Mon. Mar 10th, 2025

ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ରିପୋର୍ଟ, ଚିହ୍ନଟ ହେଲା ୧୮ ଅନୁପ୍ରବେଶ ସ୍ଥାନ

By amfnews Sep 5, 2019 #Featured
255 Views

ନୂଆଦିଲ୍ଲୀ  : ଜମ୍ମୁ କଶ୍ମୀରରେ ପାକିସ୍ତାନର ସେନା ସହଯୋଗରେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଯୋଜନା କରିଛନ୍ତି। ଜମ୍ମୁ କଶ୍ମୀରରେ ପ୍ରବେଶ କରି ଆକ୍ରମଣ କରିବା ପାଇଁ ଆତଙ୍କବାଦୀଙ୍କୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା (ଆଇଏସଆଇ) ମଧ୍ୟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏ ନେଇ ଭାରତୀୟ ଗୁଇନ୍ଦା ସଂସ୍ଥା ରିପୋର୍ଟ ପ୍ରକାଶ କରିଛି। ଅନୁପ୍ରବେଶ ପାଇଁ ସୀମାନ୍ତରେ ଥିବା ୧୮ଟି ସ୍ଥାନ ଚିହ୍ନଟ ହୋଇଛି। ଯେଉଁ ସ୍ଥାନ ଦେଇ ଆତଙ୍କବାଦୀ ଅନୁପ୍ରବେଶ କରିବାର ସମ୍ଭାବନା ରହିଛି।

ଅଗଷ୍ଟ ୨୨ରେ ବାରମୁଳାରେ ଅନୁପ୍ରବେଶ କରି ଗିରଫ୍ ହୋଇଥିବା ଦୁଇ ଲସ୍କର-ଇ-ତୋଇବାର ଆତଙ୍କବାଦୀଙ୍କ ବାବଦରେ ସୂଚନା ଦେବାକୁ ଯାଇ ଗତକାଲି ଭାରତୀୟ ସେନା ମଧ୍ୟ ସମାନ କଥା କହିଥିଲା। ସେନା ଗୁଇନ୍ଦା ରିପୋର୍ଟ ଅନୁସାରେ ପିଓକେରେ ପାକିସ୍ତାନର ୫୦ରୁ ଅଧିକ ସେନାଧିକାରୀ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଉଛନ୍ତି। ସେମାନଙ୍କୁ ରେଶହଆନ ଗଲି ଓ କାଡଲାନ ଗଲି ଦେଇ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ ପାଇଁ ଯୋଜନା କରାଯାଇଛି। ଏହାବାଦ୍‌ ୮୦ରୁ ୯୦ ଜଣ ଏସଏସଜି କମାଣ୍ଡୋଙ୍କୁ ମୁଜାଫରବାଦ୍‌ରେ ତାଲିମ ଦିଆଯାଉଛି। ଏମାନେ ହାଜିପୁରା ନଲା ସେକ୍ଟରରେ ଭାରତୀୟ ସେନା ଉପରେ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି।

ଭାରତୀୟ ଗୁଇନ୍ଦା ସଂସ୍ଥା ଆତଙ୍କବାଦୀଙ୍କ ପ୍ରବେଶସ୍ଥଳୀ ବାବଦରେ ସୂଚନା ଦେବାକୁ ଯାଇ ୧୮ଟି ସ୍ଥାନର ତାଲିକା ପ୍ରକାଶ କରିଛି। ଯେଉଁଥିରୁ ତିନୋଟି ପ୍ରମୁଖ ସ୍ଥାନ ହେଲା ଏଲଓସି-ମନସେରା, କୋଟଲି ଏବଂ ଏ-୩ ରହିଛି।

ମନସେରା ଲଞ୍ଚ ପ୍ୟାଡ୍ ଅଧିନରେ ବାଲାକୋଟ୍, ଗରହି, ହବିବୁଲହା, ବଟ୍ରସି, ଚେରୋ ମଣ୍ଡି, ସିଓ୍ୱାଇ ନଲ, ମୁସ୍କାର ଏବଂ ଅବଦୁଲ୍ଲା ବିନ୍ ମାସୁଦ୍। ସେହିପରି କୋଟି ଅଧୀନରେ ଗୁଲପୁର, ସେସା, ବରଲି, ଡୁଙ୍ଗି ଏବଂ କୋଟଲି ରହିଛି। ଅନ୍ୟତମ ଏ-୩ ସେକ୍ଟରରେ କଲି ଘାଟି ଏବଂ ହାଜିରେ ରହିଛି। ଏହା ବ୍ୟତୀତ ବାହାଓ୍ୱଲପୁର, ବୁମ୍ୱା ଏବଂ ବରନାଳ ତିନୋଟି ନୂଆ ଆତଙ୍କବାଦୀ ପ୍ରବେଶସ୍ଥଳୀ ଭାବରେ ଚିହ୍ନଟ ହୋଇଛି। ଏବେ ସମସ୍ତ ଘାଟିରେ ଯବାନମାନଙ୍କୁ ହାଇ ଆଲର୍ଟରେ ରହିବା ପାଇଁ କୁହାଯାଇଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ବିଚଳିତ ହୋଇପଡ଼ିଛି। ଭାରତର ଏହି ନିଷ୍ପତ୍ତିକୁ ଅସାମ୍ୱିଧାନିକ କହି ବାରମ୍ୱାର ଯୁଦ୍ଧ ଓ ଆତଙ୍କବାଦୀ ଆକ୍ରମଣ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ପାଖରୁ ଆରମ୍ଭ କରି ଅନ୍ୟ ମନ୍ତ୍ରୀ ମନ୍ତବ୍ୟ ରଖୁଛନ୍ତି।

By amfnews

Related Post