ନୂଆଦିଲ୍ଲୀ,ନଭେମ୍ବର 16 : ଆଜି ଜାତୀୟ ପ୍ରେସ୍ ଦିବସ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ହେଉଛି ଗଣମାଧ୍ୟମ । ଜନସାଧାରଣଙ୍କ ନିକଟରେ ସତ୍ୟ ଖବର ପହଞ୍ଚାଇବାରେ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏଣୁ ସାମ୍ବାଦିକତାର ମହତ୍ୱକୁ ନେଇ ପ୍ରତିବର୍ଷ ନଭେମ୍ବର ୧୬ରେ ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଏ ।
୧୯୬୬ ମସିହା ନଭେମ୍ବର ୧୬ରେ କେନ୍ଦ୍ର ସରକାର ପ୍ରେସ୍ କାଉନ୍ସିଲ ଅଫ୍ ଇଣ୍ଡିଆ ପ୍ରତିଷ୍ଠା କରିଥିଲେ । ଏଣୁ ସେହିଦିନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ନଭେମ୍ବର ୧୬ରେ ପ୍ରେସ୍ ଦିବସ ପାଳନ କରାଯାଉଛି । ସମ୍ବାଦପତ୍ର ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ହୁଏ, ‘ପ୍ରେସ୍ କାଉନ୍ସିଲ୍’ ହେଉଛି ସମ୍ବାଦପତ୍ରର ନୈତିକ ପ୍ରହରୀ । ସମ୍ବାଦପତ୍ରଗୁଡ଼ିକର କାର୍ଯ୍ୟକଳାପ ଉପରେ ସତର୍କ ଦୃଷ୍ଟି ରଖିବା, ଆବଶ୍ୟକ ସ୍ଥଳରେ ପରାମର୍ଶ ଦେବା, ସମୀକ୍ଷା କରିବା, ଜନସାଧାରଣଙ୍କ ନିକଟରେ ସତ୍ୟ ଖବର ପହଞ୍ଚାଇବାରେ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।
୧୯୫୬ରେ କେନ୍ଦ୍ର ସରକାର ପ୍ରଥମ ପ୍ରେସ୍ କମିଶନ୍ ବସାଇଥିଲେ । ‘ପ୍ରେସ୍ କାଉନ୍ସିଲ୍’ ଗଠନ କରିବା ପାଇଁ ଏହି କମିଶନ୍ ସୁପାରିସ୍ କରିଥିଲେ । କୌଣସି ବ୍ୟକ୍ତି ଚାହିଁଲେ କୌଣସି ସମ୍ବାଦପତ୍ର ବିରୋଧରେ ‘ପ୍ରେସ୍ କାଉନ୍ସିଲ୍’ ନିକଟରେ ଅଭିଯୋଗ କରିପାରିବେ । ଅପରପକ୍ଷେ ଯେକୌଣସି ସମ୍ବାଦପତ୍ର ମଧ୍ୟ ସରକାର ବା ଅନ୍ୟ କାହାର ଅବାଞ୍ଛିତ ହସ୍ତକ୍ଷେପ, ବଳପ୍ରୟୋଗ ଓ କଟକଣା ଆଦି ବିରୋଧରେ ଅଭିଯୋଗ କରିପାରିବେ । ଉଭୟ ବୈଦ୍ୟୁତିକ ଗଣମାଧ୍ୟମ ସହ ଛାପା ଗଣମାଧ୍ୟମର ଅଗ୍ରଗତି ଓ ଲୋକପ୍ରିୟତା ରହିଛି ।