Sat. Mar 7th, 2026

ଆଜିଠାରୁ ମୋ’ ସ୍କୁଲ ମୋବାଇଲ୍‌ ଆପ୍‌; ମୁଖ୍ୟମନ୍ତ୍ରୀ କରିବେ ଉନ୍ମୋଚନ

173 Views

ଭୁବନେଶ୍ବର : ‘ମୋ ସ୍କୁଲ’। ବିଦ୍ୟାଳୟର ବିକାଶରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଯୋଡ଼ିବା ପାଇଁ ୨୦୧୭ ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ପଦକ୍ଷେପ ନେଇଥିଲେ। ଲକ୍ଷ୍ୟ ଥିଲା, ପୁରାତନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସ୍କୁଲର ବିକାଶ ସହ ଯୋଡ଼ିବା। ଏଥିରେ ପୁରାତନ ଛାତ୍ରଛାତ୍ରୀ ସଂପୃକ୍ତ ସ୍କୁଲର ପାଠାଗାର, ବିଜ୍ଞାନାଗାର, ଛାତ୍ରବୃତ୍ତି ଆଦି ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ସହାୟତା ଦେଇପାରିବେ। ସେମାନେ ଯେତେ ପରିମାଣର ଅର୍ଥ ଦାନ କରିବେ, ରାଜ୍ୟ ସରକାର ତା’ର ଦୁଇଗୁଣ ଅର୍ଥ ପ୍ରଦାନ କରିବେ। ଏଥିପାଇଁ ରାଜ୍ୟ ସରକାର ଶହେ କୋଟି ଟଙ୍କାର କର୍ପସ ପାଣ୍ଠି ମଧ୍ୟ ସୃଷ୍ଟି କରିଥିଲେ।

ଇତିମଧ୍ୟରେ ‘ମୋ ସ୍କୁଲ’ ଅଭିଯାନକୁ ଦୁଇ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ୯ ହଜାର ୯୮୫ ବିଦ୍ୟାଳୟ ସାମିଲ ହୋଇଛନ୍ତି। ୧୩ ହଜାର ୨୦୪ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ଗତ ଅକ୍ଟୋବର ୨୯ ସୁଦ୍ଧା ୧ ଲକ୍ଷ ୬୬ ହଜାର ୬୦୮ ପୁରାତନ ଛାତ୍ରଛାତ୍ରୀ, ସଂସ୍ଥା, ଅନୁଷ୍ଠାନ ବିଦ୍ୟାଳୟକୁ ଦାନ କରିଛନ୍ତି। ସେମାନଙ୍କଠାରୁ ସ୍କୁଲର ବିକାଶ ପାଇଁ ୩୪ କୋଟି ୮୭ ଲକ୍ଷ ୭୬ ହଜାର ୪୩୫ ଟଙ୍କା ବିଦ୍ୟାଳୟଗୁଡ଼ିକୁ ମିଳିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ବାବଦରେ ୬୯ କୋଟି ୬୪ ଲକ୍ଷ ୪୫ ହଜାର ୮୭୧ ଟଙ୍କା ପ୍ରଦାନ କରାଯାଇଛି। ମୋ’ ସ୍କୁଲକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଆସନ୍ତାକାଲି (ଗୁରୁବାର)ଠାରୁ ମୋ’ ସ୍କୁଲ ମୋବାଇଲ୍‌ ଆପ୍‌ର ଉନ୍ମୋଚନ କରାଯିବ। ଏହା ମାଧ୍ୟମରେ ଅଧିକ ସଂଖ୍ୟାରେ ପୁରାତନ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ସହ ଯୋଡ଼ି ହୋଇପାରିବେ। ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆପ୍‌ର ଉନ୍ମୋଚନ କରିବେ। ଏଥିସହ ଭିଡିଓ କନ୍‌ଫରେନସିଂ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମୋ’ ସ୍କୁଲ ଅଭିଯାନର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

ଅପରପକ୍ଷେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଅଧ୍ୟକ୍ଷତାରେ ମୋ’ ସ୍କୁଲ ଅଭିଯାନ ପରିଚାଳନା ସଙ୍ଗଠନର ୧୨ଟି ବୈଠକ ବସି ସାରିଲାଣି। ୨୦୧୮ ଜୁନ୍‌ରୁ ୨୦୧୯ ଅକ୍ଟୋବର ମଧ୍ୟରେ ଗଭର୍ଣ୍ଣିଂ କାଉନସିଲ୍‌ ବୈଠକ ୪ଥର ଅନୁଷ୍ଠିତ ହୋଇଛି। ପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କାର୍ଯ୍ୟାଳୟରେ ‘ମୋ ସ୍କୁଲ’ ସେଲ୍‌, ଜିଲ୍ଲାସ୍ତରରେ ପ୍ରକଳ୍ପ ପରିଚାଳନା ପାଇଁ ଜଣେ ନୋଡାଲ୍‌ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି। ଏହି ଯୋଜନାର ବ୍ୟାପକ ପ୍ରସାର ଓ ପ୍ରଚାର ପାଇଁ ପ୍ରଚାରପତ୍ର, ହୋର୍ଡିଂ, ପୋଷ୍ଟର୍‌, ସାମାଜିକ ଗଣମାଧ୍ୟମ, ମୁଦ୍ରିତ ଓ ଦୃଶ୍ୟ-ଶ୍ରାବ୍ୟ ଗଣମାଧ୍ୟମକୁ ଉପଯୋଗ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ମୋ ସ୍କୁଲ ଯୋଜନାର ସଦସ୍ୟ ସଚିବ ତଥା ଓପେସାର ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ କହିଛନ୍ତି।

By amfnews

Related Post