ୍ତି ଅନମୋଲ । ଏହି ଘଟଣାରେ ପୁଲିସ ଅନମୋଲ, ତାର ଦେହରକ୍ଷୀ ଓ ୩ ହତ୍ୟାକାରୀଙ୍କୁ ପୁଲିସ୍ ଗିରଫ କରିଛି । ସେମାନଙ୍କ ଠାରୁ ୨ ପିସ୍ତଲ, ୪ ରାଉଣ୍ଡ ଜୀବନ୍ତ ଗୁଳି, ୨ଟି କାର୍, ନଗଦ ୭୦ ହଜାର ୬୦୦ ଟଙ୍କା ଓ ୫ଟି ମୋବାଇଲ ପୁଲିସ୍ ଜବତ କରିଛି ।
ରାଉରକେଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ପୁଲିସ ଡିଆଇଜି କବିତା ଜଲାନ ଓ ରାଉରକେଲା ଏସ୍ପି ଡ. ଉମାଶଙ୍କର ଦାସ ଏହି ନାଟକ ସମ୍ପର୍କରେ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ ଗତ ୧୦ ତାରିଖ ରାତିରେ ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ବେଲଡିହୀ ନିକଟରେ ବିଲଡର ଅନମୋଲ ସିଂହକୁ ଗୁଳି କରି ହତ୍ୟା କରିବାକୁ ଉଦ୍ୟମ ହୋଇଥିବା ନେଇ ବ୍ରାହ୍ମଣୀ ତରଙ୍ଗ ଥାନାରେ ସେ ନିଜେ ଅଭିଯୋଗ କରିଥିଲେ । ପୁଲିସ ୩୦୭ ଓ ୨୫/୨୭ ଆର୍ମସ ଆକ୍ଟରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା ।
ତେବେ ଘଟଣାର ତଦନ୍ତ ବେଳେ ଅନମୋଲ ସିଂହର ମିଛ ଧରା ପଡ଼ି ଯାଇଥିଲା । ଅନମୋଲ ରିୟଲଷ୍ଟେଟ୍ ବ୍ୟବସାୟ ପାଇଁ ଅନ୍ୟ ଜଣେ ବ୍ୟବସାୟୀଙ୍କ ଠାରୁ ଜମି କିଣି ଥିଲେ । ଜମି କିଣାବିକା ସହିତ ଆର୍ଥିକ ଦେଣନେଣ ମଧ୍ୟ ସରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ସେହି ବ୍ୟବସାୟୀ ଜମିର ଅଧିକ ଦର ଦାବି କରିବା ସହ ଜମିର କାଗଜପତ୍ର ଦେଇନଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇ ମାମଲା ମଧ୍ୟ କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଥିଲା । ତେଣୁ ସଂପୃକ୍ତ ବ୍ୟବସାୟୀଙ୍କୁ ରାସ୍ତାରୁ ହଟାଇ ଦେବାକୁ ଅନମୋଲ ସୁଚିନ୍ତିତ ଷଡଯନ୍ତ୍ର ରଚନା କରିଥିଲେ ।
ଏଥିରେ ତାଙ୍କ ଅଙ୍ଗରକ୍ଷର ସପନ ଓରଫ୍ ସଜନ ତିୱାରୀ ତାଙ୍କୁ ସହଯୋଗ କରିଥିଲେ । ସଜନ ନାଲା ରୋଡ଼ର ଦିଲସାଦ ଖାଁ ଓରଫ୍ ଦିଲୁ, ମୁସ୍ତାକ ଆଲମ, ଶିବୁ ବିଶୋଇକୁ ବ୍ୟବସାୟୀଙ୍କୁ ହତ୍ୟା ପାଇଁ ନିୟୋଜିତ କରିଥିଲା । ଏଥିପାଇଁ ଭଡ଼ାଟିଆ ଗୁଣ୍ଡାଙ୍କୁ ଅନମୋଲ ଅଗ୍ରୀମ ୭୦ ହଜାର ଟଙ୍କା ଦେଇଥିଲେ । ମାତ୍ର ସେମାନେ ବ୍ୟବସାୟୀଙ୍କୁ ହତ୍ୟା କରିବାରେ ବିଫଳ ହୋଇଥିଲେ । ସେଦିନ ରାତିରେ ଅନମୋଲ, ସପନ, ଦିଲୁ, ମୁସ୍ତାକ ଓ ଶିବୁ ସମସ୍ତେ ବେଲଡିହୀର ଏକ ଢାବାକୁ ଖାଇବାକୁ ଯାଇ ସେଠାରେ ଯୋଜନାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ।
ବ୍ଲୁ ପ୍ରିଣ୍ଟ ଅନୁଯାୟୀ ଅନ୍ମୋଲ ନିଜେ ନିଜକୁ ଗୁଳି କରିବା ସହ ନିଜ ଟୟୋଟା ଇନୋଭା କାର ଓଡି-୧୪ଜି-୦୦୧୦କୁ ମଧ୍ୟ ଗୁଳି କରିଥିଲେ । ଏହାପରେ ପୁଲିସ ନିକଟରେ ଗୁଳି କାଣ୍ଡର ନାଟକ କରିଥିଲେ ବୋଲି ଡିଆଇଜି ସୂଚନା ଦେଇଛନ୍ତି । ଏହା ଜଣାପଡିବା ପରେ ଅନମୋଲ ସହ ତାର ସମସ୍ତ ସହଯୋଗୀଙ୍କୁ ଗିରଫ କରାଯାଇ ସେମାନଙ୍କଠାରୁ ୨ ପିସ୍ତଲ, ଗୁଳି, ନଗଦ ଟଙ୍କା, ୩ଟି କାର୍ ଓ ବାଇକ୍ ଜବତ କରାଯାଇଛି । ୨୦୧୩ ମଇ ମାସରେ ମଧ୍ୟ ଅନମୋଲଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା ବୋଲି ଉଦିତନଗର ଥାନରେ ଅଭିଯୋଗ ହୋଇଥିଲା ।
କିନ୍ତୁ ସେ ଗୁଳିକାଣ୍ଡ ନିଜେ କରାଇ ଥାଇପାରେ ବୋଲି ଏବେ ସନ୍ଦେହ ହୋଇଛି । ପୁଣି ସେ ଘଟଣାର ତଦନ୍ତ କରାଯିବ ବୋଲି ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି । ଏପରିକି ଅନମୋଲ ବ୍ୟବସାୟ ଏବଂ ତା ସହିତ କାହାର କି ସମ୍ପର୍କ ରହିଛି ସେ ନେଇ ମଧ୍ୟ ତଦନ୍ତ କରାଯିବ ବୋଲି ଏସ୍ପି ଡ.ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆଇପିଏସ୍ ପଦ୍ମିନୀ ସାହୁ, ଅତିରିକ୍ତ ଏସ୍ପି ପି.କେ. ମହାପାତ୍ର, ଡିଏସ୍ପି ପି.କେ. ମିଶ୍ର ଓ ଏସ୍.ଏନ. ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ ।