Sun. Nov 24th, 2024

ଆଜି ସୋନିଆଙ୍କ ଗଡ଼ରେ ପ୍ରଧାନମନ୍ତ୍ରୀ ମୋଦି, ମିଶନ ୨୦୧୯ ଶଙ୍ଖନାଦ ହେବ ଶୁଭାରମ୍ଭ!

By amfnews Dec 16, 2018 #Featured
255 Views

ନୂଆଦିଲ୍ଲୀ, ଡିସେମ୍ବର ୧୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଗଡ଼ ରାୟବରେଲିରୁ ନିଜର ମିଶନ ୨୦୧୯ ଶଙ୍ଖନାଦ ଆରମ୍ଭ କରିବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ରାୟବରେଲିରୁ ନିଜର ନିର୍ବାଚନ ରଥ ଆରମ୍ଭ କରିବେ । ମୋଦୀ ରବିବାର ରେଳ କୋଚ କାରଖାନା ନୀରିକ୍ଷଣ କରିବେ । ଏହା ପରେ ଏଠାରେ ହମସଫର କୋଚକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ପାଇଁ ମୋଦୀ ସୋନିଆଙ୍କ ଗଡ଼କୁ ଗସ୍ତ କରୁଥିବାରୁ ସେଥିପାଇଁ ଏହି ଗସ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ମୋଦୀ ଆଜି ପାଖାପାଖି ୧୧୦୦ କୋଟି ଟଙ୍କାରେ ପ୍ରସ୍ତୁତ ବିଭିନ୍ନ ପ୍ରକଳ୍ପ ରାୟବରେଲି ଜନତାଙ୍କୁ ଉପହାର ଦେବେ ।

ନରେନ୍ଦ୍ର ମୋଦୀଙ୍କ ରାଲିକୁ ସଫଳ କରିବା ପାଇଁ ବିଜେପି କର୍ମକର୍ତ୍ତାମାନେ ଜୋରଦାର କାମ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ରେଳ କୋଚ କାରଖାନାର ପ୍ରସ୍ତୁତି ସଂପର୍କରେ ନୀରିକ୍ଷଣ କରିଛନ୍ତି । ମୋଦୀଙ୍କ ସହିତ ମଂଚରେ ରାଜ୍ୟପାଳ ରାମ ନାଇକ ଏବଂ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ରହିବେ । ଗସ୍ତକୁ ସଫଳ କରିବା ପାଇଁ ବିଜେପି ଯୁଦ୍ଧସ୍ତରରେ କାମ କରୁଛି । ରାୟବରେଲି ଠାରୁ ଲାଲଗଂଜ ପର୍ଯ୍ୟନ୍ତ ପୋଷ୍ଟର ଓ ବ୍ୟାନର ଲାଗିଛି । ଏହା ପୂବରୁ ବିଜେପିର ବରିଷ୍ଠ ନେତା ତଥା ଉତ୍ତରପ୍ରଦେଶ ସଭାପତି ମହେନ୍ଦ୍ର ନାଥ ପାଣ୍ଡେ ରାୟବରେଲି ଗସ୍ତ କରି ଦଳୀୟ କର୍ମକର୍ତ୍ତାଙ୍କ ସହିତ ବୈଠକ ମାଧ୍ୟମରେ ଆଲୋଚନା କରିଛନ୍ତି ।

ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ହୋଇଛି ଯେ, ସଭାକୁ ଶିକ୍ଷକମାନଙ୍କୁ ଡକାଯାଉ । ସେହିଭଳି ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରି ଦିଆଯାଇଛି । ମୋଦୀଙ୍କ ଗସ୍ତ ସମୟରେ ୬ ଆଇପିଏସ, ୧୮ ଏଏସପି, ୨୮ ଡିଏସପି, ୪୦ଏସଓ, ୩୨୫ ଏସଆଇ, ୩୦ ମହିଳା ଏସଆଇ, ୨୦୦ ହେଡ କନଷ୍ଟେବଲ, ୧୨୦୦ କନଷ୍ଟେବଲ, ୧୫୦ ମହିଳା କନଷ୍ଟେବଲ, ୯୦ ଟ୍ରାଫିକ ପୋଲିସ, ୧୮ କମ୍ପାନୀ ପିଏଏସି ଏବଂ ପାର ମିଲିଟାରି ଫୋର୍ସ, ୬ ଫାୟାର ଟେଣ୍ଡର, ୧୨ କ୍ରେନ ଏବଂ ୪ କ୍ୟୁଆରଟି ମୁତୟନ ହେବେ ।

ଏହି ପ୍ରକଳ୍ପକୁ ମୋଦୀ ସରକାର ନିଜର ଅତ୍ୟାଧୁନିକ ଯୋଜନା ‘ମେକ ଇନ ଇଣ୍ଡିଆ’କୁ ସଫଳତାର ଅନ୍ୟତମ ଉଦଦାହରଣ ଭାବରେ ଉପସ୍ଥାପନ କରିବାକୁ ଯାଉଛନ୍ତି । ଏହି ଗସ୍ତ ଆଳରେ ମୋଦୀ ୨୦୧୯ ସାଧାରଣ ନିର୍ବାଚନ ପାଇଁ ମଧ୍ୟ ରୂପରେଖ ପ୍ରସ୍ତୁତ କରିବେ ବୋଲି ରାଜନୀତି ବିଷାରଦମାନେ କଳ୍ପନାଜଳ୍ପନା କରୁଛନ୍ତି । ରେଳ ମନ୍ତ୍ରାଳୟର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ଭାରତ ଏଣିକି ଭଲ କୋଚ ଉତ୍ପାଦନ କରିବ ଏବଂ ବିଦେଶକୁ ରପ୍ତାନୀ କରିବ । ଏଥିପାଇଁ ପ୍ରସ୍ତୁତ ଚାଲିଛି । କୋରିଆ, ଜାପାନ, ଚୀନ, ଜର୍ମାନୀ ଏବଂ ତାଇୱାନ ଭଳି ଦେଶମାନଙ୍କ ଯେଭଳି ଉନ୍ନତମାନର କୋଚ ଉତ୍ପାଦନ ହେଉଛି, ସେହିଭଳି ସୁବିଧାଯୁକ୍ତ କୋଚ ଗୁଡ଼ିକ ଭାରତରେ ଉତ୍ପାଦନ ହୋଇ ବିଦେଶୀ ବଜାରରେ ନିଜକୁ ଉପସ୍ଥାପିତ କରିବ ।

By amfnews

Related Post