Tue. Dec 24th, 2024

ଆଜିଠୁ ଜୟଶଙ୍କରଙ୍କ ୪ ଦିନିଆ ରୁଷିଆ ଗସ୍ତ, କହିଲେ- ଏଲ୍‌ଏସିରେ ଗମ୍ଭୀର ସ୍ଥିତି

By amfnews Sep 8, 2020 #Featured
132 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୮ : ଚୀନ ଦ୍ୱାରା ଭାରତ ସୀମାରେ ଉତ୍ତେଜନା ଦେଖାଯାଇଥିବା ବେଳେ ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର ମଙ୍ଗଳବାର ୪ ଦିନିଆ ରୁଷିଆ ଗସ୍ତ କରୁଛନ୍ତି । ସେଠାରେ ବିଦେଶ ମନ୍ତ୍ରୀ ଶାଙ୍ଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ସାମିଲ ହେବେ । ମସ୍କୋର ରାସ୍ତାରେ ମଙ୍ଗଳବାର ସେ ଇରାନରେ କିଛି ସମୟ ଅଟକିପାରନ୍ତି । ଜାତୀୟ ଗଣମାଧ୍ୟମକୁ ମିଳିଥିବା ବିଶ୍ୱସ୍ତ ସୂଚନା ଅନୁସାରେ ମସ୍କୋରେ ଜୟଶଙ୍କର ନିଜର ଚୀନ ସମକକ୍ଷ ୱାଙ୍ଗ ୟିଙ୍କ ସହିତ ଦ୍ୱିପାକ୍ଷୀକ ବୈଠକ କରିବାର ଆଶା କରାଯାଉଛି । ଜୟଶଙ୍କର ମସ୍କୋରେ ଆୟୋଜିତ ୮ ସଦସ୍ୟ ଏସସିଓର ବିଦେଶ ମନ୍ତ୍ରୀମାନଙ୍କ ସହିତ ବୈଠକରେ ସାମିଲ ହେବାକୁ ଯାଉଛନ୍ତି, ଯେଉଁଥିରେ କି ଭାରତ ହେଉଛି ଅନ୍ୟତମ ସଦସ୍ୟ ।

ମସ୍କୋ ଗସ୍ତ କରିବା ପୂର୍ବରୁ ଜୟଶଙ୍କର ସମ୍ଭବତଃ ଇରାନ ବିଦେଶ ମନ୍ତ୍ରୀ ଜୱାଦ ଜରୀଫଙ୍କୁ ତେହେରାନରେ ଭେଟିପାରନ୍ତି । ମସ୍କୋ ଯାତ୍ରାର ଦିନକ ପୂର୍ବରୁ ବିଦେଶ ମନ୍ତ୍ରୀ ଚୀନ ଦ୍ୱାରା ଜାରି ଉତ୍ତେଜନାକୁ ନେଇ କହିଛନ୍ତି, ଏଲଏସିରେ ସ୍ଥିତି ଗମ୍ଭୀର ରହିଛି । ମାମଲାର ସମାଧାନ ଲାଗି ରାଜନୈତିକ ସ୍ତରରେ ଆଲୋଚନାର ଆବଶ୍ୟକତା ରହିଛି । ଜୟଶଙ୍କରଙ୍କ ଯାତ୍ରା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ମସ୍କୋ ଯାତ୍ରାର ଅଳ୍ପ ଦିନ ପରେ ହୋଇଛି । ସିଂହ ଏସସିଓର ପ୍ରତିରକ୍ଷା ମନ୍ତ୍ରୀ ବୈଠକରେ ସାମିଲ ହେବାକୁ ରୁଷିଆ ଗସ୍ତ କରିଥିଲେ ।

ସୂଚନାଯୋଗ୍ୟ, ଶୁକ୍ରବାର ସିଂହ ଚୀନର ସମକକ୍ଷ ଜେନେରାଲ ବେଇ ଫେଙ୍ଗାହୀ ପାଖାପାଖି ୨ ଘଣ୍ଟା ପର୍ଯ୍ୟନ୍ତ ଲଦ୍ଦାଖର ସୀମାରେ ଦେଖାଯାଇଥିବା ଉତ୍ତେଜନା ନେଇ ଆଲୋଚନା କରିଥିଲେ ।

By amfnews

Related Post