Mon. Dec 23rd, 2024

ଆଜି ସନ୍ଧ୍ୟା ୬ଟାରେ ଓଡ଼ିଶା ଫେରିବେ ଦୂତି

By amfnews Aug 31, 2018 #Featured
274 Views

ଭୁବନେଶ୍ୱର, ଅଗଷ୍ଟ ୩୧ : ଓଡ଼ିଶାର ସୁନା ଝିଅ ଦୂତି ଚାନ୍ଦ ୨ଟି ରୂପା ପଦକ ସାଥୀରେ ନେଇ ଶୁକ୍ରବାର ଓଡ଼ିଶା ମାଟିକୁ ଫେରି ଆସିବେ । ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗ ଠାରେ ଆୟୋଜନ ଚାଲିଥିବା ୧୮ତମ ଏସୀୟ କ୍ରୀଡ଼ାରେ ଇତିହାସ ରଚିଥିବା ଯାଜପୁର ଝିଅ ଦୂତି ଚାନ୍ଦ ୨ଟି ରୌପ୍ୟ ପଦକ ଜିତିଛନ୍ତି । ଦୂତି ଚାନ୍ଦ ରକ୍ଷାବନ୍ଧନ ଅବସରରେ ଏସୀୟ କ୍ରୀଡ଼ାର ୧୦୦ ମିଟର ଦୌଡ଼ ପ୍ରତିଯୋଗିତାରେ ତାଙ୍କର ପ୍ରଥମ ପଦକ ଜିତିଥିବା ବେଳେ ମେଜର ଧ୍ୟାନ ଚାନ୍ଦଙ୍କ ୧୧୩ତମ ଜୟନ୍ତୀ ତଥା ଜାତୀୟ କ୍ରୀଡ଼ା ଦିବସରେ ୨ୟ ରୌପ୍ୟ ପଦକ ଜିତିଛନ୍ତି । ଦୂତି ତାଙ୍କର ୨ୟ ରୌପ୍ୟ ପଦକ ୨୦୦ ମିଟରରେ ଜିତିଛନ୍ତି ।

ଆଥଲେଟିକ୍ସରେ ଭାରତକୁ ୨ଟି ପଦକ ଦେବାରେ ଦୂତି ଚାନ୍ଦ ହେଉଛନ୍ତି ପ୍ରଥମ ଓଡ଼ିଆ । ଅଗଷ୍ଟ ୨୯ରେ ଅନୁଷ୍ଠିତ ମହିଳା ୨୦୦ ମିଟର ପ୍ରତିଯୋଗିତାରେ ଦୂତି ୨୩.୨ ସେକେଣ୍ଡରେ ଲକ୍ଷ୍ୟ ପୂରା କରିଥିଲେ । ପୂର୍ବରୁ ସେ ୧୦୦ ମିଟରରେ ରୌପ୍ୟ ପଦକ ଜିଣି ଥିଲେ । ବର୍ଷ ୧୯୯୮ରୁ କ୍ଷୁର୍ଣ୍ଣ ଥିବା ପଦକ ଆଶାକୁ ଦୌଡ଼ରାଣୀ ଦୂତି ପୂରଣ କରିଥିଲେ ।

ଏସୀୟ କ୍ରୀଡ଼ାରେ ଓଡ଼ିଆ ଝିଅ ଦୂତି ଚାନ୍ଦଙ୍କ ସଫଳତା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୋନରେ କଥା ହୋଇଥିଲେ । ସେହିପରି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟ ବର୍ନ୍ଧନ ସିଂହ ରାଠୋରଙ୍କ ସମେତ ଓଡ଼ିଶାର ଖେଳପ୍ରେମୀ ଓ ପ୍ରଶଂସକମାନେ ଦୂତିଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଦୂତିଚାନ୍ଦ ଶୁକ୍ରବାର ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଓଡ଼ିଶାର ପ୍ରଶଂସକମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇବାର କାର୍ଯ୍ୟକ୍ରମ ରହିଛି ।

By amfnews

Related Post