Thu. Jan 23rd, 2025

ଆଜି ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେବେ ମହାପ୍ରଭୁ

By amfnews Nov 29, 2020 #Featured
172 Views

ପୁରୀ, ନଭେମ୍ବର 29 : ଆଜି ହେଉଛି କାର୍ତ୍ତିକ ଶୁକ୍ଳ ପକ୍ଷ ଚତୁର୍ଦ୍ଧଶୀ ଓ ପବିତ୍ର ପଞ୍ଚୁକର ଚତୁର୍ଥ ଦିନ । ଆଜି ଭକ୍ତମାନଙ୍କୁ ଲକ୍ଷ୍ମୀନୃସିଂହ ବେଶ ବା ଡାଳକିଆ ବେଶରେ ଦର୍ଶନ ଦେବେ ମହାପ୍ରଭୁ । 

କାର୍ତ୍ତିକ ମାସ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତଥା ବୈକୁଣ୍ଠ ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଥାଏ ।  ଠାକୁରମାନେ ଶ୍ରୀମନ୍ଦିର ରତ୍ନ ସିଂହାସନରେ ଏହି ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଶ୍ରୀଜୀଉଙ୍କ ଏହି ବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ପ୍ରତିବର୍ଷ ପ୍ରବଳ ଭିଡ଼ ଲାଗେ କିନ୍ତୁ ଚଳିତ ବର୍ଷ କରୋନା କଟକଣା ଜାରି କରାଯାଇଛି । ଶ୍ରୀଜୀଉଙ୍କର ଅବକାଶ ନୀତି ପରେ ବେଶ ଅନୁଷ୍ଠିତ ହୁଏ । ଏହି ଲକ୍ଷ୍ମୀ ନୃସିଂହ ବେଶରେ ସୁନାକିଆ ଡାଳି ଭଳି ଖଞ୍ଜା ଯାଇଥିବାରୁ ଏହାକୁ ଡାଳିକିଆ ବେଶ ମଧ୍ୟ କୁହାଯାଇଥାଏ । ଶ୍ରୀଜଗନ୍ନାଥ  ଓ ଶ୍ରୀବଳଭଦ୍ରଙ୍କ ମସ୍ତକର ଶୀର୍ଷଭାଗରେ ଜରି ବେତକନାରେ ଦୁଇଟି ଡାଳଚୂଳ ସହିତ ଲାଗି କରାଯାଏ ।

ରତ୍ନଭାଣ୍ଡାରରୁ ଆଣିଥିବା ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ଦିଅଁମାନଙ୍କୁ ସଜାଇଥାନ୍ତି ସେବାୟତ। ସୋଲ ଓ ଜରିରେ ଡାଳି କରାଯାଇ ସେଥିରେ ପର୍ଯ୍ୟାପ୍ତ ସଂଖ୍ୟକ ରଙ୍ଗବେରଙ୍ଗର ଫୁଲ ସବୁକୁ ଶ୍ରୀମସ୍ତକରେ ଲଗାଯାଏ । ଏହି ଡାଳ ମଝି ମଝିରେ ଠିଆପାଖୁଡ଼ା ଆକୃତିର ସ୍ୱର୍ଣ୍ଣକିଆ ଖଞ୍ଜାଯାଇଥାଏ । ଗୋପାଳ ବଲ୍ଲଭ, ବାଳଭୋଗ ଓ ସକାଳଧୁପ ଶେଷହେବା ପର୍ଯ୍ୟନ୍ତ ଏହି ବେଶ ରହିଥାଏ । ତାହା ମଧ୍ୟରେ ସୁବର୍ଣ୍ଣ କିଆ ଖୋସାଯାଏ । ଶ୍ରୀମୁଖରେ ଦିଆଯାଇଥିବା ଗୋଟିଏ ଗୋଟିଏ ବଳା ସମଗ୍ର ବେଶକୁ ଧରି ରଖିଥାଏ । ଏହି ବେଶରେ ମାଳି, ପଦକମାଳି ଓ ତାବିଜ ମାଳି ଲଗାଯାଏ । ଶ୍ରୀଭୁଜ ଓ ଶ୍ରୀପୟର ମଧ୍ୟ ଲାଗେ । ଆୟୁଧ, ଶଙ୍ଖ, ଚକ୍ର, ହଳ, ମୂଷଳ ମଧ୍ୟ ଲାଗି କରାଯାଏ । ତେବେ ତିନି ଠାକୁର ଅନ୍ୟ ବେଶପରି ସୁବର୍ଣ୍ଣ ଅଳଙ୍କାର ମଧ୍ୟ ଧାରଣ କରିଥାନ୍ତି ।

By amfnews

Related Post