ନୂଆଦିଲ୍ଲୀ, ସେପ୍ଟେମ୍ବର ୦୯ : ଦିଲ୍ଲୀ ମେଟ୍ରୋର ବ୍ଲୁ ଓ ପିଙ୍କ ଲାଇନରେ ସେବା ବୁଧବାର ଠାରୁ ଆରମ୍ଭ ହୋଇଯାଇଛି । କୋଭିଡ-୧୯ କାରଣରୁ ୧୭୧ ଦିନ ପର୍ଯ୍ୟନ୍ତ ଏହି ୨ଟି ଲାଇନରେ ମେଟ୍ରୋ ସେବା ବନ୍ଦ ଥିଲା । ଏହି ୨ ଲାଇନରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟା ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଟ୍ରେନ ଉପଲବ୍ଧ ରହିବ । ଦିଲ୍ଲୀ ମେଟ୍ରୋ କର୍ପୋରେଶନ ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ଦିଲ୍ଲୀ ମେଟ୍ରୋ ପରିଚାଳନାର ସମୟ ହ୍ରାସ ଏବଂ କୋଭିଡ-୧୯ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି । ଏହା ବ୍ୟତୀତ ଗୁରୁବାର ଠାରୁ ଆହୁରି ଅନ୍ୟ ୩ଟି ଲାଇନ- ରେଡ ଲାଇନ, ଭାଓଲେଟ ଲାଇନ ଓ ଗ୍ରୀନ ଲାଇନରେ ସେବା ଆରମ୍ଭ ହେବ ।
ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେଶନ ଏକ ବୟାନରେ କହିଛି, ମେଟ୍ରୋ ସେବା ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀ ମେଟ୍ରୋ ୧୭୧ ଦିନ ପରେ ବୁଧବାର ନିଜର ବ୍ଲୁ ଲାଇନ (ଦ୍ୱାରକା ସେକ୍ଟର-୨୧ରୁ ଇଲେକ୍ଟ୍ରି ସିଟି/ବୈଶାଳୀ) ଓ ପିଙ୍କ ଲାଇନ (ମଜଲିସ ପାର୍କ ଠାରୁ ଶିବ ବିହାର) ପର୍ଯ୍ୟନ୍ତ ଆରମ୍ଭ ହୋଇଛି । କରୋନା ଭାଇରସ କାରଣରୁ ମେଟ୍ରୋ ଟ୍ରେନରେ ଗୋଟିଏ ସିଟ ଛାଡ଼ି ବସିବାର ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ମେଟ୍ରୋ ଷ୍ଟେସନ ପ୍ରବେଶ କରିବା ପୂର୍ବରୁ ଯାତ୍ରୀମାନଙ୍କର ତାପମାତ୍ରା ମଧ୍ୟ ମପାଯିବ । ଏହା ସାଧାରଣ ଥିଲେ ଭିତରକୁ ପ୍ରବେଶ ଅନୁମତି ମିଳିବ ।
ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଅନଲକ-୪ରେ ଦେଶର ମେଟ୍ରୋ ସେବା ପରିଚାଳନାକୁ ଅୁମତି ଦେଇଛନ୍ତି । ଏହି ଆଧାରରେ ଗତ ୭ ତାରିଖ ଠାରୁ ମେଟ୍ରେ ଟ୍ରେନ ସେବା ପୁଣି ଥରେ ଶୁଭାରମ୍ଭ ହୋଇଛି ।