213 Views
କଟକ, ନଭେମ୍ବର ୨୧: ଆଜି କାର୍ତିକ ମାସ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥି ଅର୍ଥାତ ବଡଓଷା । ବଡଓଷା ପାଇଁ ବିଭିନ୍ନ ଶୈବପୀଠରେ ପୂଜାର୍ଚ୍ଚନା କରିବାକୁ ଶ୍ରଦ୍ଧାଳୁମାନଙ୍କର ଭିଡ ଲାଗି ରହିଛି । ମହାନଦୀ ଟାପୁରେ ଥିବା ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ବଡଓଷା ପାଇଁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଛି । ବଡସିଂହାର ରୂପରେ ବାବା ଧବଳେଶ୍ୱର ଦର୍ଶନ ଦେଉଛନ୍ତି ।
ଏହିଦିନ ବାବାଙ୍କ ନିକଟରେ ତାଙ୍କର ପ୍ରିୟ ଗଜ ମଣ୍ଡା ଲାଗି କରାଯାଇଥାଏ । ଗଜମଣ୍ଡା ପାଇଁ ପ୍ରସ୍ତୁତି ଗତକାଲିଠାରୁ ଆରମ୍ଭ ହୋଇଥିବାବେଳେ ଆଜି ପୂଜାର୍ଚ୍ଚନା ପରେ ଭକ୍ତମାନେ ଏହାକୁ ପ୍ରସାଦ ଆକାରରେ ଗ୍ରହଣ କରିଥାନ୍ତି । ଏହି ସ୍ୱତନ୍ତ୍ର ଗଜ ମଣ୍ଡା ଧଳାରଂଗର ହୋଇଥିବାବେଳେ ଚୂନା ଖଳିରେ ଏହାକୁ ପ୍ରସ୍ତୁତ କରାଯାଇଥାଏ । ନଡିଆ ,ଗୁଡ ଓ ଗୁଜୁରାତିର ପୁର ଦେଇ ଏହି ପିଠାକୁ ପ୍ରସ୍ତୁତ କରାଯାଇଥାଏ ।
କିମ୍ବଦନ୍ତୀ ଅନୁଯାୟୀ ଶିବଙ୍କ ଦର୍ଶନ ପାଇଁ ନାରଦ ଏକଦା କୈଳାସ ପର୍ବତରେ ପହଂଚି ଦର୍ଶନ କରିବା ପରେ ଶୈବମାନଙ୍କର ଦୁଃଖ ଦୁର୍ଦ୍ଦଶା ଜଣାଇଥିଲେ । ଦୁଃଖ ଦୁର୍ଦ୍ଦଶାରୁ ଦୂର କରିବାକୁ ଉପାୟ ବାହାର କରିବାକୁ ମହାଦେବଙ୍କୁ ନାରଦ ନିବେଦନ କରିଥିଲେ । ଏହାର ଉପାୟ ବିଷୟରେ ଅବଗତ କରି ମହାଦେବ କାର୍ତିକ ମାସରେ ଶିବ ଦର୍ଶନ କରି ବ୍ରତ ଧାରଣ କରିବାକୁ କହିଲେ । ତେବେ ସେହିଦିନଠାରୁ ମର୍ତ୍ୟବାସୀ ଏହି ଓଷାକୁ ନିଷ୍ଠାର ସହ ପାଳନ କରିବାର ପରମ୍ପରା ରହିଛି ।