Sun. Mar 8th, 2026

ଆତଙ୍କିତ ପାକିସ୍ତାନ ବନ୍ଧୁ ରାଷ୍ଟ୍ର ଚୀନ୍‌କୁ କଲା ଅନୁକରଣ; ଇସ୍‌ଲାମାବାଦ ଓ କରାଚିର ବେସାମରିକ ବିମାନ ଘାଟିକୁ ଖୋଲିଦେଲା ବାୟୁସେନା ପାଇଁ

223 Views

ନୂଆଦିଲ୍ଲୀ  : ଜମ୍ମୁ- କଶ୍ମୀରରୁ ଭାରତ ସରକାର ଧାରା ୩୭୦କୁ ପ୍ରତ୍ୟାହାର କରିନେବା ପର ଠାରୁ ପରୋକ୍ଷରେ ଭାରତକୁ ‘ଯୁଦ୍ଧ’ ଚେତାବନୀ ଶୁଣାଉଥିବା ପାକିସ୍ତାନ ଖୋଦ୍‌ ନିଜେ ଯେ କେତେ ମାତ୍ରାରେ ଭୀତତ୍ରସ୍ତ ଅବସ୍ଥାରେ ରହିଛି ତାହାର ଏକ ନମୁନା ଏବେ ଦେଖିବା ପାଇଁ ମିଳିଛି। କାଳେ ଭାରତ କେତେବେଳେ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିଦେବ, ସେଇ ଆଶଙ୍କାରେ ଆତଙ୍କିତ ପାକିସ୍ତାନ ତା’ର ପରମ ବନ୍ଧୁ ରାଷ୍ଟ୍ର ଚୀନ୍‌ର ପଦାଙ୍କ ଅନୁସରଣ କରି ନିଜର ବେସାମରିକ ବିମାନ ଘାଟିଗୁଡ଼ିକୁ ବାୟୁସେନା ପାଇଁ ଖୋଲି ଦେଇଛି।

ଏହି କ୍ରମରେ ପାକିସ୍ତାନର ଇସ୍‌ଲାମାବାଦ୍‌ରେ ଥିବା ଉଭୟ ନୂଆ ଓ ପୁରୁଣା ଦୁଇଟି ଯାକ ବେସାମରିକ ବିମାନ ଘାଟି ସମେତ କରାଚୀର ବେସାମରିକ ବିମାନ ଘାଟିକୁ ପାକିସ୍ତାନ ବାୟୁସେନା ପାଇଁ ଖୋଲି ଦେଇଥିବା ଉପଗ୍ରହ (ସାଟେଲାଇଟ୍‌) ଜରିଆରେ ଉତ୍ତୋଳିତ ହୋଇଥିବା ଚିତ୍ରରୁ ଜାଣିବା ପାଇଁ ମିଳିଛି।

ହସ୍ତଗତ ହୋଇଥିବା ସାଟେଲାଇଟ୍‌ ଫଟୋ ଓ ରିପୋର୍ଟରୁ ଜାଣିବା ପାଇଁ ମିଳିଛି ଯେ ପାକିସ୍ତାନର ଇସ୍‌ଲାମାବାଦରେ ଥିବା ପୁରାତନ ବେସାମରିକ ବେନଜିର ଭୁଟ୍ଟୋ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ପାକିସ୍ତାନ ଏବେ ବାୟୁସେନା ପାଇଁ ଉନ୍ମୁକ୍ତ କରିଦେଇଛି। ଏଠାରେ ପାକ୍‌ ବାୟୁସେନାର ପୂରା ଗୋଟିଏ ସ୍କାଡର୍ନକୁ ମୁତୟନ କରି ରଖା ଯାଇଛି। ସ୍କାଡର୍ନର ୧୬ଟି ଲଢ଼ୁଆ ବିମାନକୁ ହାଙ୍ଗରରେ ରଖା ଯାଇଥିବା ବେଳେ ଅବଶିଷ୍ଟ ଗୁଡ଼ିକୁ ‘ଅପରେସନାଲ ରେଡିନେସ୍‌ ପ୍ଲାଟଫର୍ମ’ (ଓଆର୍‌ପି)ରେ ରଖାଯାଇଛି। ସେହପରି ଇସ୍‌ଲାମାବଦର ନୂତନ ବେସାମରିକ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ପାକିସ୍ତାନ ବାୟୁସେନା ପାଇଁ ଖୋଲି ଦିଆଯାଇଛି। ଏଠାରେ ୮ଟି ଲଢ଼ୁଆ ବିମାନକୁ ହାଙ୍ଗରରେ ରଖା ଯାଇଥିବା ବେଳେ ୪ଟି ଲଢ଼ୁଆ ମିମାନକୁ ‘ଅପରେସନାଲ ରେଡିନେସ୍‌ ପ୍ଲାଟଫର୍ମ’ (ଓଆର୍‌ପି)ରେ ରଖାଯାଇଛି।

ସେହିପରି ଏହା ପୂର୍ବରୁ ଭାରତର ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନର କରାଚିରେ ଥିବା ଜିନ୍ନା ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ପାକିସ୍ତାନ ବାୟୁସେନା ପାଇଁ ଉନ୍ମୁକ୍ତ କରି ଦିଆ ଯାଇଥିଲା। ଏଠାରେ ପାକ୍‌ ବାୟୁସେନାର ପାଖାପାଖି ଦୁଇଟି ସ୍କାଡର୍ନକୁ ମୁତୟନ କରି ରଖା ଯିବା ସହ ଲଢ଼ୁଆ ବିମାନର ପାଇଲଟମାନଙ୍କ ପାଇଁ ବଙ୍କର ସୁଦ୍ଧା ନିର୍ମିତ ହୋଇଛି।

ଯୁଦ୍ଧ ଜନିତ ଜରୁରିକାଳୀନ ପରିସ୍ଥିତରେ ପାକିସ୍ତାନ ବିନା ବିଳମ୍ବରେ ଏହି ସମସ୍ତ ବିମାନ ଘାଟିରୁ ତାହାର ବାୟୁସେନାକୁ ପରିଚାଳିତ କରିବା ପାଇଁ ଲକ୍ଷ୍ୟ ରଖିଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପାକିସ୍ତାନର ସବୁ ସମୟର ପରମ ମିତ୍ର ଚୀନ୍‌ ତା’ ଦେଶର ୬୦ଟି ବିମାନ ଘାଟିକୁ ଉଭୟ ବେସାମରିକ ଓ ସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରିଥାଏ। ବର୍ତ୍ତମାନର ସଙ୍କଟଜନକ ପରିସ୍ଥିତିରେ ପାକିସ୍ତାନ ତା’ ବନ୍ଧୁ ରାଷ୍ଟ୍ରକୁ ଅନୁକରଣ କରି ନିଜର ୩ଟି ପ୍ରମୁଖ ବିମାନ ଘାଟିକୁ ଉଭୟ ବେସାମରିକ ଓ ସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ ପ୍ରସ୍ତୁତ କରି ରଖୁଥିବା ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି।

By amfnews

Related Post