Sat. Mar 7th, 2026

ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା, ସହିଦନଗର ଥାନା ଓ କ୍ୟାପିଟାଲ ହସ୍ପିଟାଲରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

308 Views

ଭୁବନେଶ୍ୱର  : ଆସନ୍ତା କାଲି ଠାରୁ ଆରମ୍ଭ ହେଉଛି ‘ମୋ ସରକାର’ ଯୋଜନା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦନଗର ଥାନା ଓ କ୍ୟାପିଟାଲ ହସ୍ପିଟାଲରୁ ଏହି ଯୋଜନାର ଶୁଭାରମ୍ଭ କରିବେ। ସିଧାସଳଖ ଅଭିଯୋଗକରୀଙ୍କ ସହ ଫୋନରେ ମୁଖ୍ୟମନ୍ତ୍ରୀ ଏହି ଥାନା ଓ ଡାକ୍ତରଖାନାରୁ ହିଁ କଥା ହେବେ। ଅଭିଯୋଗକାରୀଙ୍କ ଠାରୁ ଥାନା ସମ୍ପର୍କରେ ମତ ନେବେ, ଡାକ୍ତରଖାନା ସଂପର୍କରେ ବି। ଆଜି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇ କହିଛନ୍ତି, ଥାନା ସମ୍ପର୍କରେ ଅଭିଯୋଗକାରୀଙ୍କ ମତାମତ ହିଁ ଅଧିକାରୀଙ୍କ ପଦୋନ୍ନତିକୁ ପ୍ରଭାବିତ ହେବାକୁ ଥିବାରୁ ଏହାକୁ ଅଧିକ ଗୁରୁତ୍ବ ଦିଆଯାଉଛି।

ବିଶେଷକରି କେଉଁ ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀଙ୍କ ନଜର ପଡ଼ିବ? କାହା ପାଖକୁ ଯିବ ଫୋନ୍‌? ଅଭିଯୋଗକାରୀ ପାଖରୁ କଣ ଉତ୍ତର ଆସିବ? ଉତ୍ତରରେ ମୁଖ୍ୟମନ୍ତ୍ରୀ ଥାନା ଉପରେ ସନ୍ତୁଷ୍ଟ ହେବେ ତ? ଏଭଳି ଅନେକ ପ୍ରଶ୍ନ ପୁଲିସ ଅଧିକାରୀଙ୍କୁ ଆନ୍ଦୋଳିତ କରିଛି। ଏ ନେଇ ପୁଲିସ କମିସନର ଶ୍ରୀ ଷଡ଼ଙ୍ଗୀ କହିଛନ୍ତି କି ରିପୋର୍ଟ କାର୍ଡରେ ୮ ଟି ମାନଦଣ୍ଡ ଅଛି। ଏହି ଯୋଜନାର ଆରମ୍ଭ ପୂର୍ବରୁ ଆମେ ଲୋକଙ୍କ ଫିଡ୍‌ ବ୍ୟାକ(ମତାମତ)ସଂଗ୍ରହ କରିଥିଲୁ। ଏବେ ସୁଦ୍ଧା ୫ ହଜାର ଲୋକଙ୍କ ଫିଡ୍‌ ବ୍ୟାକ ନିଆଯାଇଥିବା ବେଳେ ଭୁବନେଶ୍ୱରରେ ଏବେ ସୁଦ୍ଧା ୧୪୮ ଜଣ ଅଭିଯୋଗକାରୀଙ୍କ ସହ କଥାବାର୍ତ୍ତା କରାଯାଇଛି। ସେଥି ମଧ୍ୟରୁ ୯୭ ଜଣଙ୍କ ଫିଡ୍‌ ବ୍ୟାକ ସନ୍ତୋଷଜନକ ରହିଛି।

ଆସନ୍ତାକାଲିର ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଥାନା ପରିସରରେ ଉଦ୍‌ଘାଟନ ଫଳକ ଲାଗିବା ସହ ସଚେତନତା କାର୍ଯ୍ୟକ୍ରମ ପାଇଁ ବୈଠକ ସ୍ଥଳ ପ୍ରସ୍ତୁତ ହୋଇଛି। ଏତଲା କପିକୁ ଥାନା ଟେବୁଲ୍‌ରେ ପ୍ରସ୍ତୁତ କରି ରଖାଯାଇଛି। ଏତଲା କପିରେ ମୋବାଇଲ ନମ୍ବର ବାଧ୍ୟତାମୂଳକ କରାଯାଇଥିବାରୁ ଏତଲା କପିରେ ଅଭିଯୋଗକାରୀଙ୍କ ମୋବାଇଲ ନମ୍ବର ଉଲ୍ଲେଖ ରହିଛି। ଏଥିରୁ ଫୋନ୍‌ ନମ୍ବର ନେଇ ମୁଖ୍ୟମନ୍ତ୍ରୀ ସମ୍ପୃକ୍ତ ଅଭିଯୋଗକାରୀ ସହ କଥା ହେବେ। କିଛି ପୁରୁଣା ଅଭିଯୋଗ ପତ୍ରରୁ ଅଭିଯୋଗକାରୀ ସହ କଥା ହେବାକୁ ଚାହିଲେ ମଧ୍ୟ ହୋଇ ପାରିବେ।

By amfnews

Related Post